ଝରୀଗାଁ, ୨୮/୫ : ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲା ନି ଆମ୍ବୁଲାନ୍ସ । ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଗର୍ଭବତୀ ମହିଳାଙ୍କୁ ଦେଢ କିଲୋମିଟର ଖଟିଆରେ ବୁହା ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ଡୁମୁନିଗୁଡା ଗାଁରେ ।
ଡୁମୁନିଗୁଡା ଗାଁର ଚକ୍ରଧର ଜାନିଙ୍କ ସ୍ତ୍ରୀ ବିମଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଗାଡ଼ି ଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ନ ଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରି ଗାଁଠାରୁ ଦେଢ କିଲୋମିଟର ଦୂରରେ ଅଟକି ରହିଥିଲା। ଫଳରେ ପରିବାର ଲୋକେ ଏବଂ ଗ୍ରାମବାସୀ ଏକ ଖଟରେ ଭାର କରି ଦେଢ କିଲୋମିଟର ବାଟ କର୍ଲାପଡ଼ା ଗାଁ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ପରେ କର୍ଲାପଡ଼ା ଗାଁଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିବା ବେଳେ ବାଟରେ ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ।
ତେବେ ବର୍ତ୍ତମାନ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ମା’ ସୁସ୍ଥ ଥିବାବେଳେ ବାଟରେ ମୃତ ଶିଶୁପୁତ୍ର ଜନ୍ମ ହୋଇଥିବା କହିଛନ୍ତି ଡାକ୍ତର । ତେବେ ଝରିଗାଁ ବ୍ଲକରେ ଏପରି ବାରମ୍ବାର ଜନନୀ ଯନ୍ତ୍ରଣା ଦୃଶ୍ୟ ଦେଖିବାକୁ ମିଳୁଛି । ଏବେ ବି ବ୍ଲକର କେତେକ ଗାଁରେ ଗମନାଗମନ ପାଇଁ ରାସ୍ତା ସଂଯୋଗ ନ ଥିବାରୁ ଜୀବନ ମରଣ ସମସ୍ୟା ଭିତରେ ରହୁଛନ୍ତି ଗ୍ରାମବାସୀ । ବିଶେଷ କରି ରାସ୍ତାଘାଟ ଅବସ୍ଥା ଶୋଚନୀୟ ଥିବାରୁ ଗର୍ଭବତୀଙ୍କୁ ସୁବିଧାରେ ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନା ଆଣିବାରେ ଅସୁବିଧା ହେଉଥିବା ହେଉଥିବାବେଳେ ବାରମ୍ବାର ଏହିଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି।