ଭୁବନେଶ୍ୱର,୨୯/୦୮: ସ୍କୁଲ ଛାଡ଼ିବା  (ଡ୍ରପ୍‌ ଆଉଟ୍‌) ହାର କମାଇବା ପାଇଁ ସରକାର  ବିଭିନ୍ନ ଯୋଜନା କରୁଛନ୍ତି । ଜାତୀୟସ୍ତରରେ  ଡ୍ରପ୍‌ଆଉଟ ଉଲ୍ଲେଖନୀୟ ହାରରେ ହ୍ରାସ ପାଉଛି, ହେଲେ ଓଡ଼ିଶାରେ ବଢ଼ୁଛି । ଅର୍ଥାତ୍‌ ଅଧିକ ପିଲା ଅଧାରୁ ସ୍କୁଲ ଛାଡ଼ି ଦେଉଛନ୍ତି । ୨୦୨୩-୨୪  ଶିକ୍ଷାବର୍ଷରେ ମାଧ୍ୟମିକ ସ୍ତରରେ ଡ୍ରପ୍‌ଆଉଟ ହାର ୯.୧ % ଥିବା ବେଳେ ଏବେ ୯.୮%କୁ  ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ପ୍ରତି ଶହେ ଜଣରେ ପାଖାପାଖି ୧୦ ଜଣ ପାଠ ଛାଡ଼ି ଦେଉଛନ୍ତି ।  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ  ୟୁନିଫାଇଏଡ୍‌ ଡିଷ୍ଟ୍ରିକ୍‌ ଇନ୍‌ଫରମେସନ୍‌ ସିଷ୍ଟମ ଫର  ଏଜୁକେସନ (ୟୁଡିଆଇଏସ୍‌ଇ) ରିପୋର୍ଟ ୨୦୨୪- ୨୫ରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଜାତୀୟ  ଶିକ୍ଷା ନୀତି (ଏନ୍‌ଇପି) ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । 

ରିପୋର୍ଟ ଅନୁଯାୟୀ, ଜାତୀୟସ୍ତରରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଡ୍ରପ୍‌ଆଉଟ ହାର କମିଛି । ୨୦୨୩-୨୪ରେ ମାଧ୍ୟମିକ ସ୍ତରରେ ଡ୍ରପ୍‌ଆଉଟ୍‌  ହାର ୧୦.୯% ଥିଲା । ଏହା ୨୦୨୪-୨୫ରେ  ୮.୨%ରେ ପହଞ୍ଚିଛି । ସେହିପରି ଉଚ୍ଚପ୍ରାଥମିକ  ସ୍ତରରେ ୫.୨% ଥିବା ବେଳେ ୨୦୨୪-୨୫ରେ  ୩.୫%, ଗତବର୍ଷ ମାଧ୍ୟମିକରେ ୩.୭% ଥିବା  ବେଳେ ଚଳିତ ରିପୋର୍ଟ ୨.୩%ରେ ରହିଛି । 

ଓଡ଼ିଶାରେ ୨୦୨୩-୨୪ ଶିକ୍ଷାବର୍ଷରେ  ପ୍ରାଥମିକ ଶିକ୍ଷା ସ୍ତରରେ ଡ୍ରପ୍‌ଆଉଟ୍‌ ହାର  ୦.୫%, ଉଚ୍ଚ ପ୍ରାଥମିକରେ ୧.୭%, ହାଇସ୍କୁଲରେ  ୯.୧% ଥିଲା । ଏହା ବୃଦ୍ଧି ପାଇ ୨୦୨୪-୨୫ରେ  ପ୍ରାଥମିକ ସ୍ତରରେ ୧.୪%, ଉଚ୍ଚ ପ୍ରାଥମିକରେ  ୩.୨% ଓ ମାଧ୍ୟମିକରେ ୯.୮% ହୋଇଛି । 

ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ  ଡ୍ରପ୍‌ଆଉଟ୍‌ ହାର ୨୦୨୩-୨୪ ବର୍ଷ ଅପେକ୍ଷା  କମିଛି । କେବଳ ଏଇ ଦୁଇଟି ରାଜ୍ୟ ନୁହେଁ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଆସାମ ଭଳି  ଅନେକ ରାଜ୍ୟରେ ଡ୍ରପ୍‌ ଆଉଟ୍‌ ହାର କମିଛି ।  

କେବଳ ଡ୍ରପ୍‌ ଆଉଟ୍‌ ନୁହେଁ, ରିପୋର୍ଟ  କହୁଛି ରାଜ୍ୟରେ ୬୧ ହଜାର ୫୬୫ ସ୍କୁଲ ଥିଲା  ବେଳେ ୭୬ ଲକ୍ଷ ୪୪ ହଜାର ୦୫୨ ପିଲା  ପଢୁଛନ୍ତି । ପାଠ ପଢ଼ାଇବାକୁ ୩, ୪୪, ୧୧୬  ଶିକ୍ଷକ ଅଛନ୍ତି । ହାରାହାରି ପ୍ରତି ୨୨ ଜଣ ପିଲାଙ୍କୁ  ପଢ଼ାଇବାକୁ ଜଣେ ଶିକ୍ଷକ ଅଛନ୍ତି । ଜାତୀୟସ୍ତରରେ  ଆନୁପାତିକ ହାର ୨୪ ଥିଲା ବେଳେ ପଡ଼ୋଶୀ  ରାଜ୍ୟଗୁଡ଼ିକ ଠାରୁ ଓଡ଼ିଶା ଉନ୍ନତ ସ୍ଥିତିରେ  ଅଛି । ୧୦୮୯ ଏମିତି ସ୍କୁଲ ଅଛି ଯେଉଁଠି ମାତ୍ର  ଜଣେ ଶିକ୍ଷକ ଅଛନ୍ତି । ଏହି ସ୍କୁଲଗୁଡ଼ିକରେ  ପଢୁଛନ୍ତି ୪୭ ହଜାର ୯୪୦ ପିଲା । ଅର୍ଥାତ ୪୪  ପିଲାଙ୍କୁ ଜଣେ ମାତ୍ର ଶିକ୍ଷକ ପାଠ ପଢ଼ାଉଛନ୍ତି । 

ନୂଆ ନାମଲେଖା ସରକାରୀ ସ୍କୁଲରେ ବୃଦ୍ଧି  ପାଇଛି । ୪ଲକ୍ଷ ୨୭ ହଜାର ୨୭୧ ଜଣ ପିଲା  ପ୍ରଥମ ଶ୍ରେଣୀ ପାଇଁ ସରକାରୀ ସ୍କୁଲରେ ନାମ  ଲେଖାଇଥିବା ବେଳେ ଘରୋଇ ସ୍କୁଲରେ ମାତ୍ର  ୧ ଲକ୍ଷ ୬୨ ହଜାର ୭୩୭ ଜଣ ଲେଖାଇଛନ୍ତି।