ମୁମ୍ବାଇ ୧୫/୧୧: ଆଜି ଥିଏଟରକୁ ଆସୁଛି ଏକତା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମେସି, ରାଶି ଖନ୍ନା ଓ ରିଦ୍ଧି ଡୋଗରା । ଫିଲ୍ମର କାହାଣୀ ୨୦୦୨ ମସିହାର ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ । ସେହି ଅଗ୍ନିକାଣ୍ଡର ବାସ୍ତବତାକୁ ଦର୍ଶକଙ୍କୁ ଫିଲ୍ମ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରାଯାଇଛି । ଗୁଜରାଟ ଦଙ୍ଗା ଏଥିରେ ପ୍ରଦର୍ଶିତ ହୋଇଛି । ଟ୍ରେଲର୍‌ରୁ ଫିଲ୍ମର ବିଷୟବସ୍ତୁ ଉପରେ କିଛି ଧାରଣା ଦର୍ଶକଙ୍କର ହୋଇସାରିଛି । 

ଫିଲ୍ମର ଅନ୍ୟତମ ମୁଖ୍ୟ କଳାକାର ରାଶି ଏକ ସାକ୍ଷାତକାରରେ କହିଛନ୍ତି, ସୁଟିଂ ସମୟରେ ଫିଲ୍ମର ଅନେକ ସିନ୍‌ରେ ସେ ଓ ବିକ୍ରାନ୍ତ କାନ୍ଦିଥିଲେ । ଫିଲ୍ମର ଏକ ସିନ୍‌ରେ ଜଳନ୍ତା ଟ୍ରେନ୍‌ରେ ସୁଟିଂ ସମୟରେ ସେ ଖୁବ୍‌ କାନ୍ଦିଥିଲେ । ଅଗ୍ନିକାଣ୍ଡ ଘଟଣାରେ ଆହତ ହୋଇଥିବା ଲୋକେ କିଭଳି ସଂଘର୍ଷ କରିଥିବେ, ସେ କଥା ତାଙ୍କ ମନକୁ ଆସୁଥିଲା । 

ରାଶି କହିଛନ୍ତି, ଗୋଧରା କାଣ୍ଡରେ କ’ଣ ହୋଇଥିଲା, ଅନେକ ଲୋକ ଏହା ଜାଣନ୍ତି ନାହିଁ । ସେମାନେ ମଧ୍ୟ ଫିଲ୍ମ କରିବା ପୂର୍ବରୁ ତାହା ଜାଣିନଥିଲେ । କିନ୍ତୁ ଫିଲ୍ମ ଜରିଆରେ ସବୁ ଜାଣିପାରିଲେ । ଟ୍ରେନ୍‌ ସିନ୍‌ରେ ମହିଳାଙ୍କ ସହ ବିତିଥିବା ଘଟଣା ତାଙ୍କ ପାଇଁ ହୃଦୟ ବିଦାରକ ଥିଲା । ଟ୍ରେନ୍‌ରେ ସୁଟିଂ ସମୟରେ ଗୋଟିଏ ସିନ୍‌ରେ ଜଣେ ଅଢ଼େଇ ମାସର ଶିଶୁ ଜଳିଯିବା ତାଙ୍କ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା । ଫିଲ୍ମରେ ଅନେକ ଭାବପ୍ରବଣ ଡାଏଲଗ୍‌ ଅଛି । ଆଉ କିଛି ସିନ୍‌ରେ ସେ ନିଜ ଲୁହକୁ ଅଟକାଇ ପାରିନଥିଲେ । ଗୋଧରା କାଣ୍ଡ ପରେ ଚତୁର୍ଦ୍ଦିଗ କେବଳ ଶବ ପଡ଼ିଥିବାର ଦୃଶ୍ୟ ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା ବୋଲି ରାଶି କହିଛନ୍ତି ।