ନୂଆଦିଲ୍ଲୀ ୦୮/୦୩: ଶେଷ ହେବାକୁ ଯାଉଛି ବିଶ୍ୱର ସର୍ବପ୍ରାଚୀନ ହିମଖଣ୍ଡର କାହାଣୀ । ‘ଏ୨୩ଏ’ ଦିନେ ପୃଥିବୀର ସର୍ବବୃହତ ହିମଖଣ୍ଡ ନାମରେ ପରିଚିତ ଥିଲା । ଗ୍ରେଟର ଲଣ୍ଡନ ଆକାରଠୁ ଦୁଇଗୁଣ କ୍ଷେତ୍ରରେ ଏହା ବିସ୍ତାର କରିଥିଲା । କିନ୍ତୁ ତମାମ ସଂଘର୍ଷ ପରେ ଏହା ଗତ କିଛି ବର୍ଷରେ ତରଳିଛି ଓ ଆଶ୍ଚର୍ଯ୍ୟଜନକ ରୂପେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଛି । ବର୍ତ୍ତମାନ ଆଣ୍ଟାର୍କଟିକାର ବରଫପୂର୍ଣ୍ଣ ସମୁଦ୍ରଠୁ ଦୂରରେ ଏ୨୩ଏ ହିମଖଣ୍ଡ ଆଉ ଯାହା ବଳିଛି, ଉତ୍ତପ୍ତ ଜଳ ତାକୁ ଖାଇଚାଲିଛି । ଏହା ଏବେ ମୃତ୍ୟୁର ଦ୍ୱାରଦେଶରେ, ଯାହା ଆଉ ମାତ୍ର କିଛି ସପ୍ତାହରୁ ଅଧିକ ସମୟ ତିଷ୍ଠିବ ନାହିଁ । ସବୁ ହିମଖଣ୍ଡ ଶେଷରେ ତରଳନ୍ତି । କିନ୍ତୁ ଏ୨୩ଏ କେମିତି ତରଳିଛି, ବୈଜ୍ଞାନିକମାନେ ତାହା ଜାଣିବାକୁ ଚାହୁଁଛନ୍ତି । ଫଳରେ ଆଣ୍ଟାର୍କଟିକାର ଅନ୍ୟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରତିକ୍ରିୟା କ’ଣ ହେବ ସେମାନେ ଜାଣିପାରିବେ ।

କେମ୍ବ୍ରିଜ ସ୍ଥିତ ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେର ପ୍ରଫେସର ମାଇକ ମେରେଡିଥ୍ କହିଛନ୍ତି, ସର୍ବବୃହତ ହିମଖଣ୍ଡର ଏହା ଅଦ୍ୱିତୀୟ ଯାତ୍ରା । କିନ୍ତୁ ଏବେ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ‘ଏ୨୩ଏ’ର ଶେଷ ସମୟର କାହାଣୀ । କିନ୍ତୁ ଆମକୁ ପ୍ରଥମେ ୧୯୮୬ ମସିହାକୁ ଫେରିବାକୁ ପଡ଼ିବ । ବର୍ତ୍ତମାନର ଉତ୍ତର ୟୁକ୍ରେନରେ ସ୍ଥିତ ଚେର୍ନୋବ୍ଲି ପାୱାର ପ୍ଲାଣ୍ଟ୍‌ରେ ଏକ ପରମାଣୁ ରିଆକ୍ଟର ବିସ୍ଫୋରଣ ହୋଇଥିଲା । ବିଶ୍ୱର ଦୃଷ୍ଟି ଆଢୁଆଳରେ ଆଣ୍ଟାର୍କଟିକ ମହାଦେଶରୁ ୱେଡେଲ ସମୁଦ୍ରରେ ବିସ୍ତାର କରିଥିବା ବିଶାଳ ଭାସମାନ ବରଫ ଖଣ୍ଡ ‘ଫିଲ୍‌ଚନର ବରଫ ପ୍ରାଚୀର’ରେ ନାଟକୀୟ ପରିବର୍ତ୍ତନ ହେଉଥିଲା । ଏଥିରେ ଭାଙ୍ଗିଥିବା ବରଫ ଖଣ୍ଡ ମଧ୍ୟରେ ୪୦୦୦ ବର୍ଗ କିମିର ‘ଏ୨୩ଏ’ ହିମଖଣ୍ଡ ଥିଲା । ଏହା ଖୁବ୍‌ଶୀଘ୍ର ୱେଡେଲ ସମୁଦ୍ରର କାଦୁଅରେ ଫସିଗଲା ଏବଂ ୩୦ ବର୍ଷରୁ ଅଧିକ ସମୟ ସେଠାରେ ଫସିରହିଲା । ୨୦୨୦ ମସିହା ପର୍ଯ୍ୟନ୍ତ ‘ଏ୨୩ଏ’ ପୁନଃ ଗତି କରୁଥିବାର ସଙ୍କେତ ବୈଜ୍ଞାନିକ ପାଇନଥିଲେ । ପୃଥିବୀର ସୁଦୂର ଅତୀତରେ ହିମଖଣ୍ଡ ଲମ୍ବା ସମୟ ଧରି ଦଣ୍ଡାୟମାନ ଥାଇପାରନ୍ତି । କିନ୍ତୁ ବୈଜ୍ଞାନିକଙ୍କ ଦ୍ୱାରା ଚିହ୍ନଟ ଏବଂ ସାଟେଲାଇଟ୍ ଦ୍ୱାରା ରେକର୍ଡ ହୋଇଥିବା ହିମଖଣ୍ଡ ମଧ୍ୟରେ ଏ୨୩ଏକୁ ବର୍ତ୍ତମାନ ବିଶ୍ୱର ସର୍ବପ୍ରାଚୀନ ହିମଖଣ୍ଡ ରୂପେ ବିବେଚନା କରାଯାଉଛି । ଏ୨୩ଏ ହିମଖଣ୍ଡ ବିଶାଳ ଦକ୍ଷିଣ ଆଟ୍‌ଲାଣ୍ଟିକ୍ ମହାସାଗରରେ ଆଗକୁ ବଢୁଥିବା ବେଳେ ଏହାକୁ ମାପିବା କଷ୍ଟକର ।

୨୦୨୫ ମସିହା ପ୍ରାରମ୍ଭରେ, ୩୯ ବର୍ଷ ପରେ ମଧ୍ୟ ଏ୨୩ଏ ଏକ ବିଶାଳ ହିମଖଣ୍ଡ ଥିଲା । ଏହା ହାରାହାରି ଫ୍ରାନ୍ସର ଆଇଲ ଅଫ୍ ୱାଇଟ୍ ଓ ନର୍ମାଣ୍ଡି ମଧ୍ୟରେ ବିସ୍ତାର କରିଥାଇପାରେ । ଏବେ କିନ୍ତୁ ଏହା ଡୋଭର୍‌ରୁ କାଲାଇସ୍ ପର୍ଯ୍ୟନ୍ତ ଅଧାବାଟ ମଧ୍ୟ ପହଞ୍ଚିପାରିବ ନାହିଁ । ଆମେରିକାର ଉଡ୍‌ସ ହୋଲ ଓସେନୋଗ୍ରାଫିକ୍ ଇନଷ୍ଟିଚ୍ୟୁସନ୍‌ର କ୍ୟାଥରିନ୍ ୱାକର କହିଛନ୍ତି, ଦୀର୍ଘ ବର୍ଷ ଧରି ଏହି ହିମଖଣ୍ଡକୁ ସ୍ଥିର ଦେଖିବା ଏବଂ ତା’ପରେ ଗୋଟିଏ ବର୍ଷରେ ଖଣ୍ଡ ଖଣ୍ଡ ହେବାର ଦେଖିବା ପ୍ରକୃତରେ ସବୁରି ଧ୍ୟାନ ଆକର୍ଷଣ କରିଛି । ୨୦୨୫ ପ୍ରଥମାର୍ଦ୍ଧରେ ଏ୨୩ଏର ଆକାର ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ ପାଇଲା । ଏଥିରୁ କିଛି ବରଫ ଭାଙ୍ଗିଲା ଏବଂ ମହାସାଗର ଜଳ ଏହାର ପାଶ୍ୱର୍ ଓ ମୂଳକୁ ଖାଇଗଲା । ବର୍ଷର ମଧ୍ୟଭାଗ ସୁଦ୍ଧା ଏ୨୩ଏ ବିଶ୍ୱର ସବୁଠୁ ବଡ଼ ହିମଖଣ୍ଡର ଟାଇଟଲ୍ ହରାଇଦେଲା । ତଥାପି ଏହା ମଜଭୁତ ଥିଲା । ତା’ପରେ ଅଗଷ୍ଟ ଓ ସେପ୍ଟେମ୍ବରରେ ଏ୨୩ଏ ନର୍ଥ-ୱେଷ୍ଟ୍ ଜର୍ଜିଆ ରାଇଜ୍ ଉପରେ ଦକ୍ଷିଣ ଆଟ୍‌ଲାଣ୍ଟିକ ମହାସାଗରର ଏକ କ୍ଷେତ୍ରରେ ପହଞ୍ଚିଲା । ଏହା ସମୁଦ୍ରଶଯ୍ୟାର ଏକ ମୁଣ୍ଡିଆ, ଯାହା ଫଲ୍କଲାଣ୍ଡ୍‌ସର ପୂର୍ବରେ ପ୍ରାୟ ୧,୫୦୦ କିମି ଉଚ୍ଚରେ ଅବସ୍ଥିତ । ଉପରକୁ ଉଠି କିଛି ସପ୍ତାହ ଧରି ସମୁଦ୍ର ଜଳର ଏକ ଘୂର୍ଣ୍ଣାୟମାନ ସ୍ତମ୍ଭରେ ଏହା ଘୂରୁଥିବା ଦେଖାଗଲା । ବୈଜ୍ଞାନିକଙ୍କ ଅନୁସାରେ, ଉତ୍ତପ୍ତ ଜଳ ଯୋଗୁ ପୂର୍ବରୁ ହିଁ ଦୁର୍ବଳ ହୋଇଥିବା ହିମଖଣ୍ଡ ଉପରେ ଥିବା ଯାନ୍ତ୍ରିକ ଶକ୍ତି ହିମଖଣ୍ଡକୁ ପ୍ରଭାବଶାଳୀ ଢଙ୍ଗରେ ଅଲଗା କରିବାରେ ସାହାଯ୍ୟ କରିଥିବ । ଏହା ଫଳରେ ଏ୨୩ଏରୁ ଅନେକ ବିଶାଳ ବରଫ ଖଣ୍ଡ ଖୁବ୍‌ଶୀଘ୍ର ଭାଙ୍ଗିଗଲା । ଅଲଗା ହିମଖଣ୍ଡ ଯଥେଷ୍ଟ ବିଶାଳ ହୋଇଥିବାରୁ ସ୍ୱତନ୍ତ୍ର ନାଁରେ ପରିଚିତ ହେଲେ ।

ଆହୁରି ପଢ଼ନ୍ତୁ...ବିପଦରେ ହିନ୍ଦୁକୁଶ ହିମାଳୟର ୭୫% ହିମଖଣ୍ଡ; ସିନ୍ଧୁ ଜଳ ଚୁକ୍ତିନାମା ରଦ୍ଦ ପରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର

ଡିସେମ୍ବର ଶେଷରେ ଯେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଚରମରେ ଥିଲା, ଏହି ହିମଖଣ୍ଡ ଉତ୍ତପ୍ତ ବାୟୁର ମଧ୍ୟ ସମ୍ମୁଖୀନ ହେଲା । ଏହାର ପୃଷ୍ଠ ସମୁଦ୍ର ଜଳ ଦ୍ୱାରା ଆବୃତ୍ତ ହୋଇଗଲା । ଏହି ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ଥିଲା । କିନ୍ତୁ ପ୍ରକୃତରେ ଉପରୁ ଓ ତଳୁ ହିମଖଣ୍ଡ ତରଳୁଥିଲା । ଏଥିରୁ ବୈଜ୍ଞାନିକ ହୃଦୟଙ୍ଗମ କଲେ ଯେ ଏ୨୩ଏର ଅସ୍ତିତ୍ୱ ଆଉ ବେଶି ଦିନ ନୁହେଁ । ଆଣ୍ଟାର୍କଟିକାର ବ୍ୟାପକ ବରଫ ଏବେ ଅପେକ୍ଷାକୃତ ଦ୍ରୁତ କ୍ଷୟ ହେଉଛି । ଏହା ସତ୍ତେ୍ୱ ଏ୨୩ଏ ଭଳି ବିଶାଳ ହିମଖଣ୍ଡ ତରଳିବା ଓ ଭାଙ୍ଗିବା ଏକ ପ୍ରାକୃତିକ ଘଟଣା ଏବଂ ଜରୁରି ନୁହେଁ ଯେ ଏହା ଜଳବାୟୁ ପରିବର୍ତ୍ତନର ଫଳ । ତାପମାତ୍ରା ବୃଦ୍ଧି ପ୍ରତି ଆଣ୍ଟାର୍କଟିକାର ପ୍ରତିକ୍ରିୟା କ’ଣ ହେବ, ଏହା ଜାଣିବାକୁ ମହାସାଗରରେ ବିଲୀନ ହେଉଥିବା ଏ୨୩ଏର କ୍ଷୟ ଉପରେ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି ।