ଜୟପୁର,୦୬/୦୨ :ସହରର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛି ପୌରସଂସ୍ଥା । ବାର୍ଷିକ ଆକ୍ସନ ପ୍ଲାନ୍ରେ ୭୧ ପ୍ରକଳ୍ପ ପାଇଁ ୬ କୋଟି ୭୯ ଲକ୍ଷ ୪୩ ହଜାର ୩୮୩ ଟଙ୍କାର ଟେଣ୍ଡର ଡାକିଛି । ମୁଖ୍ୟତଃ ରାସ୍ତା, ଡ୍ରେନ୍ ମରାମତି, ପୁନରୁଦ୍ଧାର ଏବଂ ଗୋଷ୍ଠୀକେନ୍ଦ୍ର ତିଆରି ଉପରେ ଫୋକସ୍ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ ହେବ ବୋଲି ପୌର ଯନ୍ତ୍ରୀ ଅଜୟ କୁମାର ଜାନୀ କହିଛନ୍ତି । ଗତ ୩ ତାରିଖରେ ଟେଣ୍ଡର ଆହ୍ୱାନ କରାଯାଇଛି ।

ପ୍ରାଣୀ ଜନ୍ମ ନିୟନ୍ତ୍ରଣ(ଏବିସି) ସହ ମୋଟ ୭୨ କାମ ଲାଗି ଏଥିରେ ଉଲ୍ଲେଖ ରହିଛି । ଆଜିଠୁ ଅର୍ଥାତ୍ ୫ ତାରିଖ ପୂର୍ବାହ୍ଣ ୧୧ଟାରୁ ଅନଲାଇନ୍ ପୋର୍ଟାଲରେ ଆବେଦନ କରାଯାଇପାରିବ । ଆବେଦନର ଶେଷ ତାରିଖ ରହିଛି ୧୬ ତାରିଖ ଅପରାହ୍ଣ ୪ଟା । ଛୁଟିଦିନକୁ ବାଦ୍ ଦେଇ ୧୮ ତାରିଖ ପୂର୍ବାହ୍ଣ ୧୧ଟା ସୁଦ୍ଧା ସ୍ପିଡ୍ପୋଷ୍ଟ୍ ଦ୍ୱାରା ଅଫଲାଇନ୍ରେ କାଗଜପତ୍ର ପହଞ୍ଚିବା ଜରୁରି । ସେହିଦିନ ପୂର୍ବାହ୍ଣ ୧୧ଟାରେ ବିଡ୍ ଖୋଲିବ । ଏବିସିକୁ ଛାଡ଼ି ସହରାଞ୍ଚଳର ବିଭିନ୍ନ ସ୍ଥାନରେ ପେଭର ବ୍ଲକ ରାସ୍ତା, ପଟହୋଲ୍ ମରାମତି ଲାଗି ସର୍ବାଧିକ ୨୫ ଲକ୍ଷ ୪୨ ହଜାର ଟଙ୍କା ଲେଖାଏଁରେ ୨ ପ୍ରକଳ୍ପ କରାଯାଇଛି । ତା’ ତଳକୁ ରହିଛି ୧୮ ନମ୍ବର ୱାର୍ଡର ଆର୍ସିସି ଡ୍ରେନ୍ ମରାମତି ଓ ରକ୍ଷଣାବେକ୍ଷଣ ଲାଗି ୨୧ ଲକ୍ଷ ୧୯ ହଜାର ୧୨୮ ଟଙ୍କାର ପ୍ରକଳ୍ପ ।

ସର୍ବନିମ୍ନ ପ୍ରକଳ୍ପର ମୂଲ୍ୟ ରହିଛି ୨ ଲକ୍ଷ ୯୭ ହଜାର ୪୨୭ ଟଙ୍କାରେ ୧୦ ନମ୍ବର ୱାର୍ଡ ସନ୍ତୋଷୀମା’ମନ୍ଦିରରୁ ଆର୍ଟ ସ୍କୁଲ୍ ଆର୍ସିସି ଡ୍ରେନ୍ ମରାମତି । ପ୍ରମୁଖ ପ୍ରକଳ୍ପ ମଧ୍ୟରେ ରହିଛି ୧୩ ଲକ୍ଷ ୯୧ ହଜାର ଟଙ୍କାରେ ୨ ନମ୍ବର ୱାର୍ଡ ପ୍ରଥମ ଲେନ୍ରେ ପେଭରବ୍ଲକ୍ ରାସ୍ତା, ସିସି ଡ୍ରେନ୍ ନିର୍ମାଣ, ୧୬ ଲକ୍ଷ ୯୫ ହଜାରରେ ହାନାଗୁଡ଼ା ଖେଳପଡ଼ିଆ ପାଖ ତୃତୀୟ ଲେନ୍ରେ ବର୍ମ ପେଭର୍ ଓ ଡ୍ରେନ୍ ନିର୍ମାଣ, ୧୫ ଲକ୍ଷ ୨୫ ହଜାରରେ ପାରାବେଡ଼ା ଆହୁଜାନଗରରେ ପେଭରବ୍ଲକ୍ ରାସ୍ତା ତିଆରି, ୧୨ ଲକ୍ଷ ୭୧ ହଜାର ଟଙ୍କା ଲେଖାଏଁରେ ଗାଦବାସାହି ଓ ଗଡ଼ିଆଧୋବାସାହିରେ ବର୍ମପେଭର ଏବଂ ଡ୍ରେନ୍ ସହ ସାହିରେ ମରାମତି ଓ ପୁନରୁଦ୍ଧାର କାମ । ଯନ୍ତ୍ରୀ ଶ୍ରୀ ଜାନୀ କହିଛନ୍ତି, ଆକ୍ସନ ପ୍ଲାନ୍ରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଖୋଲା ଡ୍ରେନ୍ ଉପରେ କଂକ୍ରିଟ୍ ପ୍ଲେଟ୍ ପକାଯିବ । ପେଭରବ୍ଲକ୍ ରାସ୍ତା ଏବଂ କଲଭର୍ଟ ତିଆରି ହେବ । ସମସ୍ତ କାମ ୩୦ ଦିନ ଭିତରେ ସାରିବା ଲାଗି ନିର୍ଦ୍ଦେଶ ରହିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସରିବା ଉପରେ ଗୁରୁତ୍ୱ ଦିଆଯିବ । ଠିକ୍ ସମୟରେ କାମ ନ କଲେ ଖିଲାପି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯିବ । ବାର୍ଷିକ ଆକ୍ସନ ପ୍ଲାନ୍ରେ ୧୭୪ ପ୍ରକଳ୍ପକୁ ପ୍ରଶାସନିକ ଅନୁମତି ମିଳିଥିଲା । ବ୍ୟୟ ଅଟକଳ ଥିଲା ପ୍ରାୟ ୧୬ କୋଟି ୬୫ ଲକ୍ଷ ଟଙ୍କା । ସେଥିରୁ ୭୨ ପ୍ରକଳ୍ପ କାମ ଲାଗି ଟେଣ୍ଡର ବାହାର କରାଯାଇଛି।

ଆହୁରି ପଢନ୍ତୁ-ଜାହାଜରୁ ରହସ୍ୟଜନକ ଭାବେ ମେରାଇନ୍ ଇଞ୍ଜିନିୟର ଗାଏବ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା ପରିବାର

୧.୨୮ କୋଟିରେ କୁକୁର ବନ୍ଧ୍ୟାକରଣ

ସହରର ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ରକ୍ଷା ମିଳିବ । ସେମାନଙ୍କ ବଂଶବିସ୍ତାର ଉପରେ ଲାଗିବ କଟକଣା । ଆରମ୍ଭ ହେବାକୁ ଯାଉଛି ଆନିମଲ୍ ବାର୍ଥ କେଣ୍ଟ୍ରୋଲ(ଏବିସି) ବା ବନ୍ଧ୍ୟାକରଣ ପ୍ରକଳ୍ପ । ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁଆଲ ଆକ୍ସନ ପ୍ଲାନ୍ରେ ସାମିଲ ପରେ ପ୍ରକଳ୍ପ ଲାଗି ଟେଣ୍ଡର ଆହ୍ୱାନ କରାଯାଇଛି । ଏଥିଲାଗି ଖର୍ଚ୍ଚ ହେବ ୧ କୋଟି ୨୮ ଲକ୍ଷ ୮୫ ହଜାର ୮୮୬ ଟଙ୍କା । ସହର ଉପକଣ୍ଠ କୁନ୍ତରଖାଲ ସୁନାନଗର ଗୋଶାଳା ପରିସରରେ ଏବିସି ୟୁନିଟ୍ ଖୋଲିବ । ୬ ମାସ ମଧ୍ୟରେ କାମ ସାରିବା ଲକ୍ଷ୍ୟ ରହିଛି ବୋଲି ଯନ୍ତ୍ରୀ ଶ୍ରୀ ଜାନୀ କହିଛନ୍ତି । ପୌରସଂସ୍ଥା ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା(ଏମଏସ୍ବିୱାଇ)ରେ ସାମିଲ କରାଯାଇଛି । ଆର୍ଥିକ ବର୍ଷ ୨୦୨୫-୨୬ର ଆନୁଆଲ ଆକ୍ସନ ପ୍ଲାନ୍ରୁ ଟଙ୍କା ଖର୍ଚ୍ଚ କରାଯିବ । କୁନ୍ତରଖାଲ ସୁନାନଗର ଗୋଶାଳା ପରିସରରେ ଏବିସି ତିଆରି ହେବ । ପରିସରରେ ଖାଲିଥିବା ଅଧା ଏକର ଜମି ଚିହ୍ନଟ କରାଯାଇଛି । ଗୋରୁ ଏବଂ କୁକୁରଙ୍କୁ ପାଖାପାଖି ରଖିଲେ ପ୍ରାଣୀ ବିଭାଗ କର୍ମଚାରୀଙ୍କୁ ସେବା ଯୋଗାଇବାରେ ସୁବିଧା ହେବ । ୟୁନିଟ୍ରେ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଲାଗି ଓଟି, କୁକୁର ଛୁଆ ଯତ୍ନ(ପପ୍ପି କେୟାର ଏରିଆ), ମେଡିସିନ୍ ଷ୍ଟୋର, ଅପରେସନ୍ ପ୍ରସ୍ତୁତି ଅଞ୍ଚଳ, ଷ୍ଟୋର ରୁମ୍, ଯନ୍ତ୍ରପାତି ରୁମ୍, ଡାକ୍ତରଙ୍କ ଚ୍ୟାମ୍ବର, ପର୍ଯ୍ୟବେକ୍ଷଣ ଗୃହ ସହ ଶୌଚାଳୟ ଏବଂ ପାଚେରୀ ରହିବ । ବୁଲା କୁକୁରଙ୍କୁ ଧରି କେନ୍ଦ୍ରକୁ ଆଣିବା ଲାଗି ଭ୍ୟାନ୍ ଯୋଗାଇ ଦିଆଯିବ । ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ ହେବ । ସୂଚନାଥାଉକି, ୨୦୨୧ ଅଗଷ୍ଟ ଶେଷ ସପ୍ତାହରେ ବୁଲା କୁକୁର ବନ୍ଧ୍ୟାକରଣ ଏବଂ ଏକ କୁକୁର ଆଶ୍ରୟସ୍ଥଳ (ଡଗ୍ ସେଲଟର ବା କେନେଲ) ଖୋଲିବା ଲାଗି ଜିଲ୍ଲାସ୍ତରୀୟ କମିଟିରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୩ ମସିହା ଫେବ୍ରୁଆରୀରେ ବୁଲା କୁକୁରଙ୍କ ଆକ୍ରମଣରେ ହାଇଦ୍ରାବାଦ୍ର ଏକ ଶିଶୁର ମୃତ୍ୟୁ ପରେ ତତ୍କାଳୀନ ସରକାରଙ୍କ ଚେତା ପଶିଥିଲା । ଏବିସି ନିର୍ମାଣ ଲାଗି ତତ୍ପରତା ଦେଖାଇଥିଲେ ।