ଭୁବନେଶ୍ବର, ୧୩।୬ : ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର। ୫୯ ବର୍ଷର ପୁରୁଣା ଆଇନ ବଦଳିବ, ଆସୁଛି ନୂଆ ଆଇନ୍। ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ କରିଛନ୍ତି। କେନ୍ଦ୍ରର ମଡେଲ ଟେନାନ୍ସି ଆକ୍ଟକୁ ଆଧାର କରି ପ୍ରସ୍ତୁତ ଏହି ଚିଠା ଆଇନରେ ଘରମାଲିକ ଓ ଭଡ଼ାଟିଆଙ୍କ ଅଧିକାର, ଦାୟିତ୍ୱ ଓ ବିବାଦ ସମାଧାନ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଘରମାଲିକ-ଭଡ଼ାଟିଆ ବିବାଦର ହେବ ଶୀଘ୍ର ସମାଧାନ । ଏଥିପାଇଁ ଗଠନ ହେବ ସ୍ୱତନ୍ତ୍ର ନ୍ୟାୟାଳୟ। ମୌଖିକ ନୁହେଁ, ଲିଖିତ ଚୁକ୍ତିରେ ହେବ ଘର ଭଡ଼ା।
ଲିଖିତ ଭଡ଼ା ଚୁକ୍ତି ହେବ ବାଧ୍ୟତାମୂଳକ
ଏଣିକି ମୌଖିକ ଚୁକ୍ତିରେ ଘର ଭଡ଼ା ଦେବା କିମ୍ବା ନେବା ସମ୍ଭବ ହେବ ନାହିଁ। ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ତାହାକୁ ଦୁଇ ମାସ ମଧ୍ୟରେ ଭଡ଼ା ପ୍ରାଧିକରଣ ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ।
ଡିଜିଟାଲ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା
ସରକାର ଏକ ଅନଲାଇନ୍ ପୋର୍ଟାଲ୍ ଖୋଲିବେ, ଯେଉଁଠାରେ ସମସ୍ତ ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ। ପ୍ରତ୍ୟେକ ଚୁକ୍ତିକୁ ଏକ ୟୁନିକ୍ ଆଇଡି ନମ୍ବର ମିଳିବ। ଏହା ଦ୍ୱାରା ଭଡ଼ା ସମ୍ପର୍କିତ ବିବାଦରେ ତଥ୍ୟ ଯାଞ୍ଚ ସହଜ ହେବ।
ଘରମାଲିକ ଓ ଭଡ଼ାଟିଆଙ୍କ ଅଧିକାର ସ୍ପଷ୍ଟ
ଆଇନରେ ଉଭୟ ପକ୍ଷର ଅଧିକାର ଓ ଦାୟିତ୍ୱ ସ୍ପଷ୍ଟ କରାଯାଇଛି। ଘରମାଲିକ ଭଡ଼ା ଆଦାୟ କରିବାର ଅଧିକାର ପାଇବେ, ସେହିପରି ଭଡ଼ାଟିଆ ମଧ୍ୟ ଚୁକ୍ତି ଅନୁଯାୟୀ ଘର ବ୍ୟବହାର କରିବାର ଅଧିକାର ପାଇବେ।
ଭଡ଼ା ଦର ନିର୍ଦ୍ଧାରଣରେ ସରକାର କରିବେନି ହସ୍ତକ୍ଷେପ
ଘରଭଡ଼ା ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ସ୍ଥିର ହେବ। ଭଡ଼ା ନିର୍ଦ୍ଧାରଣ ପାଇଁ ସରକାର କୌଣସି ସୀମା ଧାର୍ଯ୍ୟ କରିବେ ନାହିଁ।
ଭଡ଼ା ବୃଦ୍ଧି ପାଇଁ ନିୟମ
ଚୁକ୍ତିରେ ଉଲ୍ଲେଖ ଥିଲେ ଘରମାଲିକ ଭଡ଼ା ବଢ଼ାଇପାରିବେ। ଘରର ଉନ୍ନତିକରଣ, ନୂଆ ନିର୍ମାଣ କିମ୍ବା ଗଠନମୂଳକ ପରିବର୍ତ୍ତନ ପରେ ମଧ୍ୟ ଭଡ଼ା ବୃଦ୍ଧିର ବ୍ୟବସ୍ଥା ରହିଛି।
ଉପ-ଭଡ଼ା (Subletting) ଉପରେ କଡ଼ା କଟକଣା
ଘରମାଲିକଙ୍କ ଲିଖିତ ଅନୁମତି ବିନା ଭଡ଼ାଟିଆ ଘରର କୌଣସି ଅଂଶ କିମ୍ବା ସମ୍ପୂର୍ଣ୍ଣ ଘର ଅନ୍ୟକୁ ଭଡ଼ାରେ ଦେଇପାରିବେ ନାହିଁ। ଏପରି ଚୁକ୍ତି ହେଲେ ତାହା ମଧ୍ୟ ପଞ୍ଜୀକୃତ କରିବାକୁ ପଡ଼ିବ।
ସିକ୍ୟୁରିଟି ଡିପୋଜିଟ୍ ପାଇଁ ବ୍ୟବସ୍ଥା
ଚିଠା ଆଇନରେ ଭଡ଼ା ଚୁକ୍ତି ସମୟରେ ନିଆଯାଉଥିବା ସୁରକ୍ଷା ଜମାରାଶି (Security Deposit) ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି। ଏହାକୁ ନେଇ ଭବିଷ୍ୟତରେ ବିବାଦ କମିବ ବୋଲି ଆଶା କରାଯାଉଛି।
ଘରର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ
କେଉଁ କାମ ଘରମାଲିକ କରିବେ ଏବଂ କେଉଁ କାମ ଭଡ଼ାଟିଆ କରିବେ, ସେନେଇ ସ୍ପଷ୍ଟ ନିୟମ ରହିଛି। ଏହା ମରାମତିକୁ କେନ୍ଦ୍ର କରି ହେଉଥିବା ବିବାଦକୁ କମାଇବ।
ଭଡ଼ା ରସିଦ ଦେବା ବାଧ୍ୟତାମୂଳକ
ଘରମାଲିକଙ୍କୁ ଭଡ଼ା ନେବା ପରେ ଭଡ଼ାଟିଆଙ୍କୁ ରସିଦ ପ୍ରଦାନ କରିବାକୁ ହେବ। ଏହା ଭଡ଼ା ଦେୟକୁ ନେଇ ଭବିଷ୍ୟତ ବିବାଦ ଏଡ଼ାଇବ।
ଭଡ଼ା ପ୍ରାଧିକରଣ ଗଠନ
ପ୍ରତ୍ୟେକ ଅଞ୍ଚଳରେ ଭଡ଼ା ପ୍ରାଧିକରଣ ନିଯୁକ୍ତ ହେବେ। ଭଡ଼ା ଚୁକ୍ତି ପଞ୍ଜୀକରଣ, ଅଭିଯୋଗ ଶୁଣାଣି ଓ ବିବାଦ ସମାଧାନର ପ୍ରଥମ ସ୍ତର ଭାବେ ଏହି ପ୍ରାଧିକରଣ କାର୍ଯ୍ୟ କରିବେ।
ଗଠନ ହେବ ଭଡ଼ା ନ୍ୟାୟାଳୟ ଓ ନ୍ୟାୟାଧିକରଣ
ଭଡ଼ା ସମ୍ବନ୍ଧୀୟ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଭଡ଼ା ନ୍ୟାୟାଳୟ ଓ ଭଡ଼ା ନ୍ୟାୟାଧିକରଣ ଗଠନ ହେବ। ଏହା ଦ୍ୱାରା ବର୍ଷ ବର୍ଷ ଧରି ଅଦାଲତରେ ପଡ଼ି ରହୁଥିବା ମାମଲାର ଶୀଘ୍ର ସମାଧାନ ସମ୍ଭବ ହେବ।
ଘର ଖାଲି ନକଲେ ବଢ଼ିବ ଭଡ଼ା
ଚୁକ୍ତିର ଅବଧି ଶେଷ ପରେ ଭଡ଼ାଟିଆ ଘର ଖାଲି ନକଲେ ତାଙ୍କ ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଏହା ଦ୍ୱାରା ଘରମାଲିକଙ୍କୁ ଘର ଫେରସ୍ତ ପାଇବା ସହଜ ହେବ।
ଉତ୍ତରାଧିକାରୀଙ୍କ ଅଧିକାର ସୁରକ୍ଷିତ
ଘରମାଲିକ କିମ୍ବା ଭଡ଼ାଟିଆଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀମାନେ ଚୁକ୍ତିର ଅବଶିଷ୍ଟ ସମୟ ପାଇଁ ସମାନ ଅଧିକାର ଓ ଦାୟିତ୍ୱ ପାଇବେ।
୧୯୬୭ର ପୁରୁଣା ଆଇନ ରଦ୍ଦ
ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ‘ଓଡ଼ିଶା ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ, ୧୯୬୭’ ଏବଂ ୧୯୭୪ ସଂଶୋଧନ ଆଇନ ରଦ୍ଦ ହୋଇଯିବ। ଦୀର୍ଘ ଦିନ ଧରି ଓଡ଼ିଶାରେ ଭଡ଼ା ବ୍ୟବସ୍ଥା ୧୯୬୭ ଆଇନ ଅନୁସାରେ ଚାଲୁଥିଲା। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଥିବା ଅନିଶ୍ଚିତତା ଦୂର ହେବ, ଖାଲି ପଡ଼ିଥିବା ଘର ବଜାରକୁ ଆସିବ ଏବଂ ଭଡ଼ା ବିବାଦର ତ୍ୱରିତ ସମାଧାନ ପାଇଁ ସ୍ୱତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି ହେବ।
ଆହୁରି ପଢନ୍ତୁ : ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ : ଧର୍ମେନ୍ଦ୍ର ପ୍ରଧାନ