ଆମ ଗାଁ କାବୁଲା । ତା’ର ନାମ ଆଗରେ ଲଗାଯାଇଛି ଡାବା । ଅର୍ଥାତ୍, କଞ୍ଚା ମିଛ ଓ ଆତ୍ମବଡ଼ିମାରେ କଥା କହୁଥିବା ମଣିଷ । ଖାଲି ସେତିକି ନୁହେଁ, ସବୁ କଥାରୁ ଖୁଣ ବାହାର କରିବାରେ ଏକପ୍ରକାର ଓସ୍ତାଦ । ସମସ୍ତେ ଯାହାଙ୍କୁ ଭଲ ବୋଲୁଥିବେ ତାକୁ ସେ ଗୋଟାପଣେ ଖରାପ କହି ଏମିତି ସବୁ ଗୀତ ଗାଇବ ଯେ ଶୁଣିବା ଲୋକଟି ହଠାତ୍ ଉଠି ତାକୁ ଚଟକଣିଟିଏ ଲଗାଇବାକୁ ଇଚ୍ଛା କରିବ । ସବୁବେଳେ କାହାର ନା କାହାର ନିନ୍ଦାଗାନ କରି ଚାଲିଥିବ । ତାରି ନଜରରେ ଗାଁର ଯେତକ ମଣିଷ ସବୁ ଖରାପ । ସେ ଖାଲି ଜଣେ ଭଲ, ଯଦିଓ ତାରି ପରିବାର ଓ ଜ୍ଞାତି କୁଟୁମ୍ବ ସମସ୍ତେ ତାକୁ ଥୁ ଥୁ କରନ୍ତି । ତାରି ଭଳି ମଣିଷ ଆମ ସମାଜରେ ତଥା ସବୁ ଜନପଦରେ ଥିବେ । ସେମାନଙ୍କ କାମ ହେଲା ବିଷୋଦ୍ଗାର କରିବା । ତାହା ପୁଣି ଅତର୍ଚ୍ଚା ହୋଇ ବିନା ଯୁକ୍ତିରେ । ଆମ ସମାଜ ହେଉଛି ଏକ ଜୀବନ୍ତ ସଂଗଠନ । ଏଠାରେ ପ୍ରତ୍ୟେକ ନାଗରିକ ହେଉଛନ୍ତି ଏକ ଅଂଶ । ସେ ନିଜର ଆଚରଣ, ଦୃଷ୍ଟିକୋଣ ଓ କାର୍ଯ୍ୟ ଦ୍ୱାରା ସମଗ୍ର ବ୍ୟବସ୍ଥାକୁ ଗଢ଼ି ତୋଳେ । ସେହିପରି ସମାଜର ମୂଳ ଆଧାର ହେଉଛି ବ୍ୟବସ୍ଥା । ଯାହା ନୀତି, ନ୍ୟାୟ ଓ ଶୃଙ୍ଖଳାରେ ନିର୍ମିତ । ବ୍ୟବସ୍ଥା ବିନା ସମାଜ ଅକାମି ହୋଇପଡ଼େ । ଅନୁଶାସନ ଓ ନୀତିର ସ୍ଥାନରେ ଅନିୟମ ଓ ଅସ୍ଥିରତା ସବାର ହେଲେ ସବୁ ଗଡ଼ବଡ଼ ହୁଏ । ବ୍ୟବସ୍ଥାକୁ ନେଇ ଯେତେବେଳେ ଅନୁଶାସନ ତୁଳନାରେ ଅଭିଯୋଗ ଓ ଗଠନ ତୁଳନାରେ ନିନ୍ଦା ଅଧିକ ହୁଏ, ସେତେବେଳେ ଜନ୍ମହୁଏ ବ୍ୟବସ୍ଥା ନିନ୍ଦୁକ ।
ବ୍ୟବସ୍ଥା ନିନ୍ଦୁକ ହେଉଛନ୍ତି ସେମାନେ, ଯେଉଁମାନେ ସରକାର, ନୀତି, ଶିକ୍ଷା, କାନୁନ, ପ୍ରଶାସନ ଓ ସମାଜିକ ପ୍ରଣାଳୀକୁ ସଦା ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି । ସେମାନେ ଭଲକୁ ମଧ୍ୟ ଖରାପ ଭାବି, ଉନ୍ନତିରେ ଅସୁବିଧା ଖୋଜନ୍ତି । ତାଙ୍କ ଆଲୋଚନାରେ ଥାଏ ଅସନ୍ତୋଷ, ଅଭିଯୋଗ ଓ ନିରାଶା । ଆଜି ଆମ ସମାଜରେ ଏମିତି ଏକ ବିଚିତ୍ର ପ୍ରବୃତ୍ତି ଦେଖାଦେଇଛି । ତାହା ହେଉଛି ବ୍ୟବସ୍ଥା ନିନ୍ଦୁକଙ୍କ ସମାଲୋଚନା । ସରକାର, ପ୍ରଶାସନ, ଶିକ୍ଷା ପ୍ରଣାଳୀ, ନୀତିନିୟମ କିମ୍ବା ଅନ୍ୟ କୌଣସି ସଂଗଠନର ତ୍ରୁଟି ଦେଖବା ମାତ୍ରେ ତାହାକୁ ନିନ୍ଦା କରନ୍ତି । ବ୍ୟବସ୍ଥା ନିନ୍ଦୁକଙ୍କ ମନୋଭାବ ହେଉଛି– ସବୁଠି ଭୁଲ୍ ହେଉଛି, ମୁଁ କିନ୍ତୁ ଠିକ୍ । ଏହି ଭାବନା ଆସ୍ତେ ଆସ୍ତେ ସମାଜରେ ଏକ ନିଷ୍କ୍ରିୟତା ଓ ନକାରାତ୍ମକତା ସୃଷ୍ଟି କରୁଛି । ସେମାନେ ସୋସିଆଲ ମିଡିଆରେ, ବଜାରରେ କିମ୍ବା ଚା’ ଦୋକାନରେ ବସି ଆଲୋଚନା କରନ୍ତି । ଦେଶ ଓ ରାଜ୍ୟର ଭଲ ଗତି ନାହିଁ, ସିଷ୍ଟମ ଭାଙ୍ଗିଗଲା, ନେତାମାନେ ଖାଉଛନ୍ତି, ବେପାରୀ ଲୁଟୁଛନ୍ତି ଇତ୍ୟାଦି ଇତ୍ୟାଦି । ସତ୍ୟ ହେଉଛି ବ୍ୟବସ୍ଥା ଆମେ ସମସ୍ତେ ମିଶି ଗଢ଼ିଥାଉ । ସମାଜର ଯେକୌଣସି ବ୍ୟବସ୍ଥାରେ ତ୍ରୁଟି ରହିଥାଏ ଏବଂ ରହିବା ବି ସ୍ୱାଭାବିକ କଥା । ତାକୁ ଠିକ୍ କରିବା ପାଇଁ ଯେଉଁ ନିନ୍ଦା ଆବଶ୍ୟକ, ସେହି ନିନ୍ଦା ଗଠନମୂଳକ ହେବା ଦରକାର । ଯେତେବେଳେ ନିନ୍ଦା ସ୍ୱାର୍ଥ, ରାଜନୀତିକ ଭାବନା କିମ୍ବା ଅହଂକାରରୁ ହୁଏ, ସେତେବେଳେ ତାହା ସମାଜ ପାଇଁ ବିଧ୍ୱଂସକ ସାବ୍ୟସ୍ତ ହୋଇପଡ଼େ । ପ୍ଲାଟୋ, ଆରିଷ୍ଟଟଲ ଓ ଭାରତୀୟ ଋଷିମୁନିମାନେ ସମାଜର ଭଲ ପାଇଁ ବ୍ୟବସ୍ଥାକୁ ଆବଶ୍ୟକ ମଣିଥିଲେ ।
ବ୍ୟବସ୍ଥା ହେଉଛି ମନୁଷ୍ୟ ଜୀବନର ମାର୍ଗଦର୍ଶକ । ଯାହା ନିୟମ ଓ ନୀତି ମାଧ୍ୟମରେ ସମାଜର ସମତାକୁ ରକ୍ଷା କରେ । ଅର୍ଥାତ୍ ଯଦି ନିନ୍ଦା ଜ୍ଞାନ ଓ ବିବେକ ସହିତ ହୁଏ, ସେତେବେଳେ ତାହା ଶିକ୍ଷା । ନଚେତ ତାହା ନିରାଶା ଓ ଅସନ୍ତୋଷ ମାତ୍ର । ଆଜିର ସମାଜରେ ବିଶେଷକରି ସୋସିଆଲ ମିଡିଆ ଯୁଗରେ ବ୍ୟବସ୍ଥା ନିନ୍ଦା ଏକ ଫ୍ୟାସନ ହୋଇପଡ଼ିଛି । ଯେକୌଣସି ନୀତି କିମ୍ବା ଯୋଜନା ଆସିଲେ, ତାହାର ସୁବିଧା ତୁଳନାରେ ଅସୁବିଧା ବିଷୟ ଅଧିକ ଆଲୋଚିତ ହୁଏ । ଶାସକ ଓ ବିରୋଧୀ, ନେତା ଓ ଜନତା, ଗଣ ଓ ଗଣମାଧ୍ୟମ ବିଶେଷଭାବରେ ଲାଗିପଡ଼ନ୍ତି । ଏହା ମନୁଷ୍ୟ ମନରେ ଅସନ୍ତୋଷ, ଭୟ ଓ ନକାରାତ୍ମକ ଭାବକୁ ବଢ଼ାଏ । ଏକ ସତ୍ୟ ଚିନ୍ତକ ଏହି ନକାରାତ୍ମକ ଶକ୍ତିକୁ ଶିକ୍ଷାର ମାଧ୍ୟମରେ ସଂସ୍କାର ରୂପେ ପରିବର୍ତ୍ତନ କରେ । ସେ ନିନ୍ଦା କରେ ସତ । କିନ୍ତୁ ତା’ ସହିତ ଉପାୟ ମଧ୍ୟ ପ୍ରଦାନ କରେ । ତାହା ହେଉଛି ଗଠନମୂଳକ ନିନ୍ଦା । ବୁଦ୍ଧ ଓ ଗାନ୍ଧୀ ଦୁହେଁ ଶିଖାଇଥିଲେ "ନିନ୍ଦା କରିବା ପୂର୍ବରୁ ଆତ୍ମ ପରିଶୋଧନ କର’ । ଆମେ ଯଦି ନିନ୍ଦାକୁ ଜ୍ଞାନ, ସହିଷ୍ଣୁତା ଓ ଦାୟିତ୍ୱ ସହିତ କରିପାରିବୁ, ସେତେବେଳେ ଆମେ ବ୍ୟବସ୍ଥା ନିନ୍ଦୁକ ନୁହେଁ, ବରଂ ବ୍ୟବସ୍ଥା ସଂସ୍କାରକ ହେବୁ । ଆମ ବିଚାର କେବଳ ନିନ୍ଦା ନୁହେଁ, ନିର୍ମାଣକାରୀ ହେବା ଲୋଡ଼ା । ବିଧ୍ୱଂସ ନୁହେଁ, ସଂସ୍କାରୀ ହେବା ଦରକାର । ବ୍ୟବସ୍ଥା ନିନ୍ଦୁକ ନୁହେଁ, ବ୍ୟବସ୍ଥା ଚିନ୍ତକ ହେବା ବିଧେୟ ।
ଆଜିର ଯୁବପିଢ଼ି ଓ ଶିକ୍ଷିତ ମନୁଷ୍ୟମାନଙ୍କ ମଧ୍ୟରେ ଏହି ନିନ୍ଦା ପ୍ରବୃତ୍ତି ଅଧିକ ଦେଖାଯାଉଛି । ସାମାଜିକ ଗଣମାଧ୍ୟମ ଏହାକୁ ଆହୁରି ବଢ଼ାଇ ଦେଇଛି । ସପକ୍ଷବାଦୀ ଗଣମାଧ୍ୟମ, ଲଗାମଛଡ଼ା ସୋସିଆଲ ମିଡିଆ ଓ ରାଜନୀତିକ ପ୍ରଭାବରେ ବ୍ୟବସ୍ଥାର ନିନ୍ଦା ଗାନ ଏକ ଅଭ୍ୟାସ ହୋଇଗଲା । ଯେଉଁଠି ଭାବନାରୁ ଅଧିକ ଅଭିଯୋଗ ଓ ତଥ୍ୟରୁ ଅଧିକ ରାଗ- ଅଭିମାନ ରହୁଛି । ଏହି ପ୍ରବୃତ୍ତି ମନୁଷ୍ୟ ମନର ସଂଶୟ, ଅସନ୍ତୋଷ ଓ ଭୟରୁ ଜନ୍ମ ନେଉଛି । ସେଥିପାଇଁ ଆଜି ଯାହା ସାମାଜିକ ଗଣମାଧ୍ୟମରେ ତାତ୍କାଳିକ ଉତ୍ତେଜନାରେ ସେମାନେ ଲେଖିବସନ୍ତି, ଆସନ୍ତାକାଲି ତାକୁ ଭଲ ବୋଲି ପୁଣି ସେମାନେ ହିଁ କହନ୍ତି । କହିବାକୁ ଗଲେ ବ୍ୟବସ୍ଥା ଭିତରେ ଛିଦ୍ର ଖୋଜି ଖୋଜି ନିଜ ସୁସ୍ଥ ମନକୁ ଅସୁସ୍ଥ କରିଦିଅନ୍ତି । ସେମାନେ କେତେବେଳେ କ’ଣ କୁହନ୍ତି ନିଜେ ବି ଜାଣିପାରନ୍ତିନି । ଏମିତି ପ୍ରକ୍ରିୟା କେବଳ ସମାଜ ପାଇଁ ନୁହେଁ, ନିଜ ପରିବାରରେ ମଧ୍ୟ ତାଙ୍କ ଅଜାଣତରେ ପ୍ରୟୋଗ ହୋଇଯାଏ । ସେଇଠୁ ପାରିବାରିକ ଜୀବନ ବି ବିପନ୍ନ ଆଡ଼କୁ ଟାଣିନିଏ । ଏଭଳି ଆଚରଣ ଜରିଆରେ ସମାଜ ସହ ସେମାନଙ୍କ ପରିବାର ଓ ପିଲାଙ୍କ ନଜରରେ ବି ଭିନ୍ନ ଚରିତ୍ର ଭାବେ ଉଭା ହୁଅନ୍ତି । ଭବିଷ୍ୟତରେ ନିଜ ପିଲାଙ୍କ ଉପରେ ଗଭୀର ପ୍ରଭାବ ପକାଇବାର ସମ୍ଭାବନା ଥାଏ । ବ୍ୟବସ୍ଥା ନିନ୍ଦୁକମାନେ ସାମାନ୍ୟ ସ୍ୱାର୍ଥ ପାଇଁ ଯାହା ବି କରିପାରନ୍ତି । ଆଗରେ ଗୋଟିଏ ଓ ପଛରେ ଆଉ ଏକ ଚରିତ୍ର ଧରି ବୁଲୁଥାନ୍ତି । ନିଜ ମୁଖାକୁ ବାରମ୍ବାର ବଦଳାଇବାକୁ ଲଜ୍ଜାବୋଧ କରନ୍ତିନି । ଏଭଳି କୁତ୍ସିତ ଚରିତ୍ର ପାଇଁ ବାକି ଲୋକ ମା'ମାଇପ ଗାଳି ଦେଲେ ବି ଫରକ ପଡ଼େନି । କାରଣ ସେମାନେ ବ୍ୟବସ୍ଥା ନିନ୍ଦୁକ । ଈର୍ଷା ଓ ସ୍ୱାର୍ଥ ମାରି ଦେଇଥାଏ ତାଙ୍କ ବିବେକ । ନୁହେଁ କି?