ନିକଟ ଅତୀତରେ ଆମ ସଂସଦରେ ବିକଶିତ ଭାରତ- ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ଭିବି ଜି-ରାମ-ଜି ଆଇନ ପାରିତ ହୋଇଛି । ଦେଶରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ଆଇନର ବିରୋଧ କରିବା ସହ ରୋଜଗାରର ଗ୍ୟାରେଣ୍ଟି ଶେଷ ହୋଇଯିବା, ଗାନ୍ଧୀଜୀଙ୍କ ଅପମାନ ପରି ସଂପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣି ଜନମତ ଭ୍ରମିତ କରିବାର ଅପଚେଷ୍ଟା କରୁଛି । ଆମ୍ ଆଦ୍‌ମୀ ପାର୍ଟି ଶାସିତ ପଞ୍ଜାବ ବିଧାନସଭାରେ ଏହି ଆଇନ ବିରୁଦ୍ଧରେ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ଗଣତନ୍ତ୍ରରେ ଦ୍ୱିମତ ହେବା କିଛି ଖରାପ କଥା ନୁହେଁ । ମତ ଓ ଭିନ୍ନ ଭିନ୍ନ ମତ ଓ ମତ ମତାନ୍ତର ଗଣତନ୍ତ୍ରକୁ ସୁଦୃଢ଼ କରେ । ଏହା ଆମେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ପୃଷ୍ଠଭୂମିରୁ ସରକାରକୁ ଆସିଥିବା ବ୍ୟକ୍ତିମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅଖଣ୍ଡ ବିଶ୍ୱାସ । ମାତ୍ର ଗଣତାନ୍ତ୍ରିକ ବିତର୍କର ଗୋଟିଏ ବଡ଼ ସର୍ତ୍ତ ରହିଛି । ଏହି ମତାନ୍ତରର ଆଧାର ସତ୍ୟ ଓ ତଥ୍ୟ ଆଧାରିତ ହେବା ଉଚିତ । ବିତର୍କର ନିର୍ଯ୍ୟାସ ଯେତେବେଳେ ସାମ୍ନାକୁ ଆସିବ, କିଏ ଠିକ୍ କିଏ ଭୁଲ୍ ସେତେବେଳେ ତାର ଆନୁଷ୍ଠାନିକ ଘୋଷଣାର ଆବଶ୍ୟକତା ନାହିଁ । ଭାରତ ଓ ଓଡ଼ିଶାର ସମୃଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ସେମାନଙ୍କର ମନ ବନେଇ ନେବେ ।

ଭିବି ଜି-ରାମ-ଜି ବିବାଦ ପରିପ୍ରେକ୍ଷୀରେ ଓଡ଼ିଆ ଲୋକମାନଙ୍କର ଜଣେ ସେବକ ଭାବରେ ଏହ ନିବନ୍ଧ ମାଧ୍ୟମରେ କିଛି ତଥ୍ୟ ଓ ସତ୍ୟକୁ ଉପସ୍ଥାପିତ କରିବି । ମୋ ବୈଚାରିକ ପୃଷ୍ଠଭୂମି ଆଧାରରେ ବ୍ୟାଖ୍ୟା କରିବି । ମୋ ପ୍ରିୟ ଓଡ଼ିଶାବାସୀ ଏହାକୁ ହୃଦୟଙ୍ଗମ କରିବେ ବୋଲି ମାର ଦୃଢ଼ ବିଶ୍ୱାସ । ଏହା ସହ ଆଦିବାସୀ, ଦଳିତ, ପଛୁଆବର୍ଗ, ମହିଳା, ଚାଷୀ ଓ ଯୁବପିଢ଼ିର କିଏ ହିତାକାଂକ୍ଷୀ, କିଏ ଗରିବର ପ୍ରକୃତ ବନ୍ଧୁ ତାର ଆକଳନ ବି ସ୍ପଷ୍ଟଭାବରେ କରିଦେବେ ।

ନିବନ୍ଧ ଆରମ୍ଭରୁ ମୁଁ ସ୍ପଷ୍ଟତାର ସହ କହିବାକୁ ଚାହେଁ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ । ବିକଶିତ ଭାରତର ମୂଳଦୁଆ ଗରିବ କଲ୍ୟାଣ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଆମ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ, ମାନେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ । ବିକଶିତ ଭାରତ ଗଠନରେ ଓଡ଼ିଶାର ଏକ ପ୍ରମୁଖ ଭୂମିକା ରହୁ, ଏଥିପାଇଁ ମୋଦିଜୀଙ୍କ ମାର୍ଗଦର୍ଶନରେ ବିକାଶର ନକ୍ସା ଆଧାରରେ ଆମେ କାମ କରୁଛୁ ।

ମୋର ଦୃଢ଼ ବିଶ୍ୱାସ, ଏହି ନୂତନ ଭିବି ଜି-ରାମ-ଜି ଆଇନ ମୋଦିଜୀଙ୍କ ବିକଶିତ ଭାରତ ନିର୍ମାଣ ସ୍ୱପ୍ନକୁ ସାକାର କରିବା ପାଇଁ ଗରିବ ଓ ମେହନତି ମଣିଷର ଯୋଗଦାନକୁ ଆହୁରି ବଢ଼ାଇବ । ପୁରୁଣା ଏମଜିଏନଆରଇଜିଏ’ର ତ୍ରୁଟି ବିଚ୍ୟୁତିକୁ ଅନୁଭବ ଆଧାରରେ ଦୂରକରି ଭିବି ଜିରାମ-ଜି ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ଏବେ ଆସିବା କିଛି ତଥ୍ୟକୁ । ପୂର୍ବରୁ କିଛି ମତ ରଖିଲି ଏବଂ ପରେ ମୋର ମତ ରଖିବି । ମତ ସହ କିଏ ଦ୍ୱିମତ ହୋଇପାରେ । ମାତ୍ର ତଥ୍ୟ ହେଉଛି ପ୍ରାମାଣିକ ସତ୍ୟ । ମୋ ସାମ୍ନାକୁ ଆସିଥିବା କିଛି ତଥ୍ୟ ମୁଁ ଆପଣଙ୍କ ସାମ୍ନାରେ ଉପସ୍ଥାପନା କରୁଛି ।

ୟୁପିଏ ଶାସନର ଦ୍ୱିତୀୟ ପାଳିରେ ଏମଜିଏନଆରଇଜିଏ ଯୋଜନାରେ ବଜେଟ୍ ପ୍ରବଳ ମାତ୍ରାରେ ତଳକୁ ତଳକୁ ଯାଇଥିଲା । ୨୦୧୦-୧୧ ଆର୍ଥିକ ବର୍ଷରେ ୪୦,୧୦୦ କୋଟିର ବଜେଟ୍ ୨୦୧୨-୧୩ ଆର୍ଥିକ ବର୍ଷରେ ୩୩,୦୦୦ କୋଟିରେ ପହଞ୍ଚିଥିଲା । ସେତେବେଳର ବିଭାଗୀୟ ରାଜ୍ୟ ପାହ୍ୟା ମନ୍ତ୍ରୀ ରାଜୀବ ଶୁକ୍ଳା ସଂସଦରେ ଉତ୍ତର ଦେଇ କହିଥିଲେ ୨୦୧୦-୧୧ରେ ୭.୫୫ କୋଟି ଶ୍ରମିକରୁ ୨୦୧୩ ନଭେମ୍ବର ବେଳକୁ ଏହା ଖସି ୬.୯୩ କୋଟିରେ ପହଞ୍ଚିଥିଲା । ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ, ଶ୍ରମିକକୁ ଅର୍ଥ ପ୍ରଦାନରେ ପାରଦର୍ଶିତାର ଘୋର ଅଭାବ, ପ୍ରଶାସନିକ ସ୍ଥାଣୁତା ଶ୍ରମିକମାନଙ୍କର ଏହି ଯୋଜନାରେ କାମ ପାଇଁ ଆଗ୍ରହକୁ କମ୍ କରୁଥିଲା ।

ମୋଦି ଶାସନ କାଳ ଆରମ୍ଭରୁ ଏମଜିଏନଆରଇଜିଏ ଯୋଜନାକୁ ଦୁର୍ବଳ କରିଦେବାକୁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସଂସଦ ଭିତରେ ଓ ବାହାରେ ବହୁ ତୁମ୍ଭିତୋଫାନ ହୋଇଛି । ବିତର୍କ ତଥ୍ୟ ଆଧାରିତ ହେବା ଉଚିତ । ୨୦୧୩-୧୪ ୟୁପିଏ ଶେଷ ବର୍ଷରେ ଏହି ଯୋଜନାର ୩୩ହଜାର କୋଟି ବଜେଟ ବଢ଼ି ବଢ଼ି ମୋଦିଙ୍କ ଶାସନରେ ୨୦୨୪-୨୫ରେ ୮୬ ହଜାର କୋଟିରେ ପହଞ୍ଚିଛି । ୟୁପିଏର ଶେଷ ବର୍ଷ ୨୦୧୩-୧୪ରେ ୧୬୬୦ କୋଟି ମ୍ୟାନ୍ ଡେଜର କାମ ଏନଡିଏ ଶାସନରେ ୩,୨୧୦ କୋଟିରେ ପହଞ୍ଚିଥିଲା । ଏହି ସମୟରେ କେନ୍ଦ୍ରୀୟ ଅର୍ଥର ବ୍ୟୟ ବରାଦ ୨.୧୩ଲକ୍ଷ କୋଟିରୁ ବଢ଼ି ୮.୫୩ଲକ୍ଷ କୋଟିରେ ପହଞ୍ଚିଲା । ସମ୍ପୂର୍ଣ୍ଣ କାମର ସଂଖ୍ୟା ୧୫୩ ଲକ୍ଷରୁ ୮୬୨ ଲକ୍ଷରେ ପହଞ୍ଚିଲା । ଏହି କାମରେ ମହିଳାଙ୍କ ଭାଗୀଦାରୀ ୪୮ ପ୍ରତିଶତରୁ ବଢ଼ି ୫୬ ପ୍ରତିଶତରୁ ଅଧିକ ହେଲା । ଏହି ଯୋଜନାରେ ପାଖାପାଖି ୯୯ ପ୍ରତିଶତ ଶ୍ରମିକ ଆଧାର ସଂଯୁକ୍ତ ଅର୍ଥ ପ୍ରଦାନରେ ଯୋଡ଼ି ହୋଇଥିଲେ ।

ଏହା ଏହି ଯୋଜନା ପ୍ରତି ବୈମାତୃକ ମନୋଭାବ ନୁହେଁ, ବରଂ ମୋଦି ସରକାରଙ୍କର ଗରିବମାନଙ୍କୁ ଲାଭ ପହଞ୍ଚାଇବାର ନିଷ୍ଠାକୁ ହିଁ ଦର୍ଶାଉଛି । ନାମ ପରିବର୍ତ୍ତନ ବିବାଦକୁ ପରେ ଆସିବି, ମାତ୍ର ଆଉ କିଛି ତଥ୍ୟକୁ ମୁଁ ଆପଣଙ୍କ ସାମନାରେ ଉପସ୍ଥାପନା କରିବାକୁ ଚାହୁଁଛି । ପୁରୁଣା ଏମଜିଏନଆରଇଜିଏ ଯୋଜନାରେ ପରିବାର ପିଛା ବାର୍ଷିକ ୧୦୦ ଦିନର କାମର ଗ୍ୟାରେଣ୍ଟି ଥିଲା । ମାତ୍ର ଯଦି ଆମେ ତଥ୍ୟକୁ ଦେଖିବା ୧୦୦ ଦିନ ପରିବର୍ତ୍ତେ ହାରାହାରି ୫୦ ଦିନର କାମ ମିଳୁଥିଲା । ଏହି ଯୋଜନାରେ ତଦାରଖ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥାରେ ଗୁରୁତର ତ୍ରୁଟିବିଚ୍ୟୁତି ଥିଲା । ଯାହାପାଇଁ ଏହି ଯୋଜନା ଦୁର୍ନୀତିରେ ପୋତି ହୋଇପଡ଼ୁଥିଲା । ୨୦୦୬ରୁ ୨୦୧୧ ଭିତରେ ବିହାରରେ ୬ହଜାର କୋଟିର ସ୍କାମ୍, ୨୦୧୧ ମସିହାରେ ଉତ୍ତରପ୍ରଦେଶରେ ୧୦ହଜାର କୋଟିର ଫେକ୍ ଜବ୍ କାର୍ଡ, ମିଛ ପରଚେଜ୍ର ସ୍କାମ୍ ସାମ୍ନାକୁ ଆସିଥିଲା । ୨୦୧୨ ମସିହାରେ ଆମ ଓଡ଼ିଶା ସମ୍ବଲପୁରରେ ମୃତ, ବୟୋବୃଦ୍ଧ, ରୋଗୀଙ୍କୁ ନେଇ ମିଛ କର୍ମନିଯୁକ୍ତି, ଅର୍ଦ୍ଧନିର୍ମିତ ରାସ୍ତାକାମ ତଥା ଆଦୌ ହୋଇନଥିବା କାମର ବିଲ୍ ଉଠିଥିଲା । ଗୋଟିଏ କାମକୁ ବାରମ୍ବାର ବିଲ୍ କରାଯାଇଥିଲା । ମୋଟାମୋଟି ଦୁର୍ବଳ ଯୋଜନା, ଅସଂଗଠିତ ବା ଅନଷ୍ଟ୍ରକଚର୍ଡ କର୍ମନିଯୁକ୍ତି, ସ୍ଥାନୀୟ ବିକାଶ ଆବଶ୍ୟକତା ଅନୁସାରେ ଯୋଜନା ନହେବା, ବିଭିନ୍ନ ଋତୁକାଳୀନ ଓ ପ୍ରଶାସନିକ ସମସ୍ୟା ଏହି ଏମଜିଏନଆରଇଜିଏ ଯୋଜନାକୁ ଅନ୍ତଃସାରଶୂନ୍ୟ କରିଦେଇଥିଲା ।

ଏମଜିଏନଆରଇଜିଏକୁ ସମାପ୍ତ କରି ଭିବି ଜି-ରାମ-ଜି ମୋଦିଙ୍କ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ହାସଲ କରିବାକୁ ଉଦ୍ଦିଷ୍ଟ । ୧୦୦ ଦିନ ପରିବର୍ତ୍ତେ ୧୨୫ କାର୍ଯ୍ୟ ଦିବସରେ ଗ୍ୟାରେଣ୍ଟି ଏଥିରେ ଅଛି । ଗ୍ରାମାଞ୍ଚଳ କର୍ମନିଯୁକ୍ତି ବ୍ୟବସ୍ଥାର ଆଧୁନିକୀକରଣ କରାଯାଇ ପୂର୍ବ ଆଇନରେ ଥିବା ବହୁଦିନର ଦୁର୍ବଳତାକୁ ଦୂର କରାଯାଇଛି । ଦୀର୍ଘସ୍ଥାୟୀ ଗ୍ରାମୀଣ ଆସେଟ୍ ପ୍ରସ୍ତୁତ କରିବା ମାଧ୍ୟମରେ ଗ୍ରାମାଞ୍ଚଳରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଏହି ନୂଆ ନିୟମର ମୂଳ ଲକ୍ଷ୍ୟ । ପୂର୍ବରୁ ଲେବର୍ ବଜେଟ ଅନିଶ୍ଚିତ ଥିଲା । ଏଥିରେ ପରିବର୍ତ୍ତନ କରାଯାଇ ରାଜ୍ୟମାନଙ୍କୁ ମଧ୍ୟ ଅନେକ କ୍ଷେତ୍ରରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ୨୬୦ ପ୍ରକାରର ଛୋଟ ବଡ଼ କାମକୁ ଷ୍ଟ୍ରିମ୍ ଲାଇନ୍ କରାଯାଇ ଚାରିଟି ପ୍ରମୁଖ କ୍ଷେତ୍ରରେ କର୍ମନିଯୁକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଗୁଡ଼ିକ ହେଲା ଗ୍ରାମାଞ୍ଚଳ ବିକାଶର ୪ଟି ପ୍ରମୁଖ ଦିଗ ଯଥା- ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ସମ୍ପଦ ଏବଂ ଜଳବାୟୁ ସୁରକ୍ଷା । ଏହା ୨୦୪୭ ବିକଶିତ ଭାରତର ୪ ଆଧାର ସ୍ତମ୍ଭ ହେବ । କୃଷିକ୍ଷେତ୍ରକୁ ଆଖିଆଗରେ ରଖି ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତସ୍ତରରେ ଚାଷ ଓ ଅମଳ ସମୟରେ ୬୦ଦିନ ଏହି କାମ ଦେବା ପାଇଁ ସ୍ଥାନୀୟସ୍ତରରେ ନିଷ୍ପତ୍ତି ନେବାପାଇଁ ଅଧିକାର ଦିଆଯାଇଛି । ଅର୍ଥାତ୍, ପୂର୍ବରୁ ଯେପରି ମିଛରେ କାମ ହୋଇଛି କହି ମିଛ କାଗଜପତ୍ର ଆଧାରରେ ଖର୍ଚ୍ଚ କରାଯାଇଥିଲା ସେଥିରେ ରୋକ୍ ଲାଗିବ । ଏହାଦ୍ୱାରା କୃଷିକ୍ଷେତ୍ରରେ ଶ୍ରମିକ ଅଭାବ ଓ ମଜୁରି ବଢ଼ିବା ସମସ୍ୟା ଦୂରହେବ ।

ଏଆଇ ଏବଂ ଜିପିଏସ ମୋବାଇଲ୍ ଟ୍ରାକିଂ ଆଧୁନିକ ଟେକ୍ନୋଲୋଜି ଆଦିର ବହୁଳ ବ୍ୟବହାର, ବାଧ୍ୟତାମୂଳକ ତଥ୍ୟ ସାର୍ବଜନୀନକରଣ, ବାଧ୍ୟତାମୂଳକ ସୋସିଆଲ୍ ଅଡିଟ୍ ନୂଆ ଯୋଜନାକୁ ପାରଦର୍ଶୀ କରିବ । କାମ ମାଗିବାର ୧୫ଦିନ ମଧ୍ୟରେ କାମ ଯୋଗାଇ ନପାରିଲେ ଭତ୍ତା ଯୋଗାଣକୁ ସୁନିଶ୍ଚିତ କରାଯିବାର ବ୍ୟବସ୍ଥା କରାଯାଇଛି ।

ମୋଟାମୋଟି ଲୋକଙ୍କ ହାତକୁ କାମ ଦରକାର ଓ ରୋଜଗାର ଦରକାର । ମୋଦିଙ୍କ ଭିବି ଜି-ରାମ-ଜି’ରେ ଅଧିକ ଦିନ କାମ, ଅଧିକ ରୋଜଗାର, କାମ ନମିଳିଲେ ଭତ୍ତା ସହ ଟେକ୍ନୋଲୋଜିର ବହୁଳ ବ୍ୟବହାର ଚୋରି-ଚପାଟି ଓ ଦୁର୍ନୀତି ଉପରେ ରୋକ୍ ଲଗାଇବ । ଏହାସହ ଖାଲି କାମ ନୁହେଁ, ଦୀର୍ଘମିଆଦି ରୋଜଗାର ସୁଯୋଗ ସୃଷ୍ଟି ପାଇଁ ଭିତ୍ତିଭୂମି ସୃଷ୍ଟି କରିବ । ଗାଁ ଓ ଗରିବଙ୍କ ମନ ବୁଝି ସେମାନଙ୍କ ଜରୁରି ଆବଶ୍ୟକତା ପୂରଣ କରିବାର ରୋଜଗାରର ପନ୍ଥାକୁ ସୁନିଶ୍ଚିତ କରିବ ଭିବି ଜି-ରାମ-ଜି ।

ଆଉ ରହିଲା ଗାନ୍ଧୀଜୀଙ୍କ ନାଁ କାହିଁକି ବଦଳାଇଲ । ଆମେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ପାଇଁ ଗାନ୍ଧୀଜୀ ଓ ଦୀନଦୟାଲଜୀଙ୍କ ବିଚାର ସର୍ବୋପରି । ବାଜପେୟୀଜୀଙ୍କ ସୁଶାସନ ମଡେଲ୍ ହେଉ ବା ମୋଦିଜୀଙ୍କ ଗରିବ କଲ୍ୟାଣ ଏହା ମୂଳରେ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ଓ ଦୀନଦୟାଲଙ୍କ ଏକାତ୍ମ ମାନବ ଦର୍ଶନ । ଯାହାର ମୂଳମନ୍ତ୍ର ବିକାଶ ପାହାଚର ଶେଷ ଧାଡ଼ିରେ ଥିବା ଲୋକ ପାଖରେ ଯୋଜନାର ଲାଭ ପହଞ୍ଚାଇବା । ମୋଦିଜୀଙ୍କ ଭିବି ଜିରାମ-ଜି ପଛରେ ରହିଛି ଗାନ୍ଧୀବାଦର ପ୍ରେରଣା ।

ଶେଷରେ କଂଗ୍ରେସ ବନ୍ଧୁମାନଙ୍କୁ ପ୍ରଶ୍ନ, କଂଗ୍ରେସ ଶାସନରେ ଗୋଟିଏ ଯୋଜନାର ନାଁ ଥିଲା- ଜବାହାର ରୋଜଗାର ଯୋଜନା । ସେ ଯୋଜନା ରହିଲାନି । କଂଗ୍ରେସ ଶାସନ କାଳରେ ଏହା ହେଲା । ଏହାର ମାନେ କ'ଣ କଂଗ୍ରେସ ନେହେରୁଙ୍କର ଅପମାନ କଲା? ନା ଯୋଜନାରେ ‘ରାମ' ନାମ କଂଗ୍ରେସକୁ ଛଟପଟ କରୁଛି? ଜୟ ଜଗନ୍ନାଥ!