ନୂଆଦିଲ୍ଲୀ: ଯଦି ଆପଣ ନିଜର ପୁରୁଣା କାର ବିକ୍ରି କରି ନୂଆ ଆଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର ଆସିଛି । ପୁରୁଣା ଗାଡ଼ି ବିକ୍ରି ଉପରେ ଳାଗୁଥିବା ଜିଏସଟି ବଢ଼ାଇ ଦେଇଛନ୍ତି ସରକାର । ସରଳ ଭାଷାରେ କହିଲେ, ପୂର୍ବ ଅପେକ୍ଷା ଏବେ ବ୍ୟବହୃତ ଗାଡ଼ି (ୟୁଜଡ୍‌ ଭେଇକିଲ୍‌) କିଣିବା ଲାଗି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ  । ତେବେ ଏହି ଦ୍ରବ୍ୟ ଓ ସେବା କର (ଜିଏସଟି) ବୃଦ୍ଧିର ପ୍ରଭାବ ଇଲେକଟ୍ରିକ୍‌ କାର ଉପରେ ମଧ୍ୟ ପଡ଼ିବ । ଏଣିକି ବ୍ୟବହୃତ ଗାଡ଼ି କ୍ରୟ ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ । ଶନିବାର ଜୈସଲମେରରେ ଆୟୋଜିତ ଜିଏସଟି କାଉନସିଲ୍‌ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । 

ବିଜନେସ୍ ଟୁଡେର ରିପୋର୍ଟ ଅନୁସାରେ ପରିବର୍ତ୍ତିକ ଜିଏସଟି ହାର କମ୍ପାନି ଏବଂ ଡିଲର୍ସଙ୍କ ଦ୍ୱାରା ବିକ୍ରି ହେଉଥିବା ପୁରୁଣା ଗାଡ଼ିର ନେଣଦେଣ ଉପରେ ଲାଗୁ ହେବ । ଅର୍ଥାତ୍ କାଉନସିଲ୍ ଦ୍ୱାରା ଏହି ସଂଶୋଧିତ ହାର ମାର୍ଜିନ ସହ ବିକ୍ରି କରାଯାଉଥିବା ଏବଂ ଏହି ସେକ୍ଟରରେ କାମ କରୁଥିବା କମ୍ପାନି ଦ୍ୱାରା କିଣାଯାଉଥିବା ଗାଡ଼ି ଉପରେ ଲାଗୁ ହେବ । ତେବେ ପୁରୁଣା ଗାଡ଼ି ବିକ୍ରି ଏବଂ କିଣୁଥିବା ବ୍ୟକ୍ତିଙ୍କ ଉପରେ ପୂର୍ବପରି ୧୨ ପ୍ରତିଶତ ଟିକସ ଲାଗୁ ରହିବ । ଅର୍ଥାତ୍ ଇଣ୍ଡିଭିଜୁଆଲ୍ କ୍ରେତା ଏବଂ ବିକ୍ରେତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ, ନୂଆ କ୍ରୟ କରାଯାଉଥିବା ୧୨୦୦ସିସି କିମ୍ୱା ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ଇଞ୍ଜିନ ଏବଂ ୪୦୦୦ଏମ୍‌ଏମ୍ ଏବଂ ଏହାଠରୁ ଅଧିକ ଦୈର୍ଘ୍ୟର ପ୍ରେଟ୍ରୋଲ୍, ଏଲ୍‌ପିଜି ଏବଂ ସିଏନ୍‌ଜି ଗାଡ଼ି ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଛି । 

ସେହିପରି ୧୫୦୦ସିସି କିମ୍ୱା ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ଇଞ୍ଜିନ ଏବଂ ୪୦୦୦ଏମ୍‌ଏମ୍ ଏବଂ ଏହାଠରୁ ଅଧିକ ଲମ୍ୱ ଡିଜେଲ ଗାଡ଼ି ଉପରେ ୧୮ ପ୍ରତିଶତ ଏବଂ ୧୫୦୦ସିସିରୁ ଅଧିକ ଇଞ୍ଜିନ କ୍ଷମତା ଥିବା ଏସୟୁଭି ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼େ । ଜିଏସଟି ପରିଷଦ ଏବେ ଏହି ବର୍ଗର ପୁରୁଣା ଗାଡ଼ି ପାଇଁ ମଧ୍ୟ ଜିଏସଟି ହାରକୁ ୧୮ ପ୍ରତିଶତ କରିଛି ।  ନୂଆ ଇଭି ଗାଡ଼ି ଉପରେ ବର୍ତ୍ତମାନ ସମୟରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଛି । ଇଲେକ୍ଟ୍ରିକ୍ ଭେଇକଲ୍ ସେକ୍ଟରରେ ଅଧିକ ଗ୍ରୋଥ୍ ଆଣିବା ପାଇଁ ଏହାକୁ ସବୁଠୁ କମ ବର୍ଗରେ ରଖାଯାଇଛି । କିନ୍ତୁ ଇଭି ଗାଡ଼ିର ରି-ସେଲ୍ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେଲେ ପୁରୁଣା ଇଭି ଗାଡ଼ି ପ୍ରତି ଗ୍ରାହକଙ୍କ ଆଗ୍ରହ କମିପାରେ ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି ।