ନୂଆଦିଲ୍ଲୀ ୧୩/୦୪: ଆଶା ଭୋସଲେଙ୍କ ସ୍ୱରକୁ ଖରାପ ଦର୍ଶାଇ ଏକଦା କିଶୋର କୁମାରଙ୍କ ସହ ତାଙ୍କୁ ରେକର୍ଡିଂ ଷ୍ଟୁଡିଓରୁ ବାହାର କରାଯାଇଥିଲା । ଏହା ୧୯୪୭ର କଥା । କିଶୋର କୁମାରଙ୍କ ସହିତ ଆଶା ଏକ ପ୍ରସିଦ୍ଧ ଷ୍ଟୁଡିଓରେ ରାଜ କପୁର ଏବଂ ନର୍ଗିସଙ୍କ ଅଭିନୀତ ଫିଲ୍ମ ‘ଜାନ ପହଚାନ’ ଲାଗି ଗୀତ ରେକର୍ଡିଂ କରିବାକୁ ଯାଇଥିଲେ । ତାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଖେମଚନ୍ଦ ପ୍ରକାଶ । ସେତେବେଳେ ଷ୍ଟୁଡିଓରେ ସେଭଳି କିଛି ଖାସ୍ ସୁବିଧା ରହୁନଥିଲା । ଗୋଟିଏ ମାଇକ୍ ରହୁଥିବାବେଳେ ଗାୟକ/ଗାୟିକାଙ୍କୁ ତା’ଆଗରେ ଛିଡ଼ା ହୋଇ ଗାଇବାକୁ ପଡୁଥିଲା ।

ଆଶା ଏବଂ କିଶୋର ଦା’ ସେଦିନ ଗୀତ ଗାଇବା ଆରମ୍ଭ କରିବା ମାତ୍ରେ ରେକର୍ଡିଷ୍ଟ ରବୀନ ଚାଟାର୍ଜୀ ଧୀର ସ୍ୱରରେ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଉଭୟଙ୍କ ସ୍ୱର ମାଇକ୍‌ରେ ଭଲ ଲାଗୁନାହିଁ କହିଥିଲେ। ଅନ୍ୟ ଗାୟକ/ଗାୟିକା ଆଣନ୍ତୁ ବୋଲି ବଙ୍ଗଳା ଭାଷାରେ କହିଲେ । ନିକଟରେ ଛିଡ଼ା ହୋଇଥିବା କିଶୋର କୁମାର ତାହା ବୁଝିଗଲେ । ସେ ଆଶାଙ୍କୁ ସେଠି କିଛି ଗଡ଼ବଡ଼ ଅଛି ବୋଲି କହିଲେ । କିଛି ସମୟ ପରେ ଗୀତକୁ ଅଧାରୁ ଅଟକାଯାଇ ସେମାନଙ୍କୁ ଷ୍ଟୁଡିଓରୁ ବାହାରିଯିବାକୁ କୁହାଗଲା । ସେତେବେଳକୁ ରାତି ୨ଟା ବାଜି ସାରିଥିଲା । ଉଭୟ ଏଥିଯୋଗୁ ଅପମାନରେ ଜର୍ଜରିତ ହୋଇ ସେଠାରୁ ବାହାରିଯାଇ ମହାଲକ୍ଷ୍ମୀ ଷ୍ଟେସନ ନିକଟରେ ବସିଲେ । ସେମାନଙ୍କର ଭୁଲ୍ କେଉଁଠି ଥିଲା ତାହା ଖୋଜିବାକୁ ଲାଗିଲେ ।

 

୧୯୫୭ ବେଳକୁ ଆଶା ଭୋସଲେ ହିନ୍ଦୀ ସିନେମା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିଲେ । କିଶୋର କୁମାରଙ୍କୁ ମଧ୍ୟ ସଫଳତା ମିଳିସାରିଥିଲା । ଏହାପରେ ଦିନେ ସେମାନଙ୍କୁ ସେହି ଷ୍ଟୁଡିଓରେ ଗୀତ ରେକର୍ଡିଂ କରିବାର ସୁଯୋଗ ମିଳିଲା । ସେତେବେଳେ ରବୀନ ଚାଟାର୍ଜୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଯିଏକି କିଛି ବର୍ଷ ଆଗରୁ ସେମାନଙ୍କୁ ଷ୍ଟୁଡିଓରୁ ବାହାର କରିଥିଲେ । ଆଶା ତାଙ୍କୁ ଦେଖି କିଛି କହିବେ କି ନାହିଁ ସେଥିନେଇ ଦ୍ୱନ୍ଦ୍ୱରେ ଥିଲେ । କିନ୍ତୁ କିଶୋର କୁମାର ଚାଟାର୍ଜୀଙ୍କୁ ସେମାନଙ୍କ ସ୍ୱର ଭଲ ଲାଗୁଛି କି ନାହିଁ ତାହା ପଚାରିଥିଲେ । ଏଥିସହ କାହାକୁ ଏଭଳି ବ୍ୟବହାର ପ୍ରଦର୍ଶନ ନ କରିବାକୁ ପରାମର୍ଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ...‘ଦମ୍ ମାରୋ ଦମ୍’ ବ୍ୟାନ୍, ତଥାପି ପ୍ରଚ୍ଛଦ ଗାୟିକା ସମ୍ମାନ