ନୂଆଦିଲ୍ଲୀ:  ମେ’ ୭ ବିଳମ୍ବିତ ରାତିରେ ଭାରତୀୟ ସେନାର ଏକ ସୋସିଆଲ ମିଡିଆ ପୋଷ୍ଟ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା । ଏହି ପୋଷ୍ଟ ଥିଲା, ‘Justice is served’ (ନ୍ୟାୟ ମିଳିଲା)। ଭାରତୀୟ ସେନା ଏକ୍ସ ହ୍ୟାଣ୍ଡେଲରେ ଏହି ପୋଷ୍ଟ କରିଥିଲା । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ, ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ବଂସ କରିଥିଲା ।  ଏୟାର ଷ୍ଟ୍ରାଇକ୍‌ର କିଛି ଘଣ୍ଟା ପରେ ଭାରତୀୟ ସେନାର ଏକ୍ସ ହ୍ୟାଣ୍ଡେଲରେ ହୋଇଥିବା ପୋଷ୍ଟ ସମସ୍ତଙ୍କୁ ବିସ୍ମିତ କରିଥିଲା ।  ରବିବାର (ମେ’ ୧୧ ) ତିନି ସେନା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସେନାର ସାମରିକ ଅଭିଯାନ ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ସେହି କ୍ରିପ୍ଟିକ୍‌ ପୋଷ୍ଟ ପଛର ପ୍ରକୃତ ନାୟକଙ୍କ ନାଁ କହିଛନ୍ତି । 

ସାମ୍ବାଦିକ ସମ୍ମିଳନୀ ସମୟରେ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ତାଙ୍କ ବାମ ପାର୍ଶ୍ବରେ ବସିଥିବା ଭାରତୀୟ ସେନାର ଅତିରିକ୍ତ ସାଧାରଣ ସୂଚନା ମହାନିର୍ଦ୍ଦେଶକ ମେଜର ଜେନେରାଲ ସନ୍ଦୀପ ଏସ୍ ଶାରଦାଙ୍କ ଆଡ଼କୁ ଇସାରା କରିଥିଲେ । ଅପରେସନ ସିନ୍ଦୂର ମାଧ୍ୟମରେ ଆମକୁ ଯାହା କରିବାକୁ ଥିଲା କରିଥିଲୁ । ଏହା ପରେ ADGPI ଏକ୍ସ ହ୍ୟାଣ୍ଡେଲରେ ଯେଉଁ ସୂଚନା ଦିଆଯାଇଥିଲା ‘ନ୍ୟାୟ ମିଳିଲା’ ସେଥିପାଇଁ ମୁଁ ମେଜର ଜେନେରାଲ ସନ୍ଦୀପ ଏସ୍ ଶାରଦାଙ୍କୁ ଶ୍ରେୟ ଦେବି ବୋଲି ସେ କହିଥିଲେ । 

ଅପରେସନ୍‌ ସିନ୍ଦୂର ଜରିଆରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କୀ କ୍ୟାମ୍ପ ଧ୍ବଂସ କରିଥିବା ବେଳେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା । ଏହି ଅପରେସନ୍‌ରେ ସେନା କେଉଁ ସବୁ ଯୁଦ୍ଧାସ୍ତ୍ର ବ୍ୟବାହାର କରିଥିଲା ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଜବାବ ଦେଉଥିବା ବେଳେ ସେହି ପୋଷ୍ଟର ବିନ୍ଧାଣୀଙ୍କ ନାଁ କହିଥିଲେ ରାଜୀବ ଘାଇ । 

ଭାରତୀୟ ସେନାର ADGPI ଏକ୍ସ ହ୍ୟାଣ୍ଡେଲରେ ହୋଇଥିବା ଟ୍ବିଟ୍‌: 

"#PahalgamTerrorAttack

Justice is Served.

Jai Hind!"




ମେ’ ୭, ୨୦୨୫ ରାତି ୧.୫୧ ସମୟରେ ଏହି ଟ୍ବିଟ୍‌ କରିଥିଲା ଭାରତୀୟ ସେନା । ସେପଟେ ଭାରତୀୟ ସେନାର ଅପରେସନ୍‌ର ଲୋଗୋ ମଧ୍ୟ ବିଶ୍ବ ପ୍ରଥମ ଥର ପାଇଁ ଦେଖିଥିଲା । ଅପରେସନ୍‌ ସିନ୍ଦୂର ଲେଖାଥିବା ଏହି ଲୋଗୋ ଅତି ଚମତ୍କାର ଢ଼ଙ୍ଗରେ ସଜ୍ଜିତ ହୋଇଥିଲା । ଏକ ପାତ୍ରରେ ସିନ୍ଦୂର ଉଛୁଳିପଡ଼ୁଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ଧର୍ମରେ ସିନ୍ଦୂର ଜଣେ ସଧବା ନାରୀର ସବୁ କିଛି । ସ୍ବାମୀଙ୍କ ଉଦ୍ଦେଶ୍ୟରେ ସିନ୍ଥିରେ ସିନ୍ଦୂର ପିନ୍ଧନ୍ତି ହିନ୍ଦୁ ମହିଳାମାନେ । ସ୍ବାମୀଙ୍କ ନିଧନ ହେଲେ ସିନ୍ଥିରୁ ସିନ୍ଦୂର ପୋଛି ଦିଆଯାଏ । 

ପହଲଗାମମରେ ଆତଙ୍କବାଦୀ ୨୬ ଜଣ ପୁରୁଷଙ୍କୁ ହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ ୨୫ ଜଣ ଥିଲେ ହିନ୍ଦୁ । ସ୍ବାମୀଙ୍କୁ ହରାଇଥିବା ମହିଳାମାନଙ୍କୁ ନିଜ ସିନ୍ଥିରୁ ସିନ୍ଦୂର ପୋଛିବାକୁ ପଡ଼ିଥିଲା । ଏହାର ଜବାବରେ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ୍‌ ସିନ୍ଦୂର ।  ଏହି ଅପରେସନ୍‌ର ସଫଳତା ପରେ ଭାରତୀୟ ସେନା ଏକ୍ସରେ ପୋଷ୍ଟ କରିଥିଲା, ନ୍ୟାୟ ମିଳିଲା । ଭାରତୀୟ ସେନାର ଏଡିଜିପିଆଇ ଏହି ଟ୍ବିଟ୍‌ କରି ଭାରତ ସମେତ ସମଗ୍ର ବିଶ୍ବକୁ ଭାରତର ସଫଳତା ସଂପର୍କରେ ଜଣାଇଥିଲା ।