ମ.ରାମପୁର,୩୦/୬(ହେମନ୍ତ କୁମାର ସାହୁ): ସେମାନେ ପତିପତ୍ନୀ । ପନ୍ଦର ବର୍ଷ ଧରି ଦାମ୍ପତ୍ୟ  ଜୀବନ ଅତିବାହିତ କରୁଛନ୍ତି । ଇତିମଧ୍ୟରେ ସେମାନଙ୍କର ୫ ସନ୍ତାନ ହେଲେଣି । ୪  ପୁଅ, ଗୋଟିଏ ଝିଅ । ଜନଜାତି ସମ୍ପ୍ରଦାୟର ରୀତିନୀତିକ୍ରମେ ଦାମ୍ପତ୍ୟ ଜୀବନ ଆରମ୍ଭ  କରିଥିଲେ। ହେଲେ ଆନୁଷ୍ଠାନିକ ସ୍ୱୀକୃତି ନ  ଥିଲା । ସେଥିପାଇଁ ପତି-ପତ୍ନୀ ଅଲଗା ହେଲେ ।  କନ୍ୟାପକ୍ଷ ବର ଘରକୁ ଯାଇ ଝିଅକୁ ଫେରାଇ  ଆଣିଲେ। ପୁଣି ଆରମ୍ଭ ହେଲା ବିବାହ ପ୍ରକ୍ରିୟା । ତିଥି ନିର୍ଦ୍ଧାରିତ ହେବା ପରେ ବରପକ୍ଷରୁ  ସମ୍ପ୍ରଦାୟର ବରିଷ୍ଠମାନେ ଧୁମଧାମରେ ବରଯାତ୍ରୀ  ଗଲେ । ବରଯାତ୍ରୀରେ ଦମ୍ପତିଙ୍କ ପୁଅମାନେ ବି  ନାଚିଲେ । "କ୍ରିଉ କିଚେଡ୍‌’ ଅର୍ଥାତ୍‌ କିଚିରି ପିନ୍ଧା  ବା ବରପକ୍ଷରୁ ରୁପେଲୀ ଅଳଙ୍କାର ଧାରଣ  ହେଲା । ତାପରେ ‘ସେଡି’ ବା ଆନୁଷ୍ଠାନିକ  ବିବାହ ସମ୍ପନ୍ନ ହେଲା । ଏହା ହେଉଛି କଳାହାଣ୍ଡି  ଜିଲ୍ଲା ମ.ରାମପୁର ଅଞ୍ଚଳରେ ରହୁଥିବା କୁଇକନ୍ଧ  ସମ୍ପଦ୍ରାୟର ବିବାହ ପରମ୍ପରା "କ୍ରିଉ କିଚେଡ୍‌ସେଡି’ର କଥା । ପରମ୍ପରାକ୍ରମେ ଗତ ୩୧ ତାରିଖ  ବ୍ଲକର ଦେଢ଼ଶୁଳୀ ପଞ୍ଚାୟତ ଅନ୍ତର୍ଗତ ପୁଇଝିରି  ଗ୍ରାମର ବୃଷୁଙ୍ଗା ମାଝି ଓ ବଣ୍ଡେଲପଦର ଗ୍ରାମର  କରେଲି ମାଝିଙ୍କ ବିବାହ ସମ୍ପନ୍ନ ହୋଇଛି । 

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର  ଦେଢ଼ଶୂଳୀ, ଲୁବେନଗଡ଼, ମାଣିକେରା ଭଳି  ଆଦିବାସୀ ଅଞ୍ଚଳରେ ଏହି ପରମ୍ପରା ବିଶେଷ  ଭାବେ ପ୍ରଚଳିତ । ଏହି ଅଞ୍ଚଳଟି କନ୍ଧମାଳ  ଜିଲ୍ଲାକୁ ଲାଗିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ  କୁଇକନ୍ଧ ସମାଜ ରହିଥିବାରୁ ଉଭୟ ଜିଲ୍ଲାରେ  ଏଭଳି ବିବାହ ପରମ୍ପରା ବର୍ଷ ବର୍ଷ ଧରି  ଚାଲିଆସିଛି । ବଣମୂଲକରେ ରହୁଥିବା ଏହି  ଜନଜାତିରେ ପ୍ରତିବର୍ଷ ପ୍ରାୟ ଆଠରୁ ଦଶଟି କ୍ରିଉ  କିଚେଡ ସେଡି (କିଚିରି ପିନ୍ଧା) ହୋଇଥାଏ ।  

କୁଇକନ୍ଧ ସମ୍ପ୍ରଦାୟରେ ଯେଉଁ ଝିଅର  ବିବାହ କରିବାକୁ ବାପାଙ୍କ ସମ୍ବଳ ନ ଥାଏ ଏବଂ  ଝିଅଟିଏ ବିବାହଯୋଗ୍ୟ ହୋଇଯାଏ, ସେ ନିଜ  ଅଞ୍ଚଳରେ ବରପାତ୍ର ଦେଖିଥାଏ । ସାମାଜିକ  ସ୍ୱୀକୃତି ସହ ଝିଅକୁ ନେଇ ପୁଅଘରେ ଛାଡ଼ି  ଦେଇଆସନ୍ତି । ଏଭଳି ଅଣଆନୁଷ୍ଠାନିକ ବିବାହକୁ  ଜନଜୀବନରେ ଉଦୁଲିଆ କୁହାଯାଇଥାଏ ।  ପୁଅଘର ତରଫରୁ ଝିଅଘରକୁ ଏହାର  ପ୍ରତିଦାନ ସ୍ୱରୂପ ଗାଈ, ବଳଦ, ମଇଁଷି ଆଦିରୁ ଗୋଟିଏ କିମ୍ବା ଦୁଇଟି ଦେବାକୁ ହୁଏ । ଯାହାକୁ  ସେମାନେ ପ୍ରତିଦାନ ବୋଲି ବିଚାର କରନ୍ତି ।  ତା’ପରେ ଝିଅଟିଏ ସ୍ୱାମୀ ଘରେ ସଂସାର ଗଢ଼େ ।  ଦାମ୍ପତ୍ୟ ଜୀବନରେ ଝିଅଟି ଯଦି କିଛି ଭୁଲ  କରେ ସେଥିପାଇଁ ସ୍ୱାମୀ ଦୋଷୀ ହୁଏନି, ବରଂ  ଝିଅର ବାପା ଦୋଷୀସାବ୍ୟସ୍ତ ହୁଏ । ଯେପର୍ଯ୍ୟନ୍ତ  ଝିଅର ବାପଘର ତରଫରୁ ପରମ୍ପରା ଅନୁଯାୟୀ  ‘କ୍ରିଉ କିଚେଡି ସେଡି’ କରିନାହାନ୍ତି, ଝିଅଟିର  ସଂପୂର୍ଣ୍ଣ ଅଧିକାର ସ୍ୱାମୀ ପାଖରେ ନ ଥାଏ ।  ତେଣୁ ପ୍ରାୟ ଝିଅମାନେ ଏହି ସମୟରେ ନିଜକୁ  ଖୁବ୍‌ ମାର୍ଜିତ କରି ସ୍ୱାମୀ ସହିତ ବୈବାହିକ  ଜୀବନ କଟେଇଥାନ୍ତି । ଝିଅର ବାପା ଘର  ସକ୍ଷମ ହେବା ପରେ ପୁଅ ଘରକୁ ଯାଇ ‘କ୍ରିଉ  କିଚେଡ୍‌ ସେଡି’ ପାଇଁ ନିବେଦନ କରନ୍ତି ।  

ପ୍ରଥାନୁଯାୟୀ ବିବାହ ତିଥିର ପ୍ରାୟ ପନ୍ଦର  ଦିନ ପୂର୍ବରୁ ଝିଅକୁ ନିଜ ଘରକୁ ଫେରାଇ  ଆଣନ୍ତି । ନିର୍ଦ୍ଧାରିତ ଲଗ୍ନରେ ବରପକ୍ଷ ଜ୍ଞାତି,  ପରିଜନଙ୍କୁ ଧରି ବରଯାତ୍ରୀ ଯାଆନ୍ତି । ବରପାତ୍ରକୁ  ସମ୍ପର୍କୀୟ ଶାଳୀମାନେ ଗାଧୋଇ ଦେଇଥାଆନ୍ତି ।  ଝିଅକୁ ମଧ୍ୟ ଅନୁରୂପ ଭାବେ ତେଲ, ହଳଦୀ  ଲଗାଇ ସ୍ନାନ କରାଇଥାନ୍ତି । ଗାଧୋଇବା ପାଇଁ  ଗୋଟିଏ ଗରା ପାଣିକୁ ବର ପକ୍ଷରୁ ଶହେ ଟଙ୍କା  ହିସାବରେ ଦିଆଯାଇଥାଏ । ବର ଯେତେ ଗରା  ପାଣିରେ ଗାଧୋଇବାକୁ ଚାହେଁ ତାକୁ ସେତିକି  ଶହ ଟଙ୍କା ଦେବାକୁ ପଡ଼େ । ତାପରେ ଉଭୟେ  ନୂତନ ବସ୍ତ୍ର ପରିଧାନ କରନ୍ତି । ଝିଅର "କିଚିରି  ପିନ୍ଧା’(ରୁପା ଅଳଙ୍କାର ପରିଧାନ) କରାଯାଏ ।  ଗୋଟିଏ କାନରେ ୧୪ଟି ହିସାବରେ ଦୁଇଟି କାନରେ ୨୮ଟି କିଚିରି ପିନ୍ଧାଇବାର ପରମ୍ପରା  ରହିଛି । ନାଚଗୀତ, ଭୋଜିଭାତ ଭିତରେ ଝିଅକୁ  ପରିବାର ଲୋକେ ନିଜ ସାଧ୍ୟ ମତେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଇ ବିଦା କରନ୍ତି । ଏହି  ବିବାହ ସମୟରେ କର୍‌ ଏନ୍ଦା (ଖଣିନାଚ)  କରାଯାଇଥାଏ । ସଲପ, ମହୁଲି ପିଇ ଉଭୟ ପକ୍ଷ ଲୋକେ ନାଚଗୀତରେ ମସଗୁଲ ରହନ୍ତି ।  ପୁଣି ଝିଅଟି ନିଜ ବରଘରକୁ ଆସିଥାଏ । ଏଭଳି  ପରମ୍ପରାରେ ହୋଇଥିବା ବାହାଘରରେ କେବେ  ବି ବିବାହ ବିଚ୍ଛେଦ ହୋଇଥିବା ନଜରକୁ ଆସିନି  କି ଯୌତୁକ ନିର୍ଯାତନା ଦେବାର ମଧ୍ୟ ଦେଖିବାକୁ  ମିଳେନାହିଁ । କୁଇକନ୍ଧଙ୍କ ଏଭଳି ନିଆରା ବିବାହ  ପରମ୍ପରା ଆଜିର ସମାଜରେ ଉଦାହରଣୀୟ ।