ନୂଆଦିଲ୍ଲୀ: ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥାରୁ ନିଜର ଏକ ପ୍ରସ୍ତବାକୁ ଗୁରୁବାର ବିଳମ୍ବିତ ରାତିରେ ପ୍ରତ୍ୟାହାର କରିନେଇଛି ଇରାନ । ଶେଷ ମୁହୂର୍ତ୍ତରେ ଏଭଳି ପରିବର୍ତ୍ତନ ପାଇଁ ଆମେରିକା ଚାପ ପକାଇଥିଲା ବୋଲି ଇରାନ୍ କହିଛି । ଜୁନ୍ ମାସରେ ଇସ୍ରାଏଲ ଇରାନ ଉପରେ ବଡ଼ ଆକ୍ରମଣ ଆରମ୍ଭ କରିଥିଲା । ପରେ ଏହି ଯୁଦ୍ଧରେ ଆମେରିକା ମଧ୍ୟ ସାମିଲ ହୋଇଥିଲା। ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ବି-୨ ବମରରୁ GBU-57 ବଙ୍କର ବଷ୍ଟର ବୋମା ନିକ୍ଷେପ କରିଥିଲା। ଏହା ପରେ ଇରାନ, ବେଲାରୁଷ, ଚୀନ୍, ନିକାରାଗୁଆ, ରୁଷ ଏବଂ ଭେନେଜୁଏଲା ସହିତ ମିଳିତ ଭାବରେ ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥା, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ବାର୍ଷିକ ସାଧାରଣ ସମ୍ମିଳନୀରେ ଆକ୍ରମଣକୁ ନିନ୍ଦା କରି ଏକ ଡ୍ରାଫ୍ଟ ପ୍ରସ୍ତାବ ଦାଖଲ କରିଥିଲା ।
ଇରାନର ରାଷ୍ଟ୍ରଦୂତ ରେଜା ନଜାଫି ଆଇଏଇଏ ବୈଠକରେ କହିଥିଲେ ଯେ, ଡ୍ରାଫ୍ଟ ପ୍ରସ୍ତାବ ଉପରେ ମତଦାନ ହେବ ନାହିଁ । ଇରାନର ହଠାତ୍ ପ୍ରସ୍ତାବ ପ୍ରତ୍ୟାହାର ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ଇରାନ ରାଷ୍ଟ୍ରଦୂତ ରେଜା ନଜାଫି କହିଛନ୍ତି ଯେ, ଅନେକ ଦେଶ ତାଙ୍କୁ ବ୍ୟକ୍ତିଗତ ଭାବରେ କହିଛନ୍ତି ଯେଏ ସେମାନେ ଆମେରିକାର ପ୍ରବଳ ଚାପ ଏବଂ ଧମକର ସମ୍ମୁଖୀନ ହେଉଛନ୍ତି । ସେ ଦାବି କରିଛନ୍ତି ଯେ, ଯଦି ପ୍ରସ୍ତାବ ଗୃହୀତ ହୁଏ ତେବେ ଆମେରିକା IAEAକୁ ସ୍ୱେଚ୍ଛାକୃତ ଆର୍ଥିକ ଅବଦାନ ହ୍ରାସ କରିବାକୁ ଧମକ ଦେଇଛି । ଏଏଫପି ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଅନେକ କୂଟନୀତିଜ୍ଞ କହିଛନ୍ତି, ଯଦି ପ୍ରସ୍ତାବ ଗୃହୀତ ହୁଏ ତେବେ ଆମେରିକା IAEA ବଜେଟରେ ସ୍ୱେଚ୍ଛାକୃତ ଅବଦାନ ହ୍ରାସ କରିବ ବୋଲି ଚେତାବନୀ ଦେଇଛି ।
ଜୁନ୍ ୨୦୨୫ ରେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଉଦ୍ଦେଶ୍ୟମୂଳକ ଏବଂ ବେଆଇନ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଏହି ପ୍ରସ୍ତାବ ଆଗତ କରାଯାଇଥିଲା । ଡ୍ରାଫ୍ଟ ପ୍ରସ୍ତାବରେ ଏହି ଆକ୍ରମଣକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କୁହାଯାଇଛି । ପ୍ରସ୍ତାବ ଅନୁଯାୟୀ, ଏପରି ଆକ୍ରମଣ କେବଳ ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ପାଇଁ ଗମ୍ଭୀର ବିପଦ ନୁହେଁ ବରଂ ବିଶ୍ୱସନୀୟତା ଏବଂ ଅଖଣ୍ଡତାକୁ ମଧ୍ୟ ଦୁର୍ବଳ କରେ। ଏବେ ଇରାନ ଆଇଏଇଏ ସହିତ କାମ କରିବା ପାଇଁ ଏକ ନୂତନ ଢାଞ୍ଚା ପାଇଁ ରାଜି ହୋଇଛି।
ସେପଟେ ବିବାଦୀୟ ପରମାଣୁ କାର୍ଯ୍ୟକ୍ରମ ପାଇଁ ତେହରାନ ଉପରେ କଠୋର ଆର୍ଥିକ କଟକଣା ଲାଗୁ କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ଭୋଟିଂ ହେବ । ଏହି କଟକଣା ଇରାନର ଅର୍ଥନୀତି ଏବଂ ଏହାର ପରମାଣୁ କାର୍ଯ୍ୟକ୍ରମକୁ ସିଧାସଳଖ ପ୍ରଭାବିତ କରିପାରେ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଜାତିସଂଘର କଟକଣାକୁ ରୋକିବା ପାଇଁ ୟୁରୋପୀୟ ଶକ୍ତିଗୁଡ଼ିକୁ ଏକ ‘ନ୍ୟାୟପୂର୍ଣ୍ଣ ଏବଂ ସନ୍ତୁଳିତ’ପ୍ରସ୍ତାବ ଦାଖଲ କରିବାକୁ ଦାବି କରିଛନ୍ତି।