ନୂଆଦିଲ୍ଲୀ ୨୮/୦୧: ଆଫଗାନିସ୍ତାନ ନିଜ ନିୟମରେ ଏକ ଅଜବ ଅମାନବୀୟ ପରିବର୍ତ୍ତନ କରିଛି । ଯେଉଁ ଦାସତ୍ୱ ପ୍ରଥା ଶତାଧିକ ବର୍ଷ ପୂର୍ବେ ବିଶ୍ୱରୁ ଉଠିସାରିଥିଲା, ତାଲିବାନ ପ୍ରଶାସନ ତାକୁ ପୁନଃସ୍ଥାପିତ କରିଛି । ଆଫଗାନିସ୍ତାନରେ ନିକଟରେ ତାଲିବାନ ପ୍ରଶାସନ ଦ୍ୱାରା ଏକ ନୂଆ କ୍ରିମିନାଲ ପ୍ରୋସିଜର କୋଡ୍ ଜାରି ହୋଇଛି, ଯାହାକୁ ନେଇ ଖୁବ୍ ବିବାଦ ଉପୁଜିଛି । ଚଳିତ ଜାନୁଆରୀରେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ଏହି କୋଡ୍‌କୁ ମଞ୍ଜୁରି ଦେବା ସହିତ କୋର୍ଟରେ ଲାଗୁ କରିବା ନିମନ୍ତେ ଆଦେଶ ଦେଇଛନ୍ତି ।

ଏହି ନିୟମରେ ଦାସତ୍ୱ ପ୍ରଥାକୁ ସିଧାସଳଖ ମାନ୍ୟତା ଦିଆଯାଇଛି । ଏହି ଦସ୍ତାବିଜରେ ଅନେକ ସ୍ଥାନରେ ଦାସ ଓ ମାଲିକ ଭଳି ଶବ୍ଦ ପ୍ରୟୋଗ ହୋଇଛି । ଏହି ଶବ୍ଦକୁ ନେଇ ବିଶ୍ୱର ମାନବାଧିକାର ସମୂହ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ଏମାନଙ୍କ କହିବା ଅନୁସାରେ, ତାଲିବାନ କୋଡ୍ ନାଗରିକଙ୍କୁ ୪ ଅସମାନ ବର୍ଗରେ ବିଭକ୍ତ କରେ । ଏହି ବିଭାଗରେ ଦାସଙ୍କୁ ଏକ ନ୍ୟାୟିକ ବିଭାଗ ରୂପେ ବର୍ଗୀକୃତ କରାଯାଇଛି । ନୂଆ ଆଇନ ମୁଲ୍ଲା ଓ ମୌଲବୀଙ୍କ ଅପରାଧକୁ ବଳ ଦେବ । ଅର୍ଥାତ୍ ଯଦି ଜଣେ ମୁଲ୍ଲା ଅପରାଧ କରନ୍ତି, ତେବେ ତାଙ୍କ ବିରୋଧରେ ମକଦ୍ଦମା କରାଯାଇ ପାରିବ ନାହିଁ ।

ତାଲିବାନର ନୂଆ କୋଡ୍‌ର ଧାରା-୯ ଆଫଗାନ ସମାଜକୁ ୪ଟି ବର୍ଗରେ ବିଭକ୍ତ କରେ । ଏଥିରେ ସର୍ବାଗ୍ରେ ଅଛନ୍ତି ମୁଲ୍ଲା ଓ ମୌଲବୀ । ଏମାନଙ୍କୁ କୌଣସି ଅପରାଧ ପାଇଁ ଦଣ୍ଡ ମିଳିବ ନାହିଁ, ବରଂ କେବଳ ବୁଝାଯିବ । ସବୁଠୁ ନିମ୍ନ ବର୍ଗର ଲୋକଙ୍କୁ ଜେଲ ଓ ଶାରୀରିକ ଦଣ୍ଡ ମିଳିବ । ରୱାଦାରୀ ନାମକ ସଂଗଠନ ଏହି ଦାବି କରିଛି । ତାଲିବାନ- ନିୟନ୍ତ୍ରିତ ଆଫଗାନିସ୍ତାନରେ ଏଣିକି ଗୋଟିଏ ଅପରାଧ ପାଇଁ ଦଣ୍ଡ ଅପରାଧୀଙ୍କ ବର୍ଗ ଆଧାରରେ ଭିନ୍ନ ଭିନ୍ନ ହେବ ।

ଆହୁରି ପଢ଼ନ୍ତୁ...ଆମେରିକାରେ ବରଫ ଝଡ଼; ୩୦ ମୃତ,୭ ଲକ୍ଷ ଘରେ ନାହିଁ ବିଜୁଳି

ମାନବାଧିକାର ସଂଗଠନ ରୱାଦାରୀ ଅନୁସାରେ, ଏହା ଦ୍ୱାରା ସମାଜକୁ ‘ସ୍ୱାଧୀନ’ ଓ ‘ଦାସ’ରେ ବଣ୍ଟାଯାଇଛି ଯାହା ଅନ୍ତର୍ଜାତୀୟ ଆଇନରେ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ । ଦାସତ୍ୱକୁ କୌଣସି ରୂପରେ ମାନ୍ୟତା ଦେବା ମାନବ ମର୍ଯ୍ୟାଦା ଓ ସମାନତା-ବିରୋଧୀ । ତାଲିବାନର କୋଡ୍‌ରେ ସମାଜକୁ ବଣ୍ଟାଯାଇଥିବା ୪ ବର୍ଗ ହେଉଛି ଉଲେମା, ଅଶରାଫ, ମଧ୍ୟମ ବର୍ଗ ଓ ନିମ୍ନ ବର୍ଗ । ଏହା ଜରିଆରେ ତାଲିବାନ ଦାସତ୍ୱ ଭଳି ସ୍ଥିତିକୁ ଅପ୍ରତ୍ୟକ୍ଷ ରୂପେ ବୈଧ କରିବାକୁ ଚେଷ୍ଟା କରୁଛି । ଏହା ଆଫଗାନିସ୍ତାନରେ ମହିଳା, ପିଲା ଓ ଅଳ୍ପସଂଖ୍ୟକଙ୍କ ଅଧିକାର ଉପରେ ପୂର୍ବରୁ ପ୍ରଚଳିତ ପ୍ରତିବନ୍ଧକକୁ ଆହୁରି ମଜଭୁତ କରିବ ବୋଲି ଚର୍ଚ୍ଚା ହେଉଛି । ଚଳିତ ମାସ ପ୍ରାରମ୍ଭରେ ତାଲିବାନର ସର୍ବୋଚ୍ଚ ନେତା ଅଖୁନ୍ଦଜାଦା ଧାରା-୧୧୯ଯୁକ୍ତ ଏକ ନ୍ୟାୟିକ ଦସ୍ତାବିଜକୁ ମଞ୍ଜୁରି ଦେଇଛନ୍ତି । ତାଲିବାନ ଶାସନକୁ ବିରୋଧ କରୁଥିବା ରାଜନୈତିକ ନେତା ଓ ସମୂହମାନଙ୍କର ଗଠବନ୍ଧନ ଦ ସୁପ୍ରିମ କାଉନ୍ସିଲ ଅଫ୍ ନ୍ୟାସନାଲ ରେଜିଷ୍ଟାନ୍ସ ଫର୍ ଦ ସାଲ୍‌ଭେସନ୍ ଅଫ୍ ଆଫଗାନିସ୍ତାନ କହିଛି, ଏହି ନିୟମ ସମାନତା, ମାନବୀୟ ଗରିମା ଓ ଦାସତ୍ୱ ଉପରେ ଅନ୍ତର୍ଜାତୀୟ ସିଦ୍ଧାନ୍ତର ବିରୋଧୀ ଏବଂ ମଧ୍ୟଯୁଗଠୁ ମଧ୍ୟ ବହୁତ ଅଧିକ ଖରାପ । ଦେଶର ପୂର୍ବ ଆଟର୍ନି ଜେନେରାଲ ମହମ୍ମଦ ଫରୀଦ ହାମିଦି କହିଛନ୍ତି, ଏହା ଏଭଳି ଏକ ଦସ୍ତାବିଜ ଯାହା ପ୍ରତ୍ୟେକ ନାଗରିକଙ୍କୁ ଦୋଷୀ ଦର୍ଶାଏ । ଲୋକଙ୍କୁ ନୀଚ୍ଚା ଦେଖାଇବା ସ୍ପଷ୍ଟ ରୂପେ ଅପମାନ, ମାନବୀୟ ଗରିମା ଉପରେ ସିଧା ପ୍ରହାର ଏବଂ ମାନବୀୟ ମୂଲ୍ୟର ଗମ୍ଭୀର ଉଲ୍ଲଂଘନ ।