ଭୁବନେଶ୍ୱର,୨୫/୦୪: ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବଡ ଚାଷୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ କମି ଚାଲିଛି । ଫଳରେ ବଢ଼ିଚାଲିଛି ନାମମାତ୍ର  ଚାଷୀଙ୍କ ସଂଖ୍ୟା । ଗତ ଦୁଇଟି କୃଷି  ଗଣନା ହିସାବ ମୁତାବକ, ଓଡ଼ିଶାରେ  ଚାଷୀଙ୍କ ସଂଖ୍ୟା ୪୬ଲକ୍ଷ ୬୭ହଜାରରୁ  ୪୮ଲକ୍ଷ ୬୫ ହଜାରକୁ ବୃଦ୍ଧି ପାଇଛି । ହେଲେ ବଡ଼ ଚାଷୀଙ୍କ ସଂଖ୍ୟା ୫୫୭୪ରୁ  ୩୯୭୫କୁ ହ୍ରାସ ପାଇଥିବାବେଳେ ମଧ୍ୟମ  କିସମ ଚାଷୀଙ୍କ ସଂଖ୍ୟା ୩ ଲକ୍ଷ ୭୫  ହଜାରରୁ ୩ ଲକ୍ଷ ୩୮ ହଜାରକୁ କମିଛି ।  ସେହିଭଳି କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ମଧ୍ୟ  ଗତ ଦୁଇ କୃଷି ଗଣନା ଭିତରେ ୯ ଲକ୍ଷ  ୧୮ ହଜାରରୁ ୮ଲକ୍ଷ ୮୭ ହଜାରକୁ  କମିଛି ।  

କୃଷି ବିଶେଷଜ୍ଞଙ୍କ ସୂଚନା  ଅନୁସାରେ, ବିଭିନ୍ନ କାରଣରୁ ବହୁ  ପାରମ୍ପରିକ ଚାଷୀ ଚାଷରୁ ମୁହଁ ଫେରାଇ  ନେଉଛନ୍ତି । ସେଥିପାଇଁ ବହୁ ଚାଷ ଜମି  ପଡ଼ିଆ ପଡୁଛି । ଏ କ୍ଷେତ୍ରରେ ବଡ଼,  ମଧ୍ୟମ, କ୍ଷୁଦ୍ର ଚାଷୀମାନଙ୍କଠାରୁ ନାମମାତ୍ର  ଚାଷୀମାନେ କିଛି ଜମି ନେଇ ଚାଷ  କରୁଛନ୍ତି । ସରକାରୀ ତଥ୍ୟ ମୁତାବକ,  ଓଡ଼ିଶାରେ ଏବେ ଖରିଫ ଋତୁରେ ପ୍ରାୟ  ୫ଲକ୍ଷ ୮୮ହଜାର ହେକ୍ଟର ଓ ରବି  ଋତୁରେ ପାଖପାଖି ୩୪ଲକ୍ଷ ହେକ୍ଟର  ଜମି ପଡ଼ିଆ ରହୁଛି । ଚାଷ ହେଉଥିବା  ଜମିର ପରିମାଣ କିଛି ପରିମାଣରେ  ବୃଦ୍ଧି ପାଉଛି । ତେବେ ରାଜ୍ୟରେ  ଯେତେ ଜମିରେ ଚାଷ ହେଉଛି, ସେଥିରୁ  ଅଧିକାଂଶରେ ଧାନ ଚାଷ କରାଯାଉଛି ।  ଡାଲି, ତୈଳବୀଜ, କପା, ପନିପରିବା  ଓ ଆଖୁ ଭଳି ଅର୍ଥକାରୀ ଫସଲ ଚାଷ  କମ୍‌ ହେଉଥିବାରୁ ରାଜ୍ୟର ଚାହିଦା  ମେଣ୍ଟି ପାରୁନି । ଚାହିଦା ମେଣ୍ଟାଇବା ପାଇଁ  ଓଡ଼ିଶାକୁ ଅନ୍ୟ ରାଜ୍ୟ ପାଖରେ ହାତ  ପତାଇବାକୁ ପଡ଼ୁଛି । ଯେତିକି ଜମିରେ  ଅର୍ଥକାରୀ ଫସଲ କରାଯାଉଛି, ତାହାର  ପ୍ରକ୍ରିୟାକରଣ ଓ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ  ବ୍ୟବସ୍ଥା ନ ଥିବାରୁ ଅନ୍ୟ ରାଜ୍ୟର  ବ୍ୟବସାୟୀମାନେ ଓଡ଼ିଶା ଚାଷୀଙ୍କ  ଉତ୍ପାଦିତ ସାମଗ୍ରୀକୁ ନାମ ମାତ୍ର ମୂଲ୍ୟରେ  କିଣି ନେଉଛନ୍ତି । 

ରାଜ୍ୟର ଚାଷୀମାନେ  ବ୍ୟାପକ କ୍ଷତିଗ୍ରସ୍ତ ହେଉଥିବାରୁ  ଅନେକ ପାରମ୍ପରିକ ଚାଷୀ ଚାଷକୁ  ଆଉ ଲାଭକାରୀ ପନ୍ଥା ଭାବେ ଗ୍ରହଣ  କରିପାରୁ ନାହାନ୍ତି । ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ୨୦୧୯ରେ ୭୭  ତମ ସର୍ଭେ କରାଯାଇଥିଲା । ଏଥିରେ  କୃଷକ ପରିବାରର ହାରାହାରି ଆୟ  ଯାହା ଦର୍ଶାଯାଉଥିଲା ଜାତୀୟ ଅଭିବୃଦ୍ଧି  ତୁଳନାରେ ଓଡ଼ିଶାରେ ତାହା ଅତି ନଗଣ୍ୟ  ଥିଲା । ସର୍ବଭାରତୀୟ ସ୍ତରରେ କୃଷକ  ପରିବାରର ମାସିକ ହାରାହାରି ଆୟ  ୧୦ ହଜାର ୨୧୮ ଟଙ୍କା ଥିବାବେଳେ  ଓଡ଼ିଶାରେ ତାହା ୫୧୧୨ ଟଙ୍କା ରହିଛି ।