ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କ୍ଷେତ୍ରରେ ଆଖିଦୃଶିଆ ଅଭିବୃଦ୍ଧି ହାସଲ କରିଛି। ନିକଟରେ ପ୍ରକାଶ ହୋଇଥିବା ଏକ ରିପୋର୍ଟରେ ସମଗ୍ର ବିଶ୍ୱରେ ଭାରତରେ ସର୍ବାଧିକ ମୋବାଇଲ କନେକ୍ସନ ଓ ଡାଟା ବ୍ୟବହାର ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏନେଇ ବର୍ତ୍ତମାନ ଜାରି ରହିଥିବା ସଂସଦୀୟ ଅଧିବେଶନରେ ଦେଶରେ 6G ମୋବାଇଲ ସେବା ସହ ବିଭିନ୍ନ ନୂତନ କନେକ୍ଟିଭିଟି ସ୍ଥାପନ କରିବାକୁ ପ୍ରସ୍ତାବ ଉଠିଛି।
ଏନେଇ ଗୁରୁବାର କେନ୍ଦ୍ର ଯୋଗାଯୋଗ ଓ ପୂର୍ବୋତ୍ତର ଆଞ୍ଚଳିକ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ରାଜ୍ୟ ସଭାରେ ଲିଖିତ ଆକାରରେ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ସାଂସଦ ସୁମିତ୍ରା ବାଲମିକଙ୍କ ପ୍ରଶ୍ନର ଉତ୍ତର ରଖି ରାଜ୍ୟ ସ୍ତରୀୟ ମୋବାଇଲ କନେକ୍ସନ, ହାରାହାରି ଡାଟା ବ୍ୟବହାର ଓ ଇଣ୍ଟରନେଟର ମୁଲ୍ୟ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ଏହା ସହ ସରକାର ଦେଶରେ 6ଜି ସେବା ପ୍ରଦାନ କରିବା କ୍ଷେତ୍ରରେ ନେଉଥିବା ଆଗାମି ପଦକ୍ଷେପ ବିଷୟରେ ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ ରହିଥିଲା।
ରିପେର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା କେବଳ ଉତ୍ତରପ୍ରଦେଶରେ ୧୬.୫ କୋଟିରୁ ଅଧିକ ୱେୟାରଲେସ ମୋବାଇଲ ବ୍ୟବହାରକାରି ରହିଛନ୍ତି। ଏହା ପଛକୁ ମହାରାଷ୍ଟ୍ରରେ ୧୨.୩ କୋଟି ଓ ପଶ୍ଚିମବଙ୍ଗରେ ୭.୯ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସମଗ୍ର ଭାରତ ବର୍ଷରେ ମୋଟ୍ ମୋବାଇଲ ବ୍ୟବହାରକାରିଙ୍କ ସଂଖ୍ୟା ୧୧୬.୧୦ କୋଟିରୁ ଅଧିକ ରହିଛି।
ଡାଟା ବ୍ୟବହାର କ୍ଷେତ୍ରରେ ମଧ୍ୟ ଭାରତ ରେକର୍ଡ ସ୍ଥାପନ କରିଛି। ଦୈନିକ ସର୍ବାଧିକ ଡାଟା ବ୍ୟବହାର କରିବା କ୍ଷେତ୍ରରେ ଅରୁଣାଚଳ ପ୍ରଦେଶ ୩୩.୬୮ ଜିବି ସହ ଆଗରେ ରହିତିବା ବେଳେ ସିକିମ ୩୨.୪୦ ଜିବି ସହ ଏହା ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିଭଳି ଲକ୍ଷାଦ୍ୱିପ ୨୯.୩୬ ଜିବି ସହ ତୃତୀୟ ଓ କେରଳ ୨୩.୦୮ ଜିବି ସହ ଚତୁର୍ଥ ସ୍ଥାନ ଅଧିକାର କରିଛି। ତେବେ ଜାତୀୟ ସ୍ତରରେ ଏହି ହାର ୨୪.୫୬ ପ୍ରତିଶତ ରହିଛି।
ବିଗତ ଦଶନ୍ଧି ମଧ୍ୟରେ ଭାରତରେ ଇଣ୍ଟରନେଟ ଡାଟା ଦରରେ ରକର୍ଡ ସ୍ତରିୟ ହ୍ରାସ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ସମଗ୍ର ଦେଶରେ ଡାଟାକୁ ଗ୍ରହଣ କରିବା ଓ ବ୍ୟବହାର କରିବା ସହଜ ହୋଇଛି। ୨୦୧୪ ମସିହା ମାର୍ଚ୍ଚମାସରେ ଏକ ଜିବି ଡାଟା ପିଛା ହାରାହାରି ଦର ୨୬୮ ଟଙ୍କା ରହିଥିବା ବେଳେ ୨୦୨୦ ମାର୍ଚ୍ଚ ମାସ ବେଳକୁ ଏହା ଖସି ଆସି ୧୧ଟଙ୍କା ୨୩ ପଇସାରେ ପହଞ୍ଚିଛି। ହିସାବ କଲେ ଜଣାଯାଏ ଯେ ଦରରେ ପ୍ରାୟ ୯୫ ପ୍ରତିଶତରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି।
ଏସବୁ ତଥ୍ୟକୁ ଲକ୍ଷ୍ୟ କରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ବହୁ ଜଲଦି ଭାରତରେ 6ଜି ନେଟୱାର୍କ ଆମିବାକୁ ଯାଉଛି ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷିରେ ଭାରତ 6G ଭିଜନ ନାମକ ଏକ ଡକ୍ୟୁମେଣ୍ଟ ଗତ ୨୦୨୩ ମସିହା ମାର୍ଚ୍ଚ ମାସରେ ଜାରି କରାଯାଇଥିଲା। ଏନେଇ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଏକ 6G ଟେଷ୍ଟବ୍ଡ ସ୍ଥାପନ କରିସାରିଛନ୍ତି। ତେଣୁ ବହୁ ଜଲଦି ଭାରତ 6G ଆଲିଏନ୍ସ ସ୍ଥାପନା ହେବା ନେଇ ଆଶା କରାଯାଉଛି। ଏହାସହ ସରକାରଙ୍କ ପକ୍ଷରୁ ଟେଲିକମ ଟେକ୍ନୋଲେଜି ଡେଭଲୋପମେଣ୍ଟ ଫଣ୍ଡ(ଟିଟିଡିଏଫ) ଦ୍ୱାରା 6G ଉପରେ ଗବେଷଣା ଜାରି ରହିଛି।