ନୂଆପଡ଼ା/ସିନାପାଲି, ୧୯/୧୦ : ଗୁଣିଗାରେଡ଼ି ସନ୍ଦେହରେ ଗାଁ ମଝିରେ ବୈଠକ ହେଲା । ଗ୍ରାମବାସୀ ବୃଦ୍ଧଙ୍କୁ ଗୁଣି ଗାରେଡ଼ି ବନ୍ଦ ପାଇଁ ଚେତାବନୀ ଦେଲେ । ସଂପୃକ୍ତ ବୃଦ୍ଧଜଣକ ଗୁଣି ଗାରେଡ଼ି ଜାଣିନଥିବା କହିଲେ । ତଥାପି ପ୍ରଜାକୋର୍ଟରେ ତାଙ୍କୁ କଠୋରଦଣ୍ଡ ଦେବାକୁ ପଛେଇଲେ ନାହିଁ । ବୃଦ୍ଧଙ୍କୁ ବେଣ୍ଟ(ପାଲରଶି)ରେ ଗୁଡ଼ାଇ ନିଆଁ ଲଗାଇ ଦେଇଥିଲେ । ଜୀବନ ବିକଳରେ ବୃଦ୍ଧଜଣକ ପୋଖରୀ ପାଣିକୁ ଡେଇଁ ପଡ଼ିଥିଲେ । ପରେ କୌଶଳକ୍ରମେ ଘରକୁ ଫେରିଥିଲେ । ଅନ୍ଧ ବିଶ୍ୱାସର ଏଭଳି ଏକ ଭୟାନକ କାଣ୍ଡ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ନୂଆଁମାଲପଡ଼ା ପାଟିପଡ଼ା ଗାଁରେ । ଏବେ ବୃଦ୍ଧଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନାନୁଯାୟୀ, ଗୁରୁବାର ରାତି ୯ଟାରେ ପାଟିପଡ଼ାରେ ଗୁଣିଗାରେଡ଼ି ସନ୍ଦେହକୁ ନେଇ ଗାଁ ଲୋକଙ୍କ ବୈଠକ ବସିଥିଲା । ଗାଁର ଖାମସିଂ ମାଝି(୬୪) ଗୁଣି ଗାରେଡ଼ି କରୁଥିବା ଆଲୋଚନା ହୋଇଥିଲା । ସେଠାରେ ଗ୍ରାମବାସୀ ଖାମସିଂଙ୍କୁ ଏଥିରୁ ବିରତ ରହିବାକୁ ତାଗିଦ୍ କରିଥିଲେ । ଏହାକୁ ନେଇ ଗାଁରେ ଝଗଡ଼ା ହେବାରୁ ବୈଠକ ଅଧାରୁ ବନ୍ଦ ହୋଇଗଲା । ରାତି ପ୍ରାୟ ୧୨ଟାରେ ଗାଁର ୧୦/୧୫ ଜଣ ଲୋକ ବୃଦ୍ଧଙ୍କୁ ଗାଁର ପୋଖରୀ ହିଡ଼କୁ ଟେକିନେଇ ନିସ୍ତୁକ ମାଡ଼ ମାରିଥିଲେ । ସେଠାରେ ପାଲବେଣ୍ଟ(ପାଲରଶି)ରେ ବାନ୍ଧି ଦେବା ସହ ତାଙ୍କ ଦୁଇହାତକୁ ଧରି ପେଟ୍ରୋଲ ଢାଳି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ନିଆଁ ଲଗାଇଦେଇଥିଲେ । ବୃଦ୍ଧଜଣକ ଛଟପଟ ହେବାରୁ ଗାଁ ଲୋକେ ଛାଡ଼ି ଦେଇଥିଲେ । ପରେ ବୃଦ୍ଧ ଜଣକ ଚିତ୍କାରକରି ଜୀବନ ବଞ୍ଚାଇବା ପାଇଁ ପୋଖରୀ ପାଣି ଭିତରକୁ ପଶି ଯାଇଥିଲେ । ଏତିକିରେ ଦୁର୍ବୁତ୍ତଙ୍କ ରାଗ ଶାନ୍ତ ପଡ଼ିନଥିଲା । ଦୁର୍ବୃତ୍ତମାନେ ପୋଖରୀ ଚାରି ପାଖରେ ଘେରି ଯାଇ ବୃଦ୍ଧଙ୍କୁ ଢେଲାପଥର ମାଡ଼ କରିଥିଲେ । ଜୀବନ ଭୟରେ ବୃଦ୍ଧ ପୋଖରୀ ପାଣିରେ କିଛି ସମୟ ଲୁଚି ରହିଥିଲେ । ପରେ ସୁଯୋଗ ଦେଖି ପାଣିରୁ ବାହାରି ଚାଷଜମି ଭିତରେ ପଶି ଖସିଯାଇଥିଲେ । ବିଳମ୍ବିତ ରାତିରେ ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ କୌଣସି ମତେ ଘରେ ପହଞ୍ଚିଥିଲେ । ରାତିରେ ପରିବାର ଲୋକେ ଚେରମୂଳିରେ ତାଙ୍କ ଚିକିତ୍ସା କରିଥିଲେ । ଶୁକ୍ରବାର ସକାଳେ ସିନାପାଲି ପୁଲିସ ଖବରପାଇ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପ୍ରଥମେ ସିନାପାଲି ଓ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୟୁନିଟରେ ବୃଦ୍ଧ ଚିକିତ୍ସିତ ହେଉଛନ୍ତି ।
ଏନେଇ ଖାମସିଂଙ୍କ ପୁଅ ହେମ ମାଝି ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଆଜି ସନ୍ଧ୍ୟାରେ ଅଭିଯୁକ୍ତମାନକୁ ଗିରଫ କରିବାକୁ ପୁଲିସ ଗାଁରେ ଚଢ଼ଉ କରିଥିଲା । ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଗାଁର ପୁରୁଷ ଲୋକମାନେ ଫେରାର ହୋଇଯାଇଛନ୍ତି ବୋଲି ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି । ପ୍ରକାଶ ଥାଉକି, ବିଗତ ଦିନରେ ମଧ୍ୟ ଗୁଣିଗାରେଡ଼ିକୁ ନେଇ ଗାଁରେ ବୈଠକ ହୋଇଥିଲା । ଉକ୍ତ ବୈଠକରେ ବୃଦ୍ଧଙ୍କ ଉପରେ ବିଷ୍ଠା ଢାଳି ଦେଇ ଗାଁରୁ ସାମାଜିକ ବାସନ୍ଦ କରାଯାଇଥିଲା । ଏବେ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେମ ମାଝି ଜିଲ୍ଲା ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି।