ମୁମ୍ୱାଇ,୧୯/୦୫: ନୂଆ ଫିଲ୍ମ ‘ପେଡ୍ଡୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ତେଲୁଗୁ ସୁପରଷ୍ଟାର୍‌ ରାମ ଚରଣ । ସୋମବାର ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏଥିରେ ରାମ ଚରଣ ଗୋଟିଏ ନୁହେଁ, ବରଂ ୩-୩ଟି ଖେଳ ପରଦାରେ ଖେଳିବେ । ଫିଲ୍ମରେ ତାଙ୍କ ନାଁ ପେଡ୍ଡୀ, ଯିଏ ଗାଁ ଲୋକଙ୍କ ପାଇଁ ଜଣେ ଈଶ୍ୱରଙ୍କ ଅବତାର । ଗାଁ ଲୋକଙ୍କ ପାଇଁ ଖେଳ କହିଲେ ପେଡ୍ଡୀ ।

ପ୍ରିୟ କ୍ରିକେଟର୍‌ କିଏ ପଚାରିଲେ, ଉତ୍ତର ପେଡ୍ଡୀ । ପ୍ରିୟ ମଲ୍ଲଯୋଦ୍ଧା ପେଡ୍ଡୀ । ଏମିତିକି ଦୌଡ଼ରେ ବି ପେଡ୍ଡୀ ସମସ୍ତଙ୍କଠୁ ଆଗରେ । ତେବେ ଗାଁ ଲୋକଙ୍କ ଉପରେ ଏକ ବହୁତ ବଡ଼ ବିପଦ ପଡ଼ିଥିବା ଟ୍ରେଲରରେ ଦେଖିବାକୁ ମିଳିଛି । କିଛି ଲୋକ ସେମାନଙ୍କୁ ହଇରାଣ କରୁଛନ୍ତି, ଯାହାଙ୍କ ପାଇଁ ପେଡ୍ଡୀ ଆଗେଇ ଆସିଛି । ଟ୍ରେଲର୍‌ ଦର୍ଶକଙ୍କୁ ଯେତିକି ଉତ୍ସାହିତ କରିଛି, ସେତିକି ଦ୍ୱନ୍ଦ୍ୱରେ ବି ପକାଇଛି । ରାମ ଚରଣ ‘ପେଡ୍ଡୀ’ ପାଇଁ ଖୁବ୍‌ ପରିଶ୍ରମ କରିଛନ୍ତି । ମଲ୍ଲଯୋଦ୍ଧା ଭଳି ଶରୀର ପାଇବାକୁ ସେ ଅନେକ କିଲୋ ଓଜନ ବଢ଼ାଇଛନ୍ତି ଏବଂ କଠିନ ତାଲିମ ନେଇଛନ୍ତି, ଯାହାର ଝଲକ୍‌ ବି ଟ୍ରେଲର୍‌ରେ ଦେଖିବାକୁ ମିଳିଛି । 

ଆହୁରି ପଢନ୍ତୁ-CM2026 ଥାଲାପତି ବିଜୟଙ୍କ କାର ନମ୍ୱର , ଉପହାରରେ ଦେଲେ ନିର୍ଦ୍ଦେଶକ​​​​​​​

ରାଜାମୌଲୀଙ୍କ ହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ପରେ ତାଙ୍କର କୌଣସି ହିଟ୍‌ ଫିଲ୍ମ ଆସିନାହିଁ । ‘ପେଡ୍ଡୀ’ ତାଙ୍କୁ କେତେ ସଫଳତା ଦେବ, ତାହା ଦେଖିବାକୁ ଦର୍ଶକ ଖୁବ୍‌ ଉତ୍ସାହିତ । ଏଥିରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଜାହ୍ନବୀ କପୁର । ଫିଲ୍ମର ରିଲିଜ୍‌ ତାରିଖ ବାରମ୍ବାର ବଦଳିବା ଯୋଗୁ ଫ୍ୟାନ୍‌ଙ୍କ ଅପେକ୍ଷା ବଢ଼ିଚାଲିଛି । ମାର୍ଚ୍ଚ ୨୭ରେ ରାମ ଚରଣଙ୍କ ଜନ୍ମଦିନରେ ଫିଲ୍ମ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ‘ଧୁରନ୍ଧର-୨’ ଯୋଗୁ ଏପ୍ରିଲ ୩୦କୁ ଘୁଞ୍ଚାଇ ଦିଆଗଲା । ତା’ପରେ ପୁଣି ରିଲିଜ୍‌ ବାତିଲ ହେଲା । ସଦ୍ୟ ରିପୋର୍ଟ ଅନୁସାରେ, ଆସନ୍ତା ଜୁନ୍‌ ୪ରେ ଫିଲ୍ମ ଥିଏଟରକୁ ଆସିବ । ‘ଟକ୍ସିକ୍‌’ର ରିଲିଜ୍‌ ବାତିଲ ହେବା ପରେ ନିର୍ମାତା ଏହି ନିଷ୍ପତ୍ତି ନେଲେ ।