ଧାମରା,୨୩/୧୧: କଲିକତାରେ ଗଙ୍ଗା ନଦୀରେ ରିଭର କ୍ରୁଜ୍ ଚାଲିବା ଭଳି ଓଡ଼ିଶାରେ ପ୍ରଥମ ଅନ୍ତରା ରିଭର କ୍ରୁଜ୍ ଚାନ୍ଦବାଲି ସହର ନିକଟ ବୈତରଣୀରେ ପାଦ ଥାପିଛି । ଦେଶ ଓ ବିଦେଶରୁ ଆସୁଥିବା ଭିତରକନିକାଗାମୀ ପର୍ଯ୍ୟଟକ ଏହି କ୍ରୁଜ ମଜା ନେଇପାରିବେ । ଶନିବାର ଏଥିପାଇଁ କେନ୍ଦ୍ରପାଡ଼ା ଜିଲ୍ଲା ଗୁପ୍ତି ନଦୀଘାଟରୁ ତାଳଚୁଆ, ଧାମରା, ନଳିତାପାଟିଆ, ଶାଗୁଣାଆଡ଼ିଆ, ବଜରାପୁର, ଚାନ୍ଦବାଲି ଦେଇ ଏହା ଆଖଣ୍ଡଳମଣି ଘାଟ ପର୍ଯ୍ୟନ୍ତ ନଦୀ ଭିତରେ ଟ୍ରାଏଲ୍ ରନ୍ କରିଛି । ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ଏବଂ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏହି ରିଭର କ୍ରୁଜ୍ର ମଜା ନେଇପାରିବେ ।

ଚାରିଦିନ ଏବଂ ତିନି ରାତି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ ଜଣେ କପୁଲ୍ ରୁମ୍ ନେଇପାରିବେ । ଏହି କ୍ରୁଜ୍ ଭିତରେ ଶୀତତାପ ନିୟନ୍ତ୍ରିତ ଦୁଇଟି ରୁମ୍ ରହିଛି । ବାହାର ରାଜ୍ୟ ହେଉ କି ବିଦେଶୀ ହୁଅନ୍ତୁ କିମ୍ବା ଓଡ଼ିଶା ଭିତରେ ବିଳାସମୟ ଜଳଯାତ୍ରାର ମଜା ନେଇପାରିବେ । ଏମିତିବି ହେବ ଗୋଟିଏ ରାତି ପାଇଁ ଜଣେ ବ୍ୟକ୍ତି ୨୫ ହଜାର ଟଙ୍କା ଦେଇ କ୍ରୁଜ୍ରେ ରହିପାରିବ । ଏଥିରେ ସମସ୍ତ ଖାଇବା ପିଇବା ବ୍ୟବସ୍ଥା କ୍ରୁଜ୍ ମାଲିକ ପର୍ଯ୍ୟଟକଙ୍କୁ ଦେବ । ଭିତରକନିକା ନାମରେ ଏହି କ୍ରୁଜ୍ ନଦୀ ପଥରେ ପାଖାପାଖି ୫ ଘଣ୍ଟା ରନ୍‌ଓ୍ବେରେରେ ସାମିଲ ହୋଇଥିଲା । ସମ୍ପୂର୍ଣ୍ଣ ଭାବେ ବେସରକାରୀ ପରିଚାଳନାରେ ଏହି ରିଭର କ୍ରୁଜ୍ ସଫଳ ହେଲେ ଆସନ୍ତା ସପ୍ତାହରେ ବୈତରଣୀ ନାମରେ ଆଉ ଏକ କ୍ରୁଜ୍ ଚାନ୍ଦବାଲିରେ ପହଞ୍ଚିବ । ଏବେ ଶୀତଦିନ ଆସି ଯାଇଥିବାରୁ ଭିତରକନିକା ଯିବା ପାଇଁ ପର୍ଯ୍ୟଟକ ଚାନ୍ଦବାଲିରେ ପହଞ୍ଚୁଛନ୍ତି । ଯେଉଁମାନେ ବୋଟ୍ ନ ପାଇ କିମ୍ବା ରିଜର୍ଭସେନ୍ ବିଳମ୍ବ ହେତୁ ଚାନ୍ଦବାଲି ଅରଣ୍ୟ ନିବାସରେ ରହିବାକୁତ ବାଧ୍ୟ ହେଉଛନ୍ତି ସେହି ଦୂରଗାମୀ ପର୍ଯ୍ୟଟକ ମାନେ ଏହି ରିଭର କ୍ରୁଜ୍‌ରେ ରହି ମଜା ନେଇପାରିବେ । କାରଣ ଆରଡ଼ି ଠାରୁ ଏହା ଚାନ୍ଦବାଲି ଦେଇ କାଳିଭଞ୍ଜଡିଆଁ ଜଙ୍ଗଲ ଏବଂ ଭିତରକନିକା ଜଙ୍ଗଲ ପାଶ୍ୱର୍ ଦେଇ ଏପରିକି ତାଳଚୁଆ ମୁହାଁଣ ମୁହଁ ସମୁଦ୍ର ଗର୍ଜନ ଭିତରେ ଗୁପ୍ତି ଯାଏ ଯିବ । ତେଣୁ ପର୍ଯ୍ୟଟକ ଏହି ରିଭର କ୍ରୁଜ୍‌ରେ ଭିତରକନିକା ବୁଲିବାର ମଜା ବି ନେଇପାରିବେ । ଚାନ୍ଦବାଲିରେ କାଉନ୍ସିଲର ଚନ୍ଦନ ରାଉତ ବାରମ୍ବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମାଧ୍ୟମରେ ରାଜ୍ୟ ଜଳପଥ ପରିବହନ ବିଭାଗକୁ ନିବେଦନ କରିବା ପରେ ଏହି ରିଭର କ୍ରୁଜ୍ ଗତକାଲି ଆସି ଚାନ୍ଦବାଲିରେ ପହଞ୍ଚିଥିଲା ଓ ତାହା ବୈତରଣୀ ନଦୀରେ ଟ୍ରାଏଲ୍ ରନ୍ କରି ସଫଳ ହୋଇଛି ।