ଭୁବନେଶ୍ୱର,୧୮/୦୭: ଆସନ୍ତା ମାସ ୧୦  ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱ  ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ) । ଏଭଳି  ପ୍ରତିଯୋଗିତା ପ୍ରଥମ ଥର ଭାରତରେ ଆୟୋଜିତ  ହେଉଛି । ବିଶ୍ୱ ଆଥଲେଟିକ୍ସ, ଭାରତୀୟ ଆଥଲେଟିକ୍ସ  ସଂଘ (ଏଏଫ୍‌ଆଇ) ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ  ଭାବେ ଏହି ପ୍ରତିଯୋଗିତାକୁ ଆୟୋଜନ କରୁଛନ୍ତି । ବିଶ୍ୱ  ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ)ରେ ଭାଗ  ନେବା ପାଇଁ ଏଏଫ୍‌ଆଇ ପକ୍ଷରୁ ଉଭୟ ପୁରୁଷ ଓ ମହିଳା  ବର୍ଗରେ ଯୋଗ୍ୟତା ମାନ ପ୍ରକାଶ କରାଯାଇଛି । 

ପୁରୁଷ ୧୦୦ ମିଟରରେ ୧୦.୬୦ ସେକେଣ୍ଡ, ୨୦୦  ମିଟରରେ ୨୧.୩୦ ସେକେଣ୍ଡ, ୪୦୦ ମିଟରରେ ୪୬.୨୦  ସେକେଣ୍ଡ ରହିଛି । ସେମିତି ମହିଳା ୧୦୦ ମିଟରରେ  ୧୧.୮୦ ସେକେଣ୍ଡ, ୨୦୦ ମିଟରରେ ୨୩.୫୦ ସେକେଣ୍ଡ,  ୪୦୦ ମିଟରରେ ୫୩ ସେକେଣ୍ଡ ରଖାଯାଇଛି ।  

ଗତ ୧୧ ତାରିଖରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ପ୍ରଥମ ଥର  ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖରେ ବିଶ୍ୱ ଆଥଲେଟିକ୍‌  କଣ୍ଟିନେଣ୍ଟାଲ ଟୁର୍‌ ଆୟୋଜନ କରାଯିବ । ଏଥିରେ ଭାରତ  ସମେତ ତୁର୍କମେନିସ୍ତାନ, ଭୁଟାନ, ଫିଲିପାଇନ୍ସ, ଦକ୍ଷିଣ  କୋରିଆ, ମାଲେସିଆ, ଇରାକ, ଭିଏତନାମ, ରିପବ୍ଲିକ ଅଫ୍‌  କାମେରୁନ୍‌, ଶ୍ରୀଲଙ୍କା, ଇରାନ ଏବଂ ମାଳଦ୍ୱୀପ ପ୍ରଭୃତି ୧୦ରୁ  ଅଧିକ ଦେଶରୁ ୧୫୦ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତମାନେ ଭାଗ ନେବେ ।  

ମୋଟ୍‌ ୨୦ଟି ଇଭେଣ୍ଟର ଆୟୋଜନ କରାଯିବ ।  ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ  ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ।  ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା  ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କ୍ରୀଡ଼ାବିତମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟ,  ପ୍ରତିଯୋଗିତାରେ ଭାଗ ନେବା ଠାରୁ ସ୍ୱଦେଶ ବାହୁଡ଼ି ଯିବା  ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯିବ ।