ଭୁବନେଶ୍ୱର, ୨୦/୧୧ : ଆଉ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହେବନି। ଆଗାମୀ ୨ ମାସ ମଧ୍ୟରେ ଶେଷ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ ପ୍ରକ୍ରିୟା । ଯାହା ଦ୍ୱାରା ମନ୍ଦିରରେ ଶୃଙ୍ଖଳିତ ହେବ ଠାକୁରଙ୍କ ନୀତିକାନ୍ତି । ଏହା ସହିତ ଶ୍ରୀଜିଉଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ସୁରକ୍ଷା ବି ହୋଇପାରିବ । ଏ ନେଇ କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ମଗାଯାଇଥିବା ସ୍ପଷ୍ଟୀକରଣ ଏବେ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 

ସେ କହିଛନ୍ତି, ଆମେ ଅତୀତରେ ଏ ବାବଦରେ ସମୀକ୍ଷା ବି କରିଥିଲୁ । ପୁର୍ବ ସରକାରଙ୍କ ଅଧ୍ୟାଦେଶରେ ଥିବା ତ୍ରୁଟିର ସଂଶୋଧନ ହୋଇଛି । କାରଣ ଉକ୍ତ ଅଧ୍ୟାଦେଶ ପ୍ରାଚୀନ ସ୍ମାରକ ଏବଂ ପ୍ରତ୍ନତତ୍ତ୍ୱସ୍ଥଳୀ ଅବଶେଷ ଅଧିନିୟମ(ଆମସାର)୧୯୫୮କୁ ଉଲଙ୍ଘନ କରୁଥିଲା । ସେଥିରେ ମନ୍ଦିର ଭିତରେ ଓ ବାହାରେ ଦୋକାନ କରିବାକୁ ଅନୁମତି ଦେବା ବ୍ୟବସ୍ଥା ଥିଲା । ସେହିପରି ଠାକୁରଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଲିଜ୍‌ ଓ ବିକ୍ରୟ ଅନୁମତି ବ୍ୟବସ୍ଥାରେ ବି ତ୍ରୁଟି ଥିଲା । ମନ୍ଦିର ମରାମତି ପାଇଁ ପ୍ରଶାସନକୁ କ୍ଷମତା ପ୍ରଦାନ, ସ୍ୱତନ୍ତ୍ର ଦର୍ଶନ ପାଇଁ ଦେୟ,ଐତିହ୍ୟସ୍ଥଳୀରେ ନୂଆ ନିର୍ମାଣ ବା ମରାମତି ମଧ୍ୟ କେନ୍ଦ୍ରୀୟ ଆଇନର ମାର୍ଗଦର୍ଶିକାକୁ ଉଲଙ୍ଘନ କରୁଥିଲା । ଆମ ସରକାର ଏହାର ସଂଶୋଧନ କରିଛନ୍ତି । ଫଳରେ ଏହି ସ୍ୱତନ୍ତ୍ର ଆଇନ ଆଣିବାରେ ସବୁ ପ୍ରକାରର ବାଟ ଖୋଲିଯାଇଛି ।