କେନ୍ଦ୍ରାପଡ଼ା, ୦୩/୦୭ : ମଧ୍ୟାହ୍ନଭୋଜନ ପାଇଁ ସରକାର ସବୁ ପ୍ରକାର ଭିତ୍ତିଭୂମି ଯୋଗାଇ ଦେଇଛନ୍ତି। ଚାଉଳ, ରାସନ୍, ପନିପରିବା ଓ ରୋଷେଇ ଖର୍ଚ୍ଚଠାରୁ ଆରମ୍ଭ କରି ରୋଷେଇ ପାଇଁ ବାସନକୁସନ ଓ ଖାଇବା ପାଇଁ ପିଲାଙ୍କୁ ଥାଳି ମଧ୍ୟ ମିଳୁଛି । ଏଥିନିମନ୍ତେ ଅନୁଦାନ ପ୍ରଦାନ କରାଯାଉଛି । ତା’ ପରେ ବି ଛାତ୍ରଛାତ୍ରୀମାନେ ବାହାରେ ତଳେ ବସି କଦଳୀପତ୍ରରେ ଖାଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍ ଅଧୀନ କୋରୋ ପଞ୍ଚାୟତର ପାଳକଣା ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ଘଟଣାର ଉଦ୍ବେଗଜନକ ଦିଗଟି ହେଲା, ସ୍କୁଲରେ ମଧ୍ୟାହ୍ନଭୋଜନ ରୋଷେଇ ଦାୟିତ୍ୱ ନେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅନୁସୂଚିତ ଜାତିର ବୋଲି କିଛି ସବର୍ଣ୍ଣ ଛାତ୍ରଛାତ୍ରୀ କଦଳୀପତ୍ରରେ ଖାଉଥିବା ଅଭିଯୋଗ ହୋଇଛି । ଏଥିସହ ଆଜି ବିଦ୍ୟାଳୟରେ ଖାଦ୍ୟ ମେନୁରେ ଭାତ ଓ ଅଣ୍ଡା ଝୋଳ ଥିବା ବେଳେ ପିଲାଙ୍କୁ ପାଣିଆ ଅଣ୍ଡା ତରକାରୀ ଓ ନିମ୍ନମାନର ଖାଦ୍ୟ ଦିଆଯାଇଥିବା ଅଭିଯୋଗ ମିଳିଛି ।
ସରକାର ନିକଟରେ ମଧ୍ୟାହ୍ନଭୋଜନ ପାଇଁ ପ୍ରତି ପିଲାଙ୍କ ପିଛା ଖର୍ଚ୍ଚ ରାଶି ବଢ଼ାଇଛନ୍ତି । ତା’ ପରେ ବି ପିଲାମାନେ କଦଳୀପତ୍ରରେ ଖାଇବା ଓ ପାଣିଆ ଅଣ୍ଡା ତରକାରୀ ଦିଆଯିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୋଗରୁ ପ୍ରକାଶ ଯେ, ପାଳକଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନିମ୍ବଦାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଟିଏ କ୍ୟାମ୍ପସ୍ରେ ଚାଲୁଛି । ନିମ୍ବଦାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ଘର ନଥିବାରୁ ପାଳକଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୃହରେ ଶିକ୍ଷାଦାନ କରାଯାଉଛି । ପାଳକଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋଟ୍ ୯୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଯେଉଁଥିରେ ନୂଆ କରି ଆରମ୍ଭ ହୋଇଥିବା ଶିଶୁ ବାଟିକା ବର୍ଗରେ ୧୮ରୁ ୧୯ ଜଣ ଛାତ୍ରଛାତ୍ରୀ ଅଛନ୍ତି । ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରୋଷେଇ ପାଇଁ ସ୍ଥାନୀୟ ଏସ୍ଏଚ୍ଜିକୁ ଦାୟିତ୍ୱ ଦିଆଯାଇଛି । ଯାହା ନିୟମିତ ମଧ୍ୟାହ୍ନଭୋଜନ ରୋଷେଇ କରି ପିଲାମାନଙ୍କୁ ପରିବେଷଣ କରୁଛି । ବିଦ୍ୟାଳୟରେ ପ୍ରାୟ ୮୦% ଅସବର୍ଣ୍ଣ ଜାତିର ରହିଥିବାବେଳେ ଅବଶିଷ୍ଟ ୨୦% ସବର୍ଣ୍ଣ ଜାତିର ଛାତ୍ରଛାତ୍ରୀ ପଢ଼ୁଛନ୍ତି ।
ସେହିପରି ନିମ୍ବଦାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୩୭ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏଠାରେ ରୋଷେଇ ଅନ୍ୟମାନେ କରୁଛନ୍ତି । ଗୋଟିଏ କ୍ୟାମ୍ପସ୍ରେ ପିଲା ପଢ଼ୁଥିବାରୁ ସେମାନେ ପ୍ରାୟ ଏକାଠି ବସି ମଧ୍ୟାହ୍ନଭୋଜନ ଖାଇଥାନ୍ତି । ହେଲେ କିଛି ପିଲା ନିୟମିତ କଦଳୀପତ୍ରରେ ଖାଉଥିବା ଦେଖାଦେଇଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅନୁପାତରେ ଥାଳି ଥିବାବେଳେ କେଉଁ ପରିସ୍ଥିତିରେ କଦଳୀପତ୍ରରେ ସେମାନେ ଖାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ସେମାନେ ନିଜ ଇଚ୍ଛାରେ ଖାଉଛନ୍ତି ନା ତାଙ୍କୁ ଏଥିପାଇଁ ବାଧ୍ୟ କରାଯାଉଛି ତାହା ମଧ୍ୟ ତଦନ୍ତ ସାପେକ୍ଷ । ପୁଣି ବାହାରେ ମାଟିକାଦୁଅରେ ଅପରିଷ୍କାର ପରିବେଶରେ ବସି ଖାଉଥିବା ଦେଖାଯାଉଛି । ଆଖପାଖ ବିଦ୍ୟାଳୟରେ ପିଲା ବସି ଖାଇବା ପାଇଁ ଡାଇନିଂ ହଲ୍ ନିର୍ମାଣ କରାଯାଇଥିବା ବେଳେ ଏଠାରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ପୁଣି ଯାହା ବି ଖାଦ୍ୟ ପରିବେଷଣ କରାଯାଉଛି ତାହା ନିମ୍ନ ମାନର ବୋଲି ଅଭିଯୋଗ ହୋଇଛି । ଆଜି ରୋଷେଇ ମେନୁରେ ଭାତ ଓ ଅଣ୍ଡା ଝୋଳ ଥିବାବେଳେ ଲୁଣ-ହଳଦୀ ପାଣିରେ କେବଳ ଅଣ୍ଡା ସିଝାଇ ଛାଡ଼ି ଦିଆଯାଇଛି । ମସଲା କେଉଁଠି ଦେଖାଯାଉନି । ବାସ୍ନା ନାହିଁକି ଗନ୍ଧ ନାହିଁ । ପାଟିକୁ ରୁଚୁନଥିବାରୁ ଛାତ୍ରଛାତ୍ରୀମାନେ ବଡ଼ କଷ୍ଟରେ ଏହାକୁ ଖାଉଥିବା ଦେଖାଯାଇଥିଲା । ଯାହାକୁ ନେଇ ଅଭିଭାବକ ମହଲରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅନ୍ୟପକ୍ଷେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ କହିବା କଥା, ପାଳକଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁସୂଚିତ ଜାତି ବର୍ଗର ମହିଳା ରୋଷେଇ କରୁଥିବାରୁ ଏହାକୁ ନେଇ ବିଭିନ୍ନ ସମୟରେ ବିଭେଦ ଦେଖା ଦେଇଛି । ଯଦିଓ ସେମାନେ ଏନେଇ ଖୋଲାଖୋଲି ପ୍ରତିବାଦ କରିନାହାନ୍ତି, କିଛି ଛାତ୍ରଛାତ୍ରୀ ନିୟମିତ କଦଳୀପତ୍ରରେ ଖାଉଛନ୍ତି । ଆମ ପାଖରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ମଧ୍ୟାହ୍ନଭୋଜନ ଖାଇବା ପାଇଁ ଥାଳି ରହିଛି । ହେଲେ କିଛି ପିଲା ସେମାନଙ୍କ ଇଚ୍ଛାରେ କଦଳୀପତ୍ରରେ ଖାଉଛନ୍ତି । ସିଆର୍ସିସି ବୈଲୋଚନ ସାମଲ କହିଛନ୍ତି, ଏନେଇ ସେ ଦୁଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହେବେ । ପାଳକଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଭଞ୍ଜନ ପ୍ରଧାନ କହିଛନ୍ତି, ସେ ଆଜି ଛୁଟିରେ ଥିଲେ । କ’ଣ ହୋଇଛି ବୁଝି କହିବେ । ନିମ୍ବଦାରୁ ୟୁପି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ପାଣି ଅଭିଯୋଗକୁ ଅସ୍ୱୀକାର କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ବସନ୍ତ ନାୟକ କହିଛନ୍ତି, ପିଲାମାନେ କଦଳୀ ପତ୍ରରେ ଖାଇବା କଥା ନୁହେଁ । କାହିଁକି ଏମିତି ହେଲା ତଦନ୍ତ ପୂର୍ବକ ପଦକ୍ଷେପ ନେବୁ।