ନୂଆଦିଲ୍ଲୀ ୦୫/୦୮: ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍ ସେନାରେ ମହିଳାଙ୍କ ଭାଗିଦାରୀ ଦ୍ରୁତ ବଢ଼ିଛି । ଗତ ସାଢ଼େ ୩ ବର୍ଷରେ ସେନାରେ ମହିଳାଙ୍କ ସଂଖ୍ୟା ବଢ଼ି ୧ ଲକ୍ଷ ହୋଇଛି । ବର୍ତ୍ତମାନ ୟୁକ୍ରେନ୍ ସେନାରେ ମୋଟ୍ ୧୦ ଲକ୍ଷ ସୈନ୍ୟ ଅଛନ୍ତି । ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେବା ପରଠୁ ସେନାରେ ଯୋଗ ଦେବାକୁ ମହିଳା ସ୍ୱତଃ ଆଗେଇ ଆସୁଛନ୍ତି । ସଶସ୍ତ୍ର ବାହିନୀର ପରାମର୍ଶଦାତା ଓକସାନା ଗ୍ରିଗୋରିଏଭା କହନ୍ତି, ରୁଷ୍ ବିରୋଧରେ ଏବେ ୫,୫୦୦ ମହିଳା ସକ୍ରିୟ ମୋର୍ଚ୍ଚାରେ ସାମିଲ ହୋଇଛନ୍ତି । ଏମାନେ ଡ୍ରୋନ୍ଠୁ ଆରମ୍ଭ କରି ଯୁଦ୍ଧରେ ତୋପ ମଧ୍ୟ ସମ୍ଭାଳୁଛନ୍ତି । ଏଥିସହ, ଚିକିତ୍ସା କ୍ଷେତ୍ରରେ ସହଯୋଗ, ଫ୍ରଣ୍ଟ୍ଲାଇନ୍ ଟ୍ରାନ୍ସପୋର୍ଟ ଭଳି ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି ।
୨୦୨୨ରେ ରୁଷ୍ର ଆକ୍ରମଣ ପୂର୍ବରୁ ୟୁକ୍ରେନ୍ ସେନାରେ ୧୫ ପ୍ରତିଶତ ମହିଳା ଥିଲେ । ଏବେ ଏମାନଙ୍କ ସଂଖ୍ୟା ଦୁଇଗୁଣ ହୋଇଛି । ଗ୍ରିଗୋରିଏଭା କହିଛନ୍ତି, ସୈନିକ ସ୍କୁଲ ଓ କଲେଜରେ ଏବେ ୨୦ ପ୍ରତିଶତ ଛାତ୍ରୀ ଅଛନ୍ତି ଯାହା ଏକ ବଡ଼ ପରିବର୍ତ୍ତନ । ପୂର୍ବତନ ପେସାଦାର ହେପ୍ଟାଥଲେଟ୍ ଅଲୀନା ଶୁଖ୍ ପ୍ରଥମେ ପ୍ରତିଷ୍ଠିତ ଅଜୋଭ ବ୍ରିଗେଡ୍ରେ ଭର୍ତ୍ତି ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ କୁହାଗଲା ଯେ ତାଙ୍କ ପାଇଁ କୌଣସି ପଦବୀ ନାହିଁ । ଏହା ପରେ ସେ ଖର୍ଟିୟା ବ୍ରିଗେଡ୍ରେ ସାମିଲ ହେଲେ ।

ଶୁଖ୍ କହନ୍ତି, ଉକ୍ତ ବ୍ରିଗେଡ୍ରେ ଅଧିକାଂଶ ପୁରୁଷ ସୈନ୍ୟଙ୍କଠୁ ସେ ଅଧିକ ମଜଭୁତ । ତୋପଖାନା କମାଣ୍ଡର ଓଲ୍ହା ବିହାର କହିଛନ୍ତି, ଟେକ୍ନୋଲୋଜି ଯୁଦ୍ଧକୁ ବଦଳାଉଛି । ଡ୍ରୋନ୍ ପାଇଲଟ୍ ଏଣିକି ସବୁଠୁ ଭଲ ସୈନ୍ୟ ହୋଇପାରେ । ସେ ଦିନେ ରକ୍ଷା ମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ଇନ୍ଭିଜିବଲ୍ ବାଟାଲିଅନ୍ର ଏକ ରିସର୍ଚ୍ଚ ପ୍ରୋଜେକ୍ଟରେ ସାହାଯ୍ୟ କରୁଥିବା ମାରିଆ ବଲିଁସ୍କା ରୁଷ୍ର ପ୍ରାରମ୍ଭିକ ଆକ୍ରମଣ ପରଠୁ ମହିଳାଙ୍କ ପାଇଁ ଅଧିକ ଭୂମିକାର ମାର୍ଗ ଖୋଲିବାକୁ ଚେଷ୍ଟା କରୁଛନ୍ତି । ସେ କହନ୍ତି, ଏହି ଯୁଦ୍ଧ ବୈଷୟିକ ପ୍ରଗତି ଓ ମହିଳାଙ୍କ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିଛି ।