ଉଠାପକା ରାଜନୀତିର ବର୍ଷ ଥିଲା ବିଦାୟୀ ୨୦୨୫ । ବିଜେପି ପାଇଁ ଏହା ବଡ଼ ସଫଳତାର ବର୍ଷ ସାବ୍ୟସ୍ତ ହୋଇଥିଲା । ଦିଲ୍ଲୀ ଓ ବିହାରରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି । ଆପ୍ ସରକାରକୁ ହଟାଇ ଦିଲ୍ଲୀ ଦଖଲ କରିଥିଲା । କଂଗ୍ରେସ- ଆର୍ଜେଡିର ସ୍ୱପ୍ନକୁ ଧୂଳିସାତ୍ କରି ପୁଣି ବିହାର କବ୍ଜା କରିଥିଲା । ବିଦାୟୀ ବର୍ଷ ଏସ୍ଆଇଆର୍, ଭୋଟ ଚୋରି ବିବାଦ, ବନ୍ଦେ ମାତରମ୍, ମନରେଗାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ୍ ଭାରତରେ ସରଗରମ ଚର୍ଚ୍ଚାର ବିଷୟ ରହିଥିଲା । ମଣିପୁରରେ ବୀରେନ ସିଂଙ୍କ ଇସ୍ତଫା, ଅଚାନକ ଧନଖଡ଼ ଉପରାଷ୍ଟ୍ରପତି ପଦ ଛାଡ଼ିବା ଘଟଣା ବି ସମସ୍ତଙ୍କୁ ଚକିତ କରିଥିଲା । ପଡ଼ୋଶୀ ନେପାଳରେ ଜେନ୍-ଜି ନିଆଁ ସାରା ବିଶ୍ୱକୁ ଯୁବ ଆନ୍ଦୋଳନର ଶକ୍ତି ପ୍ରଦର୍ଶିତ କରିଥିଲା । ଏହି ଆନ୍ଦୋଳନ ନେପାଳକୁ ସୁଶୀଳାଙ୍କ ରୂପରେ ଜଣେ ମହିଳା ପ୍ରଧାନମନ୍ତ୍ରୀ ଉପହାର ଦେଇଥିଲା । ବର୍ଷ ଶେଷ ଆଡ଼କୁ ଆମେରିକା ସମେତ ପାଶ୍ଚାତ୍ୟକୁ ଈର୍ଷାର ବେଦନା ଦେଇଥିଲା ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ । ମୋଦି-ପୁଟିନଙ୍କ ଏହି ଭେଟ ଟ୍ରମ୍ପଙ୍କୁ ଦେଇଥିଲା ବଡ଼ ଝଟକା।
ଭାରତରେ ପୁଟିନ୍
ବିଦାୟୀ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଭେଟ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ମୋଦି ଯେଉଁଭଳି ଭାବେ ପୁଟିନ୍ଙ୍କୁ ଦିଲ୍ଲୀ ପାଲମ ବିମାନବନ୍ଦରରେ ସ୍ୱାଗତ କଲେ ଏବଂ ଗୋଟିଏ କାର୍ରେ ଗଲେ, ତାହା ବେଶ୍ ଦେଖିଲା ଭଳି ହୋଇଥିଲା । ଏହାକୁ ନେଇ ଭାରତବାସୀ ଖୁସି ହେଉଥିଲା ବେଳେ ଈର୍ଷାରେ ଜଳିଥିଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ନିଜ ଦେଶରେ ସମାଲୋଚିତ ହେବାକୁ ପଡ଼ିଥିଲା । ପୁଟିନ୍ଙ୍କୁ ସ୍ୱାଗତ କରି ମୋଦି କହିଥିଲେ, ଭାରତ ଓ ରୁଷର ସମ୍ପର୍କ ଧ୍ରୁବତାରା ଭଳି ସ୍ଥିର ଓ ଅଟଳ । ଅନେକ ବୈଶ୍ୱିକ ଆହ୍ୱାନ ଆସିଛି । ବିଗତ ଦିନରେ ବିଶ୍ୱ ଅନେକ ମାନବତାର ସଙ୍କଟ ଦେଖିଆସିଛି । କିନ୍ତୁ ଭାରତ ଓ ରୁଷର ଏହି ସମ୍ପର୍କକୁ ତାହା ଦୋହଲାଇ ପାରିନାହିଁ । ଏହି ଅବସରରେ ହାଇଦ୍ରାବାଦ ହାଉସ୍ରେ ଅନୁଷ୍ଠିତ ଭାରତ-ରୁଷ ୨୩ତମ ଶିଖର ସମ୍ମିଳନୀରେ ମୋଦି-ପୁଟିନ୍ ଏକାଠି ହୋଇଥିଲେ । ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାର, ପ୍ରତିରକ୍ଷା ସହଯୋଗ ଓ ତୈଳ ଭଳି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପୁଟିନ ଏହି ଅବସରରେ ଆସନ୍ତାବର୍ଷ ମସ୍କୋରେ ହେବାକୁ ଥିବା ଭାରତରୁଷ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଦୁଇଦେଶର ସମ୍ପର୍କକୁ ଆହୁରି ବ୍ୟାପକ କରିବା ନେଇ ୧୯ଟି ରାଜିନାମା ଓ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ରାଷ୍ଟ୍ରପତି ଭବନରେ ପୁଟିନଙ୍କ ସମ୍ମାନାର୍ଥେ ରାତ୍ରିଭୋଜନ ଆୟୋଜିତ ହୋଇଥିଲା । ଏଥିରେ ପୁଟିନ୍ ଓ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ଡାଇନିଂ ଟେବୁଲରେ ପୁଟିନଙ୍କ ପାଖରେ ମୋଦି ବସିଥିବାର ଦେଖିବାକୁ ମିଳିଥିଲା । ଭାରତ-ରୁଷ୍ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ପୁଟିନ୍ଙ୍କ ଏହି ଗସ୍ତ ବେଶ୍ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା ।
ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ବିଦାୟୀ ବର୍ଷ ଅତ୍ୟନ୍ତ ଖରାପ ଥିଲା । ପୂର୍ବରୁ ସେ ଦେଶରୁ ପଳାଇ ଆସି ଭାରତର ଶରଣ ପଶିଥିଲେ । ଏହାପରେ ମାନବତା ବିରୋଧୀ ଅପରାଧରେ ତାଙ୍କୁ ଢାକାର ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ୍ (ଆଇସିଟି) ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ । ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ନିର୍ଦ୍ଦେଶ ଏବଂ ହତ୍ୟାକୁ ଉସୁକାଇବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲା । ମୋଟ ୫ଟି ମାମଲାରେ ହସିନାଙ୍କୁ ଦଣ୍ଡିତ କରି ରାୟ ଶୁଣାଇଥିଲେ ଟ୍ରିବ୍ୟୁନାଲ । ଉପର କୋର୍ଟରେ ଅପିଲ୍ ପାଇଁ ତାଙ୍କୁ ଡିସେମ୍ବର ୧୭ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନ ଥିଲେ । ଅନ୍ୟପକ୍ଷରେ ଆଇସିଟିଙ୍କ ରାୟକୁ କିଛି ଅନ୍ତର୍ଜାତୀୟ ସଂସ୍ଥା ନିନ୍ଦା କରିଥିଲେ । ଏହି ରାୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ହସିନା ।
ନେପାଳରେ ସୁଶୀଳା ସରକାର
ନେପାଳରେ କେ ପି ଓଲି ସରକାରର ପତନ ପରେ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । କାହାକୁ ଶାସନ କ୍ଷମତା ଦିଆଯିବ, ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗିରହିଥିଲା । ଶେଷରେ ଦେଶର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା । ରାଷ୍ଟ୍ରପତି ଭବନ ଶୀତଲ ନିବାସରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଶୀଳା । ୭୩ ବର୍ଷୀୟା ସୁଶୀଳା ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଥିଲେ । ସେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ଗୌରବ ମଧ୍ୟ ହାସଲ କରିଥିଲେ । ସୁଶୀଳା ପ୍ରଧାନମନ୍ତ୍ରୀ ହେବା ନେଇ ନେପାଳ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ଜେନ୍-ଜି ଆନ୍ଦୋଳନକାରୀ, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ସେନା ମୁଖ୍ୟ ଅଶୋକ ରାଜ ସିଗ୍ଦେଲଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ସୁଶୀଳା ଏହି ସଙ୍କଟ ବେଳେ ଦେଶର ଶାସନ ସମ୍ଭାଳିବେ ବୋଲି ସହମତି ହୋଇଥିଲା । ଏହାପରେ ଦେଶରେ ୨୦୨୬ ମାର୍ଚ୍ଚରେ ସାନି ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଥିଲା ।
ଭୋଟ୍ ଚୋରି ରାଜନୀତି
‘ଭୋଟ ଚୋରି’ ପ୍ରସଙ୍ଗକୁ ନେଇ ବିଦାୟୀ ବର୍ଷରେ ରାଜନୀତି ଜୋର ଧରିଥିଲା । କଂଗ୍ରେସ ଭୋଟ ଚୋରି ଅଭିଯୋଗ ଆଣି ବିଜେପିକୁ ଟାର୍ଗେଟ୍ କରିଥିଲା । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣା ଭଳି ରାଜ୍ୟରେ ବିଜେପି ଭୋଟ ଚୋରି କରିଥିବା ନେଇ ଅଭିଯୋଗ କରିଥିଲା କଂଗ୍ରେସ । ଏହାକୁ ନେଇ ଅନେକ ଦିନ ଧରି ଶାସକ-ବିରୋଧୀ ଦଳ ମଧ୍ୟରେ ବାକ୍ବିତଣ୍ଡା ଲାଗିରହିଥିଲା । ସଂସଦର ଶୀତ ଅଧିବେଶନରେ ବିରୋଧୀ ଦଳର ସାଂସଦମାନେ ଏହାକୁ ବଡ଼ ପ୍ରସଙ୍ଗ କରିଥିଲେ । ଲୋକସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ଉପରେ ଭୀଷଣ ବର୍ଷିଥିଲେ । ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷଙ୍କ ମତ ନିଆଯାଉଥିଲା । ୨୮ ପ୍ରଦେଶ ଅଧ୍ୟକ୍ଷ ସର୍ଦ୍ଦାର ପଟେଲଙ୍କୁ ଭୋଟ ଦେଇଥିଲେ । ତଥାପି ନେହରୁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଦ୍ୱିତୀୟ ଭୋଟ ଚୋରି ସେତେବେଳେ ହୋଇଥିଲା, ଯେତେବେଳେ ଇନ୍ଦିରା ଗାନ୍ଧୀ ରାଏବରେଲିରୁ ବେଆଇନ ଭାବେ ଜିତିଥିଲେ । ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ବିଜୟକୁ ରଦ୍ଦ କରିଦେଇଥିଲେ । ଏହାକୁ ଲୁଚାଇବା ପାଇଁ ସଂସଦରେ ଆଇନ ଅଣାଯାଇଥିଲା । ବାସ୍ତବରେ ଭୋଟ ଚୋରି ଇତିହାସ କଂଗ୍ରେସ ହିଁ ଲେଖିଥିଲା ବୋଲି ଶାହ କହିଥିଲେ ।
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଚଳିତବର୍ଷ ଜାପାନରେ ମଧ୍ୟ କ୍ଷମତା ପରିବର୍ତ୍ତନ ହୋଇଥିଲା । ଏଥିସହ ଦେଶକୁ ପ୍ରଥମ ଥର ପାଇଁ ସାନେ ତାକାଇଚିଙ୍କ ରୂପରେ ମହିଳା ପ୍ରଧାନମନ୍ତ୍ରୀ ମିଳିଥିଲେ । ଅକ୍ଟୋବର ୨୧ ତାରିଖରେ ସଂସଦର ଉଭୟ ଗୃହରେ ଅନୁଷ୍ଠିତ ମତଦାନରେ ଅଧିକ ଭୋଟ୍ ପାଇ ତାକାଇଚି ବିଜୟୀ ହୋଇଥିଲେ । ନିମ୍ନ ସଦନରେ ତାଙ୍କ ସପକ୍ଷରେ ୨୩୭ ଏବଂ ବିରୋଧରେ ୧୪୯ ଖଣ୍ଡ ଭୋଟ୍ ପଡ଼ିଥିଲା । ସେହିଭଳି ଉଚ୍ଚ ସଦନରେ ତାଙ୍କୁ ୧୨୫ ଖଣ୍ଡ ଭୋଟ୍ ମିଳିଥିଲା ବେଳେ ତାଙ୍କ ବିରୋଧରେ ୪୬ ଭୋଟ୍ ପଡି଼ଥିଲା । ଏହାପରେ ସେ ସିଗେରୁ ଇଶିବାଙ୍କ ସ୍ଥାନରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ସାନି ନିର୍ବାଚନ ହୋଇଥିଲା । ଏହାକୁ ନେଇ ବେଶ୍ କିଛିଦିନ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ମୁହାଁମୁହିଁ ଲାଗିରହିଥିଲା । ଶେଷରେ ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଏନ୍ଡିଏ ପ୍ରାର୍ଥୀ ଚନ୍ଦ୍ରପୁରମ ପୋନୁସ୍ୱାମୀ ରାଧାକ୍ରିଷ୍ଣନ (ସି.ପି. ରାଧାକ୍ରିଷ୍ଣନ) ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ‘ଇଣ୍ଡି’ ମେଣ୍ଟ ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଖଣ୍ଡ ଭୋଟରେ ପରାଜିତ କରିଥିଲେ ରାଧାକ୍ରିଷ୍ଣନ ।
ଏସ୍ଆଇଆର୍’ ରାଜନୀତି ଜୋର
ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର୍) ପ୍ରସଙ୍ଗକୁ ନେଇ ବିଦାୟୀ ବର୍ଷରେ ରାଜନୀତି ଜୋର ଧରିଥିଲା । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏସ୍ଆଇଆର୍ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ଉପରେ କଂଗ୍ରେସ, ଆର୍ଜେଡି ସମେତ ଅନେକ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । ଏହାଦ୍ୱାରା ଯୋଗ୍ୟ ଭୋଟର ମତାଧିକାରରୁ ବଞ୍ଚିତ ରହିବେ ବୋଲି ସେମାନେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଅଯୋଗ୍ୟ ଭୋଟରଙ୍କୁ ବାହାର କରିବା ସହ ଯୋଗ୍ୟଙ୍କୁ ସାମିଲ କରିବା ହିଁ ଏସ୍ଆଇଆର୍ର ଲକ୍ଷ୍ୟ ବୋଲି ସରକାର କହିଥିଲେ । ଶେଷରେ ବିହାରରେ ଏସ୍ଆଇଆର୍ ସଫଳ ହୋଇଥିଲା । ଭୋଟର ତାଲିକାରୁ ୬୫ ଲକ୍ଷ ଲୋକଙ୍କ ନାମ କଟିଥିଲା । ଏହାପରେ କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜରାଟ, ଗୋଆ ଏବଂ ଚଣ୍ଡିଗଡ଼ ଓ ପୁଡୁଚେରୀ ଭଳି ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ ପ୍ରକ୍ରିୟା ହୋଇଥିଲା । ପଶ୍ଚିମବଙ୍ଗରେ ଏସ୍ଆଇଆର୍ କରାଇଦେବେ ନାହିଁ ବୋଲି ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ । କିନ୍ତୁ ରାଜ୍ୟରେ ଏହା ସଫଳତାର ସହ ଶେଷ ହୋଇଥିଲା । ରାଜ୍ୟରେ ୫୮ ଲକ୍ଷ ଲୋକ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲେ ।
‘ମନରେଗା’ ହଙ୍ଗାମା
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବା ‘ମନରେଗା’କୁ ନେଇ ରାଜନୀତି ତେଜିଥିଲା । କେନ୍ଦ୍ର ସରକାର ଏହି ଯୋଜନାର ନାମ ବଦଳାଇବା ସହ ସ୍କିମ୍ରେ କିଛି ପରିବର୍ତ୍ତନ ପାଇଁ ନୂଆ ବିଲ୍ ଆଣିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ-ଗ୍ରାମୀଣ (ଭିବି-ଜି ରାମ୍ ଜି) ବିଲ୍, ୨୦୨୫ ଗୃହୀତ ହୋଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଥିଲା । ତେବେ ସ୍କିମ୍ରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବାକୁ ନେଇ କଂଗ୍ରେସ ପକ୍ଷରୁ ଜୋରଦାର ସମାଲୋଚନା କରାଯାଇଥିଲା । ଏହା ମହାତ୍ମା ଗାନ୍ଧୀଙ୍କ ଅପମାନ ବୋଲି ଦର୍ଶାଇଥିଲା । କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିରୋଧୀଙ୍କୁ ଦୃଢ଼ ଜବାବ ଦେଇଥିଲେ ।
‘ବନ୍ଦେ ମାତରମ୍’କୁ ନେଇ ମୁହାଁମୁହିଁ
‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତିକୁ ନେଇ ଚଳିତବର୍ଷ ସଂସଦରେ ସ୍ୱତନ୍ତ୍ର ଚର୍ଚ୍ଚା ହୋଇଥିଲା । ବିରୋଧୀମାନେ ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚର୍ଚ୍ଚାରେ ସାମିଲ ହୋଇଥିଲେ । ସେ କହିଥିଲେ, ଇଂରେଜମାନେ ଯେତେବେଳେ ଭାରତକୁ ଖଣ୍ଡଖଣ୍ଡ କରିଦେବାକୁ ଲାଗିଥିଲେ, ବନ୍ଦେ ମାତରମ୍ ଦେଶବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଥିଲା । କିନ୍ତୁ କଂଗ୍ରେସ ସରକାର ରାଷ୍ଟ୍ରଗୀତ ବନ୍ଦେ ମାତରମ୍କୁ ଖଣ୍ଡଖଣ୍ଡ କରିଦେଇଥିଲା । ଏହାପରେ ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବନ୍ଦେ ମାତରମ୍ ଚର୍ଚ୍ଚାରେ ସାମିଲ ହୋଇ କଂଗ୍ରେସକୁ ଘେରିଥିଲେ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଚର୍ଚ୍ଚାର ସମୟକୁ ନେଇ ବିଜେପିକୁ ଟାର୍ଗେଟ୍ କରିଥିଲେ । ଏବେ ଏହାକୁ ନେଇ କାହିଁକି ଚର୍ଚ୍ଚା ହେଉଛି ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଫାଇଦା ପାଇଁ ବିଜେପି ଏଭଳି ପ୍ରସଙ୍ଗରେ ଚର୍ଚ୍ଚା କରୁଛି ।
ବିଜେପି ହାତରେ ଦିଲ୍ଲୀ
ଦିଲ୍ଲୀରେ ଦୀର୍ଘଦିନ ଧରି ଆପ୍ ସରକାରର ଦବ୍ଦବା ରହିଥିଲା । ବିଦାୟୀ ବର୍ଷରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଥିଲା । ଦଳ ଦୁଇ ତୃତୀୟାଂଶ ଆସନ ହାସଲ ସହ ବିପୁଳ ବିଜୟ ହାସଲ କରିଥିଲା । ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଦିଲ୍ଲୀରେ ସରକାର ଗଠନ କରିଥିଲା ବିଜେପି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପି ପ୍ରହାରରେ ଆପ୍ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଓ ପୂର୍ବରୁ ତାଙ୍କ କ୍ୟାବିନେଟରେ ଥିବା ବହୁ ମନ୍ତ୍ରୀ ଓ ନେତା ଚିତ୍ପଟାଙ୍ଗ ମାରିଥିଲେ । ବିଜେପିର ବିଜୟ ପରେ ଦଳର ମୁଖ୍ୟାଳୟରେ ନେତା ଓ କର୍ମୀମାନେ ଉତ୍ସବ ମନାଇଥିଲେ । ଅନ୍ୟ ରାଜ୍ୟରେ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ଉତ୍ସବ ପାଳନ କରିଥିଲେ । ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ବିଜେପିକୁ ୪୮ ଆସନ ମିଳିଥିଲା ବେଳେ ଆପ୍ ୨୨ଟିରେ ବିଜୟୀ ହୋଇଥିଲା । ଖାତା ଖୋଲିପାରି ନ ଥିଲା କଂଗ୍ରେସ । ବିଜେପିକୁ ବିପୁଳ ବିଜୟ ମିଳିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ୍କୁ ‘ଆପ୍-ଦା’ (ବିପର୍ଯ୍ୟୟ) ଭାବେ କଟାକ୍ଷ କରିଥିଲେ । କହିଥିଲେ, ଦିଲ୍ଲୀ ‘ଆପ୍-ଦା’ କବଳରୁ ମୁକ୍ତ ହୋଇଛି । ଦିଲ୍ଲୀବାସୀଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି । ସେମାନେ ମୋଦି ଗ୍ୟାରେଣ୍ଟିକୁ ଅକୁଣ୍ଠ ସମର୍ଥନ ଜଣାଇ ଆପ୍କୁ କ୍ଷମତାରୁ ହଟାଇଛନ୍ତି । ସେଥିପାଇଁ ଦିଲ୍ଲୀର ଜନତାଙ୍କୁ ହୃଦୟରୁ ଧନ୍ୟବାଦ ।
ବିହାରରେ ପୁଣି ଏନଡିଏ
କଂଗ୍ରେସ ଓ ଆର୍ଜେଡି ବିହାର ବିଧାନସଭା ନିର୍ବାଚନରେ ଜିତି ସରକାର ଗଢ଼ିବା ନେଇ ଅନେକ ଆଶା ବାନ୍ଧିଥିଲେ । ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାରୁ ରାଜ୍ୟବାସୀ ବିପୁଳ ଭୋଟରେ ଜିତାଇବେ ବୋଲି ଆଶା ବଢ଼ିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁଶାସନ ଏନ୍ଡିଏ ପାଇଁ ବଳ ସାଜିଥିଲା । ଏନ୍ଡିଏର ସୁନାମୀରେ ଭାସିଯାଇ ଛାରଖାର ହୋଇଯାଇଥିଲା ମହାମେଣ୍ଟ । ରାଜ୍ୟର ମୋଟ ୨୪୩ଟି ଆସନ ମଧ୍ୟରୁ ୨୦୨ ଆସନରେ ଜିତି ଏନ୍ଡିଏ ରେକର୍ଡ କରିଥିଲା । ବିଜେପି ସର୍ବାଧିକ ୮୯ଟି ଆସନ ପାଇଥିଲା । ମହାମେଣ୍ଟର ଖାତାକୁ ମାତ୍ର ୩୫ଟି ଆସନ ଯାଇଥିଲା । ଏନ୍ଡିଏର ଏହି ସଫଳତାକୁ ସୁଶାସନର ଜିତ୍ ହୋଇଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଏନ୍ଡିଏକୁ ୨୦୨୦ ତୁଳନାରେ ୭୫ରୁ ଅଧିକ ଆସନର ଫାଇଦା ମିଳିଥିଲା । ଅନ୍ୟପକ୍ଷରେ ମହାମେଣ୍ଟ ସମାନ ସଂଖ୍ୟକ ଆସନ ହରାଇଥିଲା । ରାଜ୍ୟରେ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା । ଏଥର ରେଡର୍କ ସଂଖ୍ୟକ ରାଜ୍ୟବାସୀ ଭୋଟ ଦେଇଥିଲେ । ଏନ୍ଡିଏ ପୁଣି କ୍ଷମତାକୁ ଫେରିଥିଲା ଏବଂ ନୀତୀଶ କୁମାର ରେକର୍ଡ ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
ପୁଣି ଟ୍ରମ୍ପଙ୍କ ଦବ୍ଦବା
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ୍ ବର୍ଷ ଆରମ୍ଭରେ ଶପଥ ଗ୍ରହଣ କରିଥିଲେ । ୪ ବର୍ଷର ବ୍ୟବଧାନ ପରେ ସେ ଅଧିକ ଶକ୍ତିଶାଳୀ ହୋଇ ପୁଣି କ୍ଷମତାକୁ ଫେରିଥିଲେ । ଏହା ପୂର୍ବରୁ ୨୦୧୭ରେ ଦେଶର ୪୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଟ୍ରମ୍ପ୍ । କିନ୍ତୁ ୨୦୨୦ ନିର୍ବାଚନରେ ପରାଜିତ ହେବା ପରେ ୨୦୨୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଟ୍ରମ୍ପ୍ ପୁଣି ନିଜ ଦୃଢ଼ ନେତୃତ୍ୱର ପରିଚୟ ଦେଇ କ୍ଷମତାକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୨୦୨୪ ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଡେମୋକ୍ରାଟିକ୍ ପାର୍ଟି ତରଫରୁ ଭାରତୀୟ ବଂଶୋଦ୍ଭବ କମଳା ହାରିସ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ୍ଙ୍କ ଉପରେ ଦୁଇଥର ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କୁ ଦୁଇଥର ମହାଭିଯୋଗର ସାମ୍ନା ବି କରିବାକୁ ପଡ଼ିଥିଲା । ଏହାସତ୍ତେ୍ୱ ସେ ତମାମ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନିର୍ବାଚନରେ ବିପୁଳ ବିଜୟ ହାସଲ କରି ନିଜ ଦବ୍ଦବା ଜାହିର କରିଥିଲେ ।
ବୀରେନ୍ ସିଂହଙ୍କ ଇସ୍ତଫା
ବିଦାୟୀ ବର୍ଷରେ ମଣିପୁର ହିଂସାକୁ ନେଇ ଏକ ବଡ଼ ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ୍ ସିଂହ । ଇସ୍ତଫା ଦେବା ପୂର୍ବରୁ ସେ ବିଜେପି ସାଂସଦ ସମ୍ବିତ ପାତ୍ର, ମଣିପୁର ସରକାରର ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଭେଟିଥିଲେ । ରାଜ୍ୟରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗିରହିବାରୁ ବୀରେନ୍ ସିଂହଙ୍କ ଉପରେ ଅନେକ ଦିନ ହେଲା ଚାପ ରହିଥିଲା । ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା । ଖୋଦ ବିଜେପିର ୧୯ ବିଧାୟକ ବୀରେନଙ୍କୁ ପଦରୁ ହଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଶେଷରେ ପଦ ତ୍ୟାଗ କରିଥିଲେ ବୀରେନ୍ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା ।