ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ତିନି ଜଣ ମୁଖାପିନ୍ଧା ଅପରାଧୀ ଏକ ବଡ଼ ଡକାୟତି କରିଛନ୍ତି। ଅପରାଧୀମାନେ ବ୍ୟାଙ୍କ ଶାଖାରେ ପ୍ରବେଶ କରି ବନ୍ଧୁକ ଏବଂ ଛୁରୀ ଦେଖାଇ କର୍ମଚାରୀମାନଙ୍କୁ ବନ୍ଧକ ରଖିଥିଲେ। ସେମାନେ ୧ କୋଟି ଟଙ୍କା ଏବଂ ୨୦ କିଲୋ ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି । ଡକାୟତି ପରେ ଅପରାଧୀମାନେ ପଳାଇ ଯାଇଥିଲେ। ଡକାୟତମାନେ ଚାଲିଯିବା ପରେ ବ୍ୟାଙ୍କ କର୍ମଚାରୀ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ ।
ଖବର ପାଇ ପୁଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବିଜୟପୁରା ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ଘଟିଥିଲା । ତିନି ଜଣ ମୁଖାପିନ୍ଧା ବ୍ୟକ୍ତି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଚଡ଼ଚନ୍ ଶାଖାରେ ପ୍ରବେଶ କରି କର୍ମଚାରୀମାନଙ୍କୁ ବନ୍ଧକ କରିଥିଲେ। ବ୍ୟାଙ୍କ ଅଧିକାରୀମାନେ କହିଛନ୍ତି ଯେ, ଡକାୟତମାନେ ନଗଦ ଓ ସୁନା ଅଳଙ୍କାର ମିଶାଇ ୨୧ କୋଟି ଟଙ୍କାରୁ ଅଧିକ ଲୁଟ କରିଛନ୍ତି । ବିଜୟପୁରା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଲକ୍ଷ୍ମଣ ନିମ୍ବାର୍ଗୀ କହିଛନ୍ତି ଯେ, ତଦନ୍ତରୁ ଜଣାପଡ଼ିଛି ଅଭିଯୁକ୍ତମାନେ ନକଲି ନମ୍ବର ପ୍ଲେଟ୍ ଥିବା ଏକ କାର ବ୍ୟବହାର କରିଥିଲେ ଏବଂ ଅପରାଧ ପରେ ମହାରାଷ୍ଟ୍ରର ପଣ୍ଡରପୁରକୁ ପଳାଇ ଯାଇଥିଲେ।
ବ୍ୟାଙ୍କ ପରିଚାଳକଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ବିଜୟପୁରା ଏସପି ଲକ୍ଷ୍ମଣ ନିମ୍ବାର୍ଗୀଙ୍କୁ ଏପରି ଘଟଣା ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ‘କାର୍କୁ ଚିହ୍ନଟ କରାଯାଇଛି। ମୁଁ ବିଜୟପୁରା ଏସପି ସହ କଥା ହୋଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ସମସ୍ତ ଅଧିକାରୀଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।’ ଏପରି ଘଟଣାରେ ଅନ୍ୟ ରାଜ୍ୟର ଅପରାଧୀଙ୍କ ସମ୍ପୃକ୍ତି ଏବଂ ଅଞ୍ଚଳରେ ଡକାୟତିର ସଂଖ୍ୟା ବୃଦ୍ଧି ପାଇବା ବିଷୟରେ ପଚରାଯିବାରୁ, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ‘ମୁଁ ପୁଲିସକୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଏବଂ ଏପରି ଘଟଣା ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି।’
ସେପଟେ ପୁଲିସର କହିବା ଅନୁଯାୟୀ, ଡକାୟତମାନେ ସେନା ପୋଷାକ ସହ ମୁହଁରେ ମୁଖା ପିନ୍ଧିଥିଲେ। ତିନି ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ଅନ୍ୟ ଦୁଇଜଣ ବାହାରେ ଠିଆ ହୋଇଥିଲେ। ସେମାନେ ବ୍ୟାଙ୍କ ମ୍ୟାନେଜର, କ୍ୟାସିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ବନ୍ଧକ କରି ନେଇଥିଲେ । ସେମାନଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ। ତା'ପରେ ଡକାୟତମାନେ ନଗଦ ଏବଂ ସୁନାକୁ ବ୍ୟାଗରେ ଭର୍ତ୍ତି କରି, ବ୍ୟାଙ୍କକୁ ବାହାରୁ ତାଲା ପକାଇ ପଳାଇ ଯାଇଥିଲେ। ଘଟଣା ସମୟରେ ଗୁଳି ମାଡ଼ ମଧ୍ୟ କରିଥିଲେ। ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବନ୍ଦ ଥିଲା ଏବଂ ଗାର୍ଡ ଛୁଟିରେ ଥିଲେ ।
ସୂଚନାଯୋଗ୍ୟ, ଚାରି ମାସ ମଧ୍ୟରେ ଏହା ଜିଲ୍ଲାରେ ଦ୍ୱିତୀୟ ବଡ଼ ବ୍ୟାଙ୍କ ଡକାୟତି । ପୂର୍ବରୁ ମେ ୨୫ ତାରିଖରେ ବିଜୟପୁରା ଜିଲ୍ଲାର ମଙ୍ଗୁଳି ଗାଁରେ ଥିବା ଏକ କାନାଡ଼ା ବ୍ୟାଙ୍କ ଶାଖାରୁ ୫୩ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ୫.୨୦ ଲକ୍ଷ ନଗଦ ଲୁଟ ହୋଇଥିଲା। ଏହି ମାମଲାରେ ପନ୍ଦର ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ତଦନ୍ତରୁ ଜଣାପଡିଲା ଯେ, ପୂର୍ବତନ ବ୍ୟାଙ୍କ ମ୍ୟାନେଜର ବିଜୟକୁମାର ମିରିଆଲା ଏବଂ ତାଙ୍କର ଦୁଇ ସହଯୋଗୀ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ। ସେ ଏକ ଡୁପ୍ଲିକେଟ୍ ଚାବି ପାଇଥିଲେ ଏବଂ ସିସି ଟିଭି ତାର କାଟି ଅପରାଧ ଘଟାଇଥିଲେ।