ନୂଆଦିଲ୍ଲୀ ୧୧/୧୨: ଦୁବାଇରେ ବିଶ୍ୱର ସବୁଠୁ ବଡ଼ ଶୁଦ୍ଧ ସୁନା ବାର୍‌କୁ ଶନିବାର ପ୍ରଦର୍ଶନ କରାଯାଇଛି । ଏହାର ଓଜନ ୩୦୦.୧୨ କେଜି, ମୂଲ୍ୟ ପ୍ରାୟ ୨୫ ନିୟୁତ ଡଲାର  । ଭାରତୀୟ ମୁଦ୍ରାରେ ବାର୍‌ର ଦାମ୍‌ ୨୧୨ କୋଟି ହେବ । ଗିନିଜ୍‌ ବୁକ୍‌ ଅଫ୍‌ ୱର୍ଲଡ ରେକର୍ଡସ୍‌ ପକ୍ଷରୁ ଏହାକୁ ସ୍ୱୀକୃତି ମିଳିଛି । ଦୁବାଇ ଗୋଲଡସୁକ୍‌ ଏକ୍ସଟେନସନ୍‌ରେ ଏକ କାଚ ବକ୍ସ ମଧ୍ୟରେ ବାର୍‌ଟି ପ୍ରଦର୍ଶିତ ହୋଇଛି । ସେଠାରେ ବିପୁଳ ସଂଖ୍ୟାରେ ଦର୍ଶକ ଏହାକୁ ଦେଖିବାର ଅବସର ପାଇଛନ୍ତି । ସେମାନେ ସୁନା ବାର୍‌ ନିକଟରେ ସେଲ୍ଫି ମଧ୍ୟ ନେଇଥିଲେ । ଏମିରେଟ୍‌ସ ମିଣ୍ଟିଂ ଫ୍ୟାକ୍ଟୋରି ଶପ୍‌ ପକ୍ଷରୁ ସୁନା ବାର୍‌କୁ ପ୍ରସ୍ତୁତ କରାଯାଇଛି । 

ଦୋକାନର ଡେପୁଟି ଜେନେରାଲ୍‌ ମ୍ୟାନେଜର ମହମ୍ମଦ ଖାରସା କହିଛନ୍ତି, ଏତେ ବଡ଼ ସୁନା ବାର୍‌କୁ ପ୍ରସ୍ତୁତ କରିବା ଲାଗି ସେମାନଙ୍କୁ ୮-୧୦ ଘଣ୍ଟା ସମୟ ଲାଗିଥିଲା । ସବୁକିଛିର ଭିଡିଓଗ୍ରାଫି ହୋଇଥିବାବେଳେ ତାକୁ ଗିନିଜ୍‌ ରେକର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିଲା । ଗିନିଜ୍‌ ରେକର୍ଡସ୍‌ ୱେବସାଇଟ୍‌ ଅନୁସାରେ, ବିଶ୍ୱର ସବୁଠୁ ବଡ଼ ସୁନା ବାର୍‌ ପ୍ରସ୍ତୁତ କରିବା ଏମିରେଟ୍‌ସ ମିଣ୍ଟିଂ ଫ୍ୟାକ୍ଟୋରି ଶପ୍‌ର ଉତ୍କର୍ଷ ଓ ନୂତନ ସୃଷ୍ଟି ଦିଗରେ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ସେମାନଙ୍କ ଦୃଢ଼ ନିଷ୍ଠାର ପରିଚୟ ମଧ୍ୟ । ଏହା ପୂର୍ବରୁ ବିଶ୍ୱର ସବୁଠୁ ବଡ଼ ସୁନା ବାର୍‌ର ରେକର୍ଡ ଜାପାନ ନାଁରେ ଥିଲା । ସେଠାରେ ୨୫୦ କେଜି ଓଜନର ସୁନା ବାର୍‌ ପ୍ରସ୍ତୁତ କରାଯାଇଥିଲା ।