ଭୁବନେଶ୍ବର,୨୧/୧୧ :   ଆସନ୍ତାକାଲି ଭଙ୍ଗା ହେବ ଖଣ୍ଡଗିରିରେ ଥିବା ବୈକୁଣ୍ଠ ଆଶ୍ରମ । ଆଶ୍ରମ ନାଁରେ ବେଆଇନ ନିର୍ମାଣ ଭଙ୍ଗାଯିବ । ସକାଳେ ଏନଫୋର୍ସମେଣ୍ଟ ଟିମ୍ ଏହାକୁ ଭାଙ୍ଗିବେ । ବିଡିଏ ଓ ବିଏମସିର ମିଳିତ ଟିମ୍ ଏହାକୁ ଭାଙ୍ଗିବେ ବୋଲି ଜଣାପଡ଼ଇଛି । ଉଚ୍ଛେଦ ପୂର୍ବରୁ ଏ ନେଇ ମାଇକରେ ଘୋଷଣା କରାଯାଇଛି । ଆଶ୍ରମ ଭିତରେ ଥିବା ସାମଗ୍ରୀ କାଢି ନେବାକୁ ଏଥିରେ କୁହାଯାଇଛି । ୧୪୦ଡିସିମିଲ ସରକାରୀ ଜମି ଅଛି ଜବରଦଖଲ । ଘାଟିକିଆ ମୌଜାରେ ରହିଛି ୨ ଟି ପ୍ଲଟ । 

ପ୍ରକାଶ ଯେ, ଗତ କିଛି ଦିନ ହେବ ରାଜଧାନୀରେ ଉଭା ହୋଇଥିବା କୁନି ବାବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିଲା ।  ଆଶ୍ରମ ଲୋକେ କହୁଥିଲେ ଇୟେ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ। ଏହି ନାବାଳକ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ମାଧବଙ୍କୁ ବାବା ସଜେଇ ଲୋକଙ୍କଠୁ କରୁଛନ୍ତି ରୋଜଗାର। ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା । ଏହାକୁ ବିରୋଧ କରି ଭରତପୁର ରାଜ୍ୟ ସମାଜସେବୀ ମହାସଂଘ ଥାନାର ଦ୍ୱାରସ୍ଥ ହୋଇଥିଲେ। 

ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଥିଲା । ସ୍ଵେଚ୍ଛାସେବୀ ସଙ୍ଗଠନର ଅଭିଯୋଗକୁ ଆଧାର କରି ବୈକୁଣ୍ଠଧାମ ସେବାଶ୍ରମରେ ଭରତପୁର ଥାନା ପୋଲିସ ଚଢଉ କରିଥିଲା। କୁନି ବାବାଙ୍କ ନାଁରେ ଅଭିଯୋଗ ପରେ ଆଶ୍ରମ ଟ୍ରଷ୍ଟି ମୁହଁ ଖୋଲିଥିଲେ। ସେ କହିଥିଲେ ଯେ, କୁନି ପିଲାଟି ଭିତରେ ଅନେକ ଅଲୌକିକ ଶକ୍ତି ରହିଛି । ବହୁ ଦୁରାରୋଗକୁ ଭଲ କରିବାର କ୍ଷମତା ଅଛି । ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ୱୟଂ ଶ୍ରୀଜଗନ୍ନାଥ ବେଶରେ ଏହି ବାଳକ ତାଙ୍କ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦ ଓ ମୁଣ୍ଡରେ ତୁଳସୀ ପତ୍ର ଚଢ଼ା ହେଉଛି।