ଭଞ୍ଜନଗର, ୧୨/୦୭: ଜୈବ ବିବିଧତାରେ ଭରପୁର ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଗୟଳଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ବନଖଣ୍ଡର କେନ୍ଦ୍ରୀୟ ଓ ତାରାସିଂ ବନାଞ୍ଚଳରେ ଗୟଳମାନେ ବିଚରଣ କରୁଥିବା ଡ୍ରୋନ୍‌ ଓ ଟ୍ରାପ୍‌ କ୍ୟାମେରା ମାଧ୍ୟମରେ ଠାବ କରିଛି ବନ ବିଭାଗ । ଦେଶ ତଥା ରାଜ୍ୟର ବହୁ କମ୍‌ ସ୍ଥାନରେ ଦେଖାଯାଉଥିବା ଏହି ପ୍ରଜାତିର ପଶୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ  ବନ ବିଭାଗ ଏବେ ତତ୍ପର ହୋଇଉଠିଛି । 

ବର୍ଷକ ପୂର୍ବେ ଉତ୍ତର ଘୁମୁସର ବନଖଣ୍ଡରେ ମହାରାଷ୍ଟ୍ରରୁ ଖସି ଆସିଥିବା ମହାବାଳ ବାଘ ଦେଖାଦେବା ଓ ଜଙ୍ଗଲରୁ ଗୟଳ ମାରି ଖାଇବା ପରେ ବନ ବିଭାଗ ଏହି ବନଖଣ୍ଡରେ ଗୟଳ ରହିଥିବା ନେଇ ସ୍ପଷ୍ଟ ଜାଣିପାରିଥିଲା । ପରେ ଏହି  ବନଖଣ୍ଡର ସମସ୍ତ ୫ଟି ରେଞ୍ଜ୍‌ ଅନ୍ତର୍ଗତ ବିଭିନ୍ନ  ଜଙ୍ଗଲରେ ଡ୍ରୋନ୍‌ ଓ ଟ୍ରାପ୍‌ କ୍ୟାମେରା ମାଧ୍ୟମରେ  ଫଟୋ ଉତ୍ତୋଳନ କରାଯିବା ପରେ କେନ୍ଦ୍ରୀୟ  ବନାଞ୍ଚଳର ମାଳତୀ ଓ କାଳିଆମ୍ବା ସଂରକ୍ଷିତ ଜଙ୍ଗଲ  ସମେତ ତାରାସିଂ ବନାଞ୍ଚଳର ଚନ୍ଦ୍ରଗିରି ଓ ଆମ୍ବଝରା  ଜଙ୍ଗଲରେ ଗୟଳ ଥିବା ଜଣାପଡ଼ିଥିଲା । ଏବେ  ଏହି ପଶୁ ବଂଶର ସୁରକ୍ଷା ଓ ସଂରକ୍ଷଣ ନେଇ  ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ  କରାଯାଇଥିବା ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି  ସୂଚନା ଦେଇଛନ୍ତି । ଗୟଳମାନଙ୍କ ପାଇଁ ବ୍ୟାପକ  ଚାରଣ ଭୂମି ପ୍ରସ୍ତୁତି ସହ ସେମାନଙ୍କ ପାଇଁ ନୂତନ  ପୋଖରୀ ଖନନ, ପୁରୁଣା ପୋଖରୀର ମରାମତି,  ଗତିବିଧି ଲକ୍ଷ୍ୟ ପାଇଁ ୱାଚ୍‌ ଟାୱାର ନିର୍ମାଣ ଆଦି  କାର୍ଯ୍ୟ ଏବେ ବନ ବିଭାଗ ହାତକୁ ନେଇଛି ।  ଗୟଳ ବର୍ତ୍ତମାନ ବିଶେଷ ଭାବେ ମାଳତୀ  ସଂରକ୍ଷିତ ଜଙ୍ଗଲରେ ଅଧିକ ସଂଖ୍ୟାରେ ଅଛନ୍ତି ।  ଡିଏଫ୍‌ଓଙ୍କ କହିବା ପ୍ରକାରେ ଏମାନେ ସଂଘବଦ୍ଧ  ଭାବେ ଘୁରି ବୁଲିଥାନ୍ତି । ମାଳତୀ ଜଙ୍ଗଲରେ  ଏମାନଙ୍କ ୭ଟି ଦଳ ରହିଥିବା ବେଳେ ଗୋଟିଏ  ଗୋଟିଏ ଗୋଷ୍ଠୀରେ ୧୦ରୁ ୧୨ଟି ଲେଖାଏଁ  ଗୟଳ ରହିଥାନ୍ତି । ତେଣୁ ଏହି ବନଖଣ୍ଡରେ  ଶତାଧିକ ଗୟଳ ରହିଥିବା ଅନୁମାନ କରିଛି  ବନ ବିଭାଗ । ଯେହେତୁ ଏମାନଙ୍କ ଗଣନା  ହୋଇନାହିଁ ତେଣୁ ଏମାନଙ୍କ ପ୍ରକୃତ ସଂଖ୍ୟା  ଜଣାପଡ଼ିନାହିଁ । ଆଗକୁ ଗୟଳ ଗଣନା କାମ  କରାଯିବ ବୋଲି ଡିଏଫଓ କହିଛନ୍ତି ।

ଉତ୍ତର ଘୁମୁସର ବନଖଣ୍ଡରେ ଏବେ  ବିରଳ ପାଟ ମୂଷା, ଜାତୀୟ ପକ୍ଷୀ ମୟୁର ଓ  କୃଷ୍ଣସାର ମୃଗ ସମେତ ଗୟଳ ଆଦି ପ୍ରଜାତିର ପଶୁପକ୍ଷୀ ଥିବା ବେଳେ କଲରାପତରିଆ ବାଘ  ବଂଶ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ  କାଳିଆମ୍ବା ସଂରକ୍ଷିତ ଜଙ୍ଗଲରେ ବିରଳ କଳା  କଲରାପତରିଆ ଦେଖା ଦେଇଥିବା ନେଇ କିଛି  ଲୋକ କହୁଥିବା ବେଳେ ଏନେଇ ବନ ବିଭାଗ  ପାଖରେ ସେଭଳି କିଛି ସ୍ପଷ୍ଟ ସୂଚନା ନଥିବା  ଡିଏଫ୍‌ଓ ପ୍ରକାଶ କରିଛନ୍ତି । ତଥାପି ଉକ୍ତ  ଇଲାକାର କେତେକ ସ୍ଥାନରେ ଟ୍ରାପ୍‌ କ୍ୟାମେରା  ଲଗାଇବା ସହ ଆବଶ୍ୟକ ସ୍ଥଳେ ଡ୍ରୋନ୍‌ ବୁଲାଇ  ଲୋକଙ୍କ କଥାର ବାସ୍ତବତା କେତେ ତାବା ପରୀକ୍ଷା  କରାଯିବ ବୋଲି ଡିଏଫ୍‌ଓ ସ୍ପଷ୍ଟ କରିଛନ୍ତି ।