ବାସ୍ତବରେ ଫ୍ରିବିଜ୍‌ ଓ ଜନହିତକାରୀ ଯୋଜନା  ମଧ୍ୟରେ ପ୍ରାର୍ଥକ୍ୟ ବହୁତ କମ୍‌ । ଏଣୁ ସରକାର  ଫ୍ରିବିଜ୍‌ ଅପେକ୍ଷା ବାସହୀନକୁ ଗୃହ ଏବଂ  ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ମାଗଣା ଯୋଗାଇ  ଦିଅନ୍ତୁ । ଅତ୍ୟାବଶ୍ୟକ ସାମଗ୍ରୀ, ସେବା ସୁଲଭ  ମୂଲ୍ୟରେ ଦିଅନ୍ତୁ । ଦରଦାମ୍‌ ନିୟନ୍ତ୍ରଣ କରନ୍ତୁ,  ଆଉ ଫ୍ରିବିଜ୍‌ ଦରକାର ହେବନାହିଁ ।

ନିକଟରେ ଭାରତର ସହରାଞ୍ଚଳରେ ବାସହୀନ  ଲୋକଙ୍କୁ ଆଶ୍ରୟ ଅଧିକାର ପ୍ରଦାନ ସମ୍ପର୍କରେ  ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର (ପିଆଇଏଲ୍‌)  ଶୁଣାଣି କରି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ଏ.ଜି.  ମସିହ କହିଛନ୍ତି ଯେ, ନିର୍ବାଚନ ଆସିଗଲେ ରାଜନୈତିକ  ଦଳଗୁଡ଼ିକ ଲୋକଙ୍କୁ ମାଗଣା ସାମଗ୍ରୀ ଓ ସୁବିଧା  ପ୍ରଦାନର (ଫ୍ରିବିଜ୍‌) ପ୍ରତିଶ୍ରୁତିରେ ପୋତି ଦେଉଛନ୍ତି ।  ମାଗଣାରେ ରାସନ ଓ ଟଙ୍କା ମିଳିଯାଉଥିବାରୁ ଲୋକେ  କାର୍ଯ୍ୟକରି ଅର୍ଥ ଉପାର୍ଜନ କରିବାକୁ ଆଗ୍ରହ ପ୍ରକାଶ  କରୁନାହାନ୍ତି । ଦେଶର ବିକାଶରେ ଯୋଗଦାନ ଦେଇ  ସମାଜର ମୁଖ୍ୟସ୍ରୋତର ଅଂଶ ହେବାପାଇଁ ସେମାନଙ୍କୁ  ପ୍ରୋତ୍ସାହିତ କରିବା ପରିବର୍ତ୍ତେ, ଫ୍ରିବିଜ୍‌ ଦେଇ ଆମେ  କ'ଣ ପରଜୀବୀମାନଙ୍କର ଏକ ଶ୍ରେଣୀ ସୃଷ୍ଟି କରୁନାହୁଁ  ବୋଲି ଖଣ୍ଡପୀଠ ଓଲଟା ପ୍ରଶ୍ନ ପଚାରିଥିଲେ । ଏହି  ଫ୍ରିବିଜ୍‌ ସଂସ୍କୃତି ଲୋକଙ୍କୁ ଏକପ୍ରକାର ପଙ୍ଗୁ, ଅକର୍ମା  କରିଦେଉଛି ବୋଲି କହି ଜଷ୍ଟିସ୍‌ ଗଭାଇ ମହାରାଷ୍ଟ୍ରରେ  ‘ଲଡକି ବାହିନୀ' ଯୋଜନା ସହିତ କିଛି ରାଜ୍ୟର  ଏହିପରି ଯୋଜନାର ଉଦାହରଣ ଦେଇଛନ୍ତି । ‘ଲଡକି  ବାହିନୀ' ଯୋଜନା ଅଧୀନରେ ୨୧-୬୫ବର୍ଷ ବୟସର  ମହିଳାମାନେ ଯେଉଁମାନଙ୍କର ବାର୍ଷିକ ପରିବାର ଆୟ  ୨.୫ ଲକ୍ଷ ଟଙ୍କାରୁ କମ୍‌ ସେମାନଙ୍କୁ ମାସିକ ୧୫୦୦  ଟଙ୍କା ମିଳିଥାଏ । ଆବେଦନକାରୀଙ୍କ ପକ୍ଷରୁ ମାମଲା  ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ  କହିଲେ, ଦେଶରେ ପ୍ରାୟ ଏଭଳି କେହି ନଥିବେ, ଯିଏ  କାମ ପାଇ କାମ କରିବାକୁ ଚାହୁଁନଥିବେ । ତାଙ୍କ ଯୁକ୍ତିକୁ  ଖଣ୍ଡନ କରି ବିଚାରପତି ଗଭାଇ ଉଦାହରଣ ଦେଇ  କହିଲେ, ନିକଟ ଅତୀତରେ ହୋଇଥିବା ମହାରାଷ୍ଟ୍ର  ନିର୍ବାଚନ ବେଳେ ଫ୍ରିବିଜ୍‌ ଯୋଗୁଁ ମହାରାଷ୍ଟ୍ରର ଶ୍ରମିକ  କାର୍ଯ୍ୟ କରିବାକୁ ଆଗ୍ରହ ନଦେଖାଇବାରୁ କୃଷକମାନେ  କାମ କରାଇବା ପାଇଁ ଲୋକ ପାଇନଥିଲେ । ଆମ  ମତରେ, ଫ୍ରିବିଜ୍‌ ସଂପୂର୍ଣ୍ଣ ଖରାପ କହିହେବନି, କିନ୍ତୁ  ଏହା ରାଜନୈତିକ ସ୍ୱାର୍ଥପାଇଁ ପ୍ରଦାନ କରିବା ଉଚିତ ।  

ଫ୍ରିବିଜ୍‌ ନଦେଲେ କିଛି ଅସୁବିଧା ନାହିଁ, କିନ୍ତୁ ଗରିବଙ୍କ  ପାଇଁ ଅଧିକ ସହାୟତାର ଆବଶ୍ୟକତା ରହିଛି । ପୁନଶ୍ଚ  ସମାଜର ସବୁ ଶ୍ରେଣୀର ଲୋକଙ୍କୁ ମୁଖ୍ୟସ୍ରୋତରେ  ସାମିଲ କରିବା ପାଇଁ ପ୍ରୟାସ ହେବା ଉଚିତ୍‌ । ଫ୍ରିବିଜ୍‌ କହିଲେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା  ଭୋଟରମାନଙ୍କୁ ମାଗଣାରେ ସାମଗ୍ରୀ କିମ୍ବା ସେବା ପ୍ରଦାନ  କରିବାର ଅଭ୍ୟାସକୁ ବୁଝାଏ । ପ୍ରାୟତଃ ନିର୍ବାଚନ ପ୍ରଚାର  ସମୟରେ ସରକାର ଭୋଟରମାନଙ୍କର ସମର୍ଥନ ହାସଲ  କରିବା ପାଇଁ କୌଣସି ଦୀର୍ଘକାଳୀନ ଲାଭ ହେଉନଥିବା  ବିଭିନ୍ନ ଜିନିଷ, ହାଣ୍ଡଆଉଟ୍‌, ସୁବିଧା ଯଥା- ମାଗଣା  ସାଇକେଲ, ଲାପଟପ୍‌, ସ୍ମାର୍ଟଫୋନ୍‌, ଟିଭି ସେଟ୍‌, ପାଣି  ଏବଂ ବିଦ୍ୟୁତ୍‌ ବିଲ୍‌ ଛାଡ଼, ପରିବହନ ସୁବିଧା ଇତ୍ୟାଦି  ପ୍ରଦାନ କରନ୍ତି, ଯାହା ନିର୍ବାଚନୀ ପ୍ରୋତ୍ସାହନ ଭାବରେ  ବ୍ୟବହୃତ ହୁଏ । କୌଣସି ଯୋଜନା ନାମରେ କିଛି ନିର୍ଦ୍ଦିଷ୍ଟ  ଶ୍ରେଣୀର ଭୋଟର ବା ମହିଳାଙ୍କୁ ଆର୍ଥିକ ରାଶି ପ୍ରଦାନ  କରିବା ମଧ୍ୟ ଫ୍ରିବିଜ୍‌ ହିସାବରେ ବିଚାର କରାଯାଏ ।  କିଛି ନିର୍ବାଚନ ପୂର୍ବରୁ ଘୋଷଣା କରାଯାଏ ବା ଦିଆଯାଏ  ବା ନିର୍ବାଚନରେ ଜିତିବା ପରେ ଯେଉଁ ଦଳ ପ୍ରତିଶ୍ରୁତି  ଦେଇଥାଏ ତାହା କ୍ଷମତା ହାସଲ ପରେ ଦେଇଥାଏ ।  ମାଗଣାରେ କୌଣସି ଜିନିଷ ବା ସେବା ପ୍ରାୟତଃ  ସାମୟିକ ରିଲିଫ୍‌ ପ୍ରଦାନ କରିଥାଏ । 

ସମାଲୋଚକମାନେ  ଯୁକ୍ତି କରନ୍ତି ଯେ, ଫ୍ରିବିଜ୍‌ ବିତ୍ତୀୟ ସ୍ୱାସ୍ଥ୍ୟ ବିଗାଡ଼ିପାରେ,  ବଜାରତନ୍ତ୍ରକୁ ବିକୃତ କରିପାରେ ଏବଂ ଉତ୍ପାଦକଭିତ୍ତିକ  ଆର୍ଥିକ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିପାରେ, କାରଣ  ସେଗୁଡ଼ିକ ପ୍ରାୟତଃ ଦୀର୍ଘକାଳୀନ ଭାବରେ ସ୍ଥାୟୀ  ହୁଏନାହିଁ । ଉଲ୍ଲେଖଯୋଗ୍ୟ ଯେ, ୧୨ ଅଗଷ୍ଟ ୨୦୧୩ରେ  ନିର୍ବାଚନ କମିଶନ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ  ଦଳର ପ୍ରତିନିଧିମାନଙ୍କୁ ନିର୍ବାଚନ ଇସ୍ତାହାରରେ ଘୋଷଣା  କରାଯାଇଥିବା ଫ୍ରିବିଜ୍‌ ବା ମାଗଣା ଉପହାର ଉପରେ  ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କହିଥିଲେ । ରାଜନୈତିକ  ଦଳର ନେତାମାନେ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ  କରି ଯୁକ୍ତି କରିଥିଲେ ଯେ, ଏହା ସେମାନଙ୍କ ଅଧିକାରର  ଉଲ୍ଲଂଘନ ହେବ । ଆର୍ଥିକ ସ୍ଥିତି ବା ବିତ୍ତୀୟ ସ୍ଥିତି ଫ୍ରିବିଜ୍‌ ଯୋଗୁଁ ବିଗିଡ଼ି  ଯାଏନା । ବରଂ ଟିକସ ଆଶାନୁରୂପ ଆଦାୟ ନହେବା,  ଟିକସ ଫାଙ୍କି ବ୍ୟାପକ ହେବା ଯୋଗୁଁ ବିଗିଡ଼ି ଯାଇଥାଏ ।  ଆମ ଦେଶରେ ଜିଡିପି ଅନୁସାରେ ଟିକସ ଆଦାୟ  ହାର କେନ୍ଦ୍ର ଓ ରାଜ୍ୟ ମିଶିକି ୧୭% ହୋଇଥିଲାବେଳେ  ଓଇସିଡି ଦେଶରେ ୩୫% । 

୨୦୨୩-୨୪ ସୁଦ୍ଧା  ୩୧.୧ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଅନାଦେୟ  ହୋଇ ରହିଛି । ୨୦୧୯-୨୦ରେ କର୍ପୋରେଟ ଟିକସ ହ୍ରାସ  ଯୋଗୁଁ ସେହିବର୍ଷ ସରକାର ୧.୪୫ଲକ୍ଷ କୋଟି ଟଙ୍କା  ଟିକସ ହରାଇଥିଲେ । ଯାହା ପ୍ରତିବର୍ଷ ବୃଦ୍ଧିପାଉଛି ଏବଂ  ୨୦୨୩-୨୪ରେ ଏହା ୧.୮୭ଲକ୍ଷ କୋଟି ଟଙ୍କା ହୋଇଛି ।  ପୁନଶ୍ଚ ଶାରୀରିକ ପରିଶ୍ରମ କରିବାକୁ ଲୋକେ ଆଗ୍ରହ  ନକରିବାର ଏକ ବଡ଼ କାରଣ ହେଲା, ଶାରୀରିକ ଶ୍ରମର  କୌଣସି ମର୍ଯ୍ୟାଦା ନରହିବା । ଅନ୍ୟ କାରଣଗୁଡ଼ିକ  ହେଲା, ଶାରୀରିକ ପରିଶ୍ରମ କରୁଥିବା ଲୋକକୁ ସମ୍ମାନ  ନମିଳିବା ଏବଂ ଶାରୀରିକ କାର୍ଯ୍ୟକୁ ସମାଜ ନିକୃଷ୍ଟ କାର୍ଯ୍ୟ  ଭାବେ ବିଚାର କରିବା ଓ ଆବଶ୍ୟକ ପାରିଶ୍ରମିକ ସର୍ବଦା  ନମିଳିବା । ଯାହାଫଳରେ ଲୋକ ଚାଷବାସ ଛାଡ଼ି ପିଅନ  ହେବାକୁ ଚାହୁଁଛନ୍ତି । ଗୋଟିଏ ରୋଗୀର ସେବା କରିବାରେ  ଏକ ନର୍ସର ଭୂମିକା ଅନସ୍ୱୀକାର୍ଯ୍ୟ, କିନ୍ତୁ ନର୍ସକୁ କ’ଣ  ଆଶାନୁରୂପ ମଜୁରି ମିଳୁଛି । ଆବଶ୍ୟକ ବେଳେ ପ୍ଲମ୍ବର ବା  ପାଣିମିସ୍ତ୍ରୀ, ଝାଡୁଦାର, ଇଲେକ୍ଟ୍ରିସିଆନ୍‌ ଗୋଟିଏ ମିନିଟ୍‌  ଡେରି କଲେ ସବୁ ଅଚଳ, କିନ୍ତୁ ତାଙ୍କୁ କ’ଣ ସମ୍ମାନ  ମିଳୁଛି । 

ଏଣୁ କେତେଜଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସରକାରଙ୍କ  ମାଗଣା ସୁବିଧାର ଦୁରୁପଯୋଗ କଲେ ମଧ୍ୟ ଅସହାୟ,  ଗରିବ, ବୟସ୍କ, ମହିଳା ଶ୍ରେଣୀର ଲୋକଙ୍କ ଉନ୍ନତି  ନିମନ୍ତେ ସରକାରଙ୍କ ସହାୟତାର ଆବଶ୍ୟକତା ରହିଛି । ଏହା ମହିଳା, ରୋଗୀ, ଦିବ୍ୟାଙ୍ଗ, ଅକର୍ମଣ୍ୟ, ଶାରୀରିକ  ଭାବେ ଦୁର୍ବଳ ଲୋକଙ୍କୁ ମାଗଣାରେ ମିଳୁ । କିନ୍ତୁ ଅନ୍ୟ  ଗରିବ ଶ୍ରେଣୀ ଲୋକଙ୍କୁ ମିଳୁ, କିନ୍ତୁ ତାହା ମନରେଗା  ପରି କାର୍ଯ୍ୟ ସହିତ ଜଡ଼ିତ ହେଉ । କିନ୍ତୁ ଏହି ଫ୍ରିବିଜ୍‌ ମୂଲ୍ୟହୀନ କହିବା ଅନୁଚିତ । ଏହା ଦେଶର ସମ୍ବଳର  ସୁଷମ ବଣ୍ଟନରେ ସହାୟକ ହୋଇଥାଏ । ଏହା ଅନୁନ୍ନତ  ଓ ଗରିବ ଲୋକଙ୍କ ଆର୍ଥିକ କ୍ରୟଶକ୍ତି ବୃଦ୍ଧି କରାଇବାରେ  ସହାୟକ ହେଉଛି । ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାର ୨୦୨୨  ରିପୋର୍ଟରେ ମାଗଣା(ଫ୍ରିବିଜ୍‌)କୁ "ମାଗଣାରେ ପ୍ରଦାନ  କରାଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ’ ଭାବରେ  ବିବେଚନା କରିଛି । କିଛି ମାଗଣା ପାଇବାରୁ ଲୋକେ ତାଙ୍କ  ଉପାର୍ଜିତ ଅର୍ଥକୁ ଅନ୍ୟ କେଉଁ କ୍ଷେତ୍ରରେ ବିଶେଷକରି  ଶିକ୍ଷା ଓ ସ୍ୱାସ୍ଥ୍ୟରେ ବ୍ୟୟ କରୁଛନ୍ତି । କିନ୍ତୁ ଫ୍ରିବିଜ୍‌ ଯେପରି  ଜନତାଙ୍କ ସ୍ୱାର୍ଥ ଅପେକ୍ଷା ରାଜନୈତିକ ଦଳଙ୍କ ସ୍ୱାର୍ଥ ପାଇଁ  ଦିଆଯାଉଛି ତାହା ବନ୍ଦ ହେବା ଉଚିତ । 

ବାସ୍ତବରେ ଫ୍ରିବିଜ୍‌ ଓ ଜନହିତକାରୀ ଯୋଜନା  ମଧ୍ୟରେ ପ୍ରାର୍ଥକ୍ୟ ବହୁତ କମ୍‌ । ଏଣୁ ସରକାର ଫ୍ରିବିଜ୍‌  ଅପେକ୍ଷା ବାସହୀନକୁ ଗୃହ ଏବଂ ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ  ମାଗଣା ଯୋଗାଇ ଦିଅନ୍ତୁ । ଅତ୍ୟାବଶ୍ୟକ ସାମଗ୍ରୀ, ସେବା  ସୁଲଭ ମୂଲ୍ୟରେ ଦିଅନ୍ତୁ । ଦରଦାମ୍‌ ନିୟନ୍ତ୍ରଣ କରନ୍ତୁ,  ଆଉ ଫ୍ରିବିଜ୍‌ ଦରକାର ହେବନାହିଁ । କିନ୍ତୁ ଶିକ୍ଷା, ସ୍ୱାସ୍ଥ୍ୟ  କ୍ଷେତ୍ରର ବ୍ୟାପକ ଘରୋଇକରଣ ସାଙ୍ଗକୁ ସରକାର  ସେହିସବୁ କାର୍ଯ୍ୟରୁ କ୍ରମଶଃ ଓହରି ଆସିବାରୁ, ଉଭୟ  କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେତିକି ଅର୍ଥ ସଞ୍ଚୟ  କରୁଛନ୍ତି ତାହାଠାରୁ ବହୁତ କମ୍‌ ଫ୍ରିବିଜ୍‌ ବାବଦରେ  ବ୍ୟୟ କରି ରାଜନୈତିକ ଫାଇଦା ପାଉଛନ୍ତି, ଯାହା  ଲୋକେ ବୁଝିପାରୁ ନାହାଁନ୍ତି । ପୁନଶ୍ଚ ଫ୍ରିବିଜ୍‌ ବାବଦରେ  ଯେଉଁ ବ୍ୟୟ କରୁଛନ୍ତି ତାହା ସେହି ଗରିବ ଓ ସାଧାରଣ  ଜନତାଙ୍କଠାରୁ ପରୋକ୍ଷ କର ବିଶେଷକରି ଭାଟ୍‌,  ଜିଏସ୍‌ଟି ଓ ପେଟ୍ରୋଲିୟମ ସାମଗ୍ରୀ ଉପରେ ଅବକାରୀ  ଶୁଳ୍କ ଧାର୍ଯ୍ୟ କରି ସରକାର ଆଦାୟ କରୁଛନ୍ତି । 

ଆୟ  ଅନୁସାରେ ଗରିବ ଧନୀଙ୍କଠାରୁ ବହୁଗୁଣ ଅଧିକ ଜିଏସ୍‌ଟି  ଦେଇଥାଏ । ଏକ ଅକ୍ସଫାମ୍‌ ରିପୋର୍ଟ ଅନୁଯାୟୀ, ମୋଟ୍‌  ଜିଏସ୍‌ଟିର ଦୁଇ-ତୃତୀୟାଂଶ (୬୪.୩%) ଜନସଂଖ୍ୟାର  ତଳ ୫୦%ଙ୍କ ଠାରୁ, ଏକ-ତୃତୀୟାଂଶ ମଧ୍ୟମ ୪୦%ଙ୍କ  ଠାରୁ ଆସିଲାବେଳେ ମାତ୍ର ୩ରୁ ୪% ଦେଶର ସବୁଠାରୁ  ଧନୀ ୧୦% ଲୋକଙ୍କ ଠାରୁ ଆସୁଛି । ଅର୍ଥାତ୍‌ ଗରିବଙ୍କ  ଉପରେ ଟିକସର ବୋଝ ପଡ଼ିଲାବେଳେ ସମ୍ବଳର ସୁଷମ  ବଣ୍ଟନ ହୋଇପାରୁନି । ୨୨ ଫେବ୍ରୁଆରୀ ୨୦୨୫ରେ ଏକ  ଭେଞ୍ଚର କ୍ୟାପିଟାଲ କମ୍ପାନୀ ବ୍ଲୁମ୍‌ ଭେଞ୍ଚର୍ସ ଦ୍ୱାରା ପ୍ରକାଶିତ  "ଇଣ୍ଡୁସ ଭ୍ୟାଲି ବାର୍ଷିକ ରିପୋର୍ଟ ୨୦୨୫' ଅନୁଯାୟୀ,  ଭାରତର ୧୪୦କୋଟି ଲୋକଙ୍କ ମଧ୍ୟରୁ ୧୦୦କୋଟି  ଲୋକଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ କୌଣସି ଇଚ୍ଛାଧୀନ  ଆୟ ନାହିଁ । ଅପରପକ୍ଷରେ କେବଳ ଶୀର୍ଷ ୧୦%  ଲୋକଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଯଥେଷ୍ଟ ଇଚ୍ଛାଧୀନ  ଅର୍ଥ ଅଛି । ଫାର୍ମ ଉଲ୍ଲେଖ କରିଛି ଯେ, ଭାରତର  କେବଳ ଶୀର୍ଷ ୧୦% ଲୋକ ଅର୍ଥନୈତିକ ଅଭିବୃଦ୍ଧି ଏବଂ  କଞ୍ଜମ୍‌ସନକୁ ଚାଳିତ କରନ୍ତି ।

ଗରିବଙ୍କ ପାଇଁ ଅଧିକ ସହାୟତାର ଆବଶ୍ୟକତା  ରହିଛି, କାରଣ ସରକାରଙ୍କ ନୀତି ଯୋଗୁଁ ବୈଷମ୍ୟ  ବୃଦ୍ଧିପାଇଛି । ୨୦ ଜାନୁଆରୀ ୨୦୨୫ରେ ଅକ୍ସଫାମ ଦ୍ୱାରା  ପ୍ରକାଶିତ "ଟେକର୍ସ ନଟ୍‌ ମେକର୍ସ' ନାମକ ରିପୋର୍ଟରେ  ଉଲ୍ଲେଖ କରାଯାଇଛି ଯେ, ଅଧିକାଂଶ ନିଜ ପ୍ରଚେଷ୍ଟା ଓ  ପ୍ରତିଭା ଯୋଗୁଁ ଧନୀ ବା ଅରବପତି ହୋଇନାହାଁନ୍ତି,  ବରଂ ସେମାନଙ୍କ ସମ୍ପଦର ୬୦% ଉତ୍ତରାଧିକାର  ସୂତ୍ରରୁ, କ୍ରୋନିଜିମ ବା ସମ୍ପର୍କବାଦ, ଏକଚାଟିଆ କ୍ଷମତା  ଏବଂ ଦୁର୍ନୀତି ଯୋଗୁଁ ଆସିଛି । ଆମର ଗଭୀର ଅସମାନ  ବିଶ୍ୱର ଉପନିବେଶବାଦୀ ଆଧିପତ୍ୟର ଏକ ଲମ୍ବା  ଇତିହାସ ରହିଛି, ଯାହା ଧନୀ ଲୋକଙ୍କୁ ବହୁଳ ଭାବରେ  ଲାଭ ଦେଇଛି । ଗରିବ, ମହିଳା ଓ ଦୁର୍ବଳ ଶ୍ରେଣୀର  ଲୋକ ଏବେବି ଶୋଷଣର ଶିକାର ହେଉଛନ୍ତି ।  

ଭାରତରେ ବିଲୟେନେୟାରଙ୍କ ସଂଖ୍ୟା ୨୭୩ । ଗତବର୍ଷ  ୯୨ଜଣ ଯୋଡ଼ି ହୋଇଛନ୍ତି । ଷ୍ଟକ୍‌ ବଜାର ବୃଦ୍ଧି ଯୋଗୁଁ  ୨୦୨୪ ମସିହାରେ ଭାରତର ୧୦୦ଜଣ ଅରବପତିଙ୍କ  ସାମୂହିକ ସମ୍ପତ୍ତି ୩୦୦ ବିଲିୟନ ଡଲାରରୁ ଅଧିକ  ବୃଦ୍ଧିପାଇ ୧.୧ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା ।  ସବୁ ସରକାରଙ୍କ ନୀତି ଯୋଗୁଁ ଭାରତରେ ଗରିବଙ୍କ  ସମ୍ପଦ ହ୍ରାସ ପାଇଲାବେଳେ ରାଷ୍ଟ୍ରର ସମ୍ପଦ ଧନୀଙ୍କ  ହାତକୁ ଚାଲିଯାଉଛି । ୧%ଙ୍କ ହାତରେ ଜାତୀୟ ଆୟର  ୨୧.୮% ରହିଛି । ଆୟ ବୈଷମ୍ୟ ବ୍ରିଟିଶରାଜ ଠାରୁ  ଅଧିକ । ଏଣୁ ଫ୍ରିବିଜ୍‌କୁ ବିରୋଧ କରାଗଲାବେଳେ  ଯେଉଁ ସବୁ କାରଣ ଯୋଗୁଁ ଧନୀ ଅଧିକ ଧନୀ ହେଉଛି  ଏବଂ ସମ୍ବଳର ସୁଷମ ବଣ୍ଟନ ହେଉନି ତାହା ପ୍ରତି  ଧ୍ୟାନଦେବା ଉଚିତ୍‌ । ଏକଥା ସତ୍ୟ ଯେ, ଫ୍ରିବିଜ୍‌କୁ  ନେଇ ସୁପ୍ରିମକୋର୍ଟର ବିଚାରପଟି ଦେଇଥିବା ରାୟକୁ  ରାଜନୈତିକ ଦଳଗୁଡ଼ିକ ସମୀକ୍ଷା କରିବା ଉଚିତ ।  କିନ୍ତୁ ଫ୍ରିବିଜ୍‌ ପାଉଥିବା ଲୋକକୁ ପରଜୀବୀ ବୋଲି  କହିବା ଅନୁଚିତ ।