ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କପିଳାସ ଚିଡ଼ିଆଖାନା କି ସାଇନ୍ସ ପାର୍କ ଗଲେ ଚାରିଚକିଆ ଯାନକୁ ଦେବାକୁ ପଡ଼ିବନି ଟୋଲ୍‌ ଫି

Published By : Prameya | May 16, 2025 3:16 PM

ଢେଙ୍କାନାଳ,୧୬/୦୫ : କପିଳାସ ପୀଠକୁ ଯିବାକୁ ପୂର୍ତ୍ତ ବିଭାଗ ରାସ୍ତାରେ ରହିଥିବା ଟୋଲ୍‌ଗେଟ୍‌ ସ୍ଥାନାନ୍ତର ହେବ । ଟୋଲ୍‌ଗେଟ୍‌ଟି ମୁଖ୍ୟରାସ୍ତାରୁ ଉଚ୍ଛେଦ ହୋଇ କପିଳାସ ବାରବାଙ୍କ ରାସ୍ତାର ପ୍ରଥମ ବାଙ୍କ ନିକଟରେ ଥିବା ସନ୍ତୋଷୀ ମା' ମନ୍ଦିର ନିକଟକୁ ଉଠିଯିବ । ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୭ ତାରିଖ ସୁଦ୍ଧା ଟୋଲ୍‌ଗେଟ୍‌ ସ୍ଥାନାନ୍ତର ପାଇଁ ନିଲାମଧାରୀଙ୍କୁ ନୋଟିସ୍‌ ଦିଆଯାଇଛି । ଟୋଲ୍‌ଗେଟ୍‌ଟି ପୂର୍ତ୍ତ ବିଭାଗ ରାସ୍ତାରୁ ଉଚ୍ଛେଦ ହେଲେ ଏଣିକି ଆଉ କପିଳାସ ଚିଡ଼ିଆଖାନା କି କପିଳାସ ସାଇନ୍ସ ପାର୍କକୁ ପରିଦର୍ଶନ କରିବାକୁ ଯାଉଥିବା ଚାରିଚକିଆ ଯାନକୁ ଦେବାକୁ ପଡ଼ିବନି ଟୋଲ୍‌ ଅର୍ଥ । 

ରାଜ୍ୟର କୌଣସି ପୀଠରେ ଟୋଲ୍‌ଗେଟ୍‌ ନଥିବା ବେଳେ କପିଳାସ ରାସ୍ତାରେ ଟୋଲ୍‌ଗେଟ୍‌କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ରହିଥିଲା । ଏହାକୁ ନେଇ "ପ୍ରମେୟ'ରେ ବାରମ୍ବାର ଖବର ମଧ୍ୟ ପ୍ରକାଶିତ ହୋଇଥିଲା । ଶେଷରେ ଦେବୋତ୍ତର ବିଭାଗ ଏହାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି ।  ପ୍ରସିଦ୍ଧ କପିଳାସ ପୀଠର ପ୍ରବେଶ ଦ୍ୱାର ପୂର୍ତ୍ତ ବିଭାଗ ରାସ୍ତାରେ ବର୍ଷ ବର୍ଷ ଧରି ଏହି ଟୋଲ୍‌ଗେଟ୍‌ ଚାଲିଆସିଛି । ଚାରିଚକିଆ ଯାନ ପାର୍କିଂ ନାମରେ ଦେବୋତ୍ତର ବିଭାଗ ଏହାକୁ ନିଲାମ ଦେଉଛି । ଏଠାରୁ ଆୟ ହେଉଥିବା ଅର୍ଥ ଶ୍ରୀଚନ୍ଦ୍ରଶେଖରଙ୍କ ସେବାକାର୍ଯ୍ୟରେ ବିନିଯୋଗ ହୋଇଥାଏ । 

ଚଳିତବର୍ଷ ଦେବୋତ୍ତର ବିଭାଗ ଏହାକୁ ୨୩ ଲକ୍ଷ ଟଙ୍କାରେ ନିଲାମ ଦେଇଛି । ନିଲାମ ଅବଧି ୨୦୨୫ ଏପ୍ରିଲ୍‌ ୧ ତାରିଖଠାରୁ ୨୦୨୬ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି । ତେବେ ଏହି ଟୋଲ୍‌ଗେଟ୍‌କୁ ନେଇ ଅନେକ ସମୟରେ ବାଦବିବାଦ ଦେଖିବାକୁ ମିଳିଥାଏ । ଏହାକୁ ନେଇଥିବା ନିଲାମଧାରୀ ଚତୁରତାର ସହିତ ଅଧିକ ଅର୍ଥ ଲାଳସାରେ କପିଳାସ ଯିବା ପୂର୍ତ୍ତ ବିଭାଗ ରାସ୍ତାରେ ଗେଟ୍‌ ପକାଇ ଗାଡ଼ିଗୁଡ଼ିକଠାରୁ ପାର୍କିଂ ଫି ଓ ଟୋଲଗେଟ୍‌ ଫି ଆଦାୟ କରିବାରେ ଲାଗିଥିଲେ । ରାସ୍ତା ଉପରେ ବାଉଁଶ ଧଡ଼ା ପକାଇ ଜୋର୍‌ଜବରଦସ୍ତ ଯାତ୍ରୀମାନଙ୍କଠାରୁ ଟଙ୍କା ଅସୁଲ ହେଉଥିଲା । କପିଳାସ ପୀଠକୁ ଯାଉନଥିବା ଯାତ୍ରୀ ଯେଉଁମାନେ କି କପିଳାସ ଚଡ଼ିଆଖାନା ଓ ସାଇନ୍ସ ପାର୍କ ପରିଦର୍ଶନରେ ଯାଉଥିଲେ ସେମାନଙ୍କୁ ଟୋଲ୍‌ଗେଟ୍‌ରେ ଅଟକାଇ ଚାନ୍ଦା ଅସୁଲ କରୁଥିଲେ । ଗାଡ଼ି ଦେଖି ମନଇଚ୍ଛା ଟୋଲ୍‌ ଅର୍ଥ ଆଦାୟ କରାଯାଉଥିଲା । ପ୍ରତିବାଦ କଲେ ବିଭିନ୍ନ ଧମକଚମକ ଓ ଯୁକ୍ତିତର୍କ ମଧ୍ୟ ହେଉଥିଲା । ଏପରିକି ବାଇକ୍‌କୁ ମଧ୍ୟ ଛଡ଼ା ଯାଉନଥିଲା । ଅଭିଯୋଗ ଓ ପ୍ରତିବାଦ ପରେ ବାଇକ୍‌କୁ ବାଦ୍‌ ଦେଇ ଅନ୍ୟ ଗାଡ଼ିଗୁଡ଼ିକଠାରୁ ଅର୍ଥ ଆଦାୟ ହେଉଥିଲା । କାଉଡି଼ଯାତ୍ରା, ଜାଗର ଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା ଭଳି ବିଶେଷ ପର୍ବପର୍ବାଣୀ ସମୟରେ ଟୋଲଗେଟ୍‌କୁ ଆହୁରି ୫୦୦ ମିଟର ପଛ ପାନ୍ଥନିବାସ ନିକଟକୁ ଅଣାଯାଇ ଅର୍ଥ ଆଦାୟ କରାଯାଉଥିଲା । ଏହାକୁ ନେଇ ସବୁବେଳେ ବାଦବିବାଦ ଲାଗି ରହିଥିଲା । କେଉଁ ପର୍ଯ୍ୟଟନସ୍ଥଳୀରେ ଟୋଲ୍‌ ଗେଟ୍‌ ନଥିବାବେଳେ କପିଳାସ ଟୋଲ୍‌ଗେଟ୍‌କୁ ନେଇ ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀ ନକରାତ୍ମକ ଟିପ୍ପଣି ଦେଉଥିଲେ । ଆଦାୟ ରସିଦ୍‌କୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରୁଥିଲେ । ଏହା କପିଳାସ ପୀଠର ଗାରିମାକୁ କ୍ଷତି ପହଞ୍ଚାଉଥିଲା । 

ଏ ସମ୍ପର୍କରେ "ପ୍ରମେୟ' ଏପ୍ରିଲ୍‌ ୩ ତାରିଖ ସଂସ୍କରଣରେ "ଉଚ୍ଛେଦ ହେଉନି କପିଳାସ ଟୋଲଗେଟ୍‌' ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା । ଯାହାକୁ ନେଇ କପିଳାସ ସୁରକ୍ଷା ପରିଷଦର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ, ଦେବୋତ୍ତର କମିଶନର, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି ତୁରନ୍ତ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ । ଶେଷରେ ଦେବୋତ୍ତର ବିଭାଗ ଟୋଲଗେଟ୍‌କୁ ୧୭ ତାରିଖ ସୁଦ୍ଧା ସ୍ଥାନାନ୍ତର ନେଇ ନିଲାମଧାରୀଙ୍କୁ ନୋଟିସ୍‌ କରିଛି । କପିଳାସ ତଳେ ଥିବା ସନ୍ତୋଷୀ ମା'ଙ୍କ ମନ୍ଦିର ନିକଟକୁ ଏହି ଗେଟ୍‌ ସ୍ଥାନାନ୍ତର ପାଇଁ କୁହାଯାଇଛି । ଏ ନେଇ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ଟୋଲଗେଟ୍‌କୁ ନେଇ ବିଭିନ୍ନସ୍ତରରେ ଅଭିଯୋଗ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି । ନୋଟିସ୍‌ ପାଇବା ପରେ ନିଲାମଧାରୀ କ୍ଷତି ସହିବା ଆଶଙ୍କା କରି ଆଜି ଜିଲ୍ଲା କାର୍ଯ୍ୟାଳୟକୁ ଆସିଥିଲେ । କ୍ଷତି ହେଲେ ଏ ନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି କୁହାଯାଇଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.