ଚେନ୍ନାଇ: ଐତିହାସିକ ବିଜୟ ପରେ ଏବେ ଘରକୁ ଫେରିଛନ୍ତି ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଗୁକେଶ ଡୋମାରାଜୁ । ଭାରତ ଫେରିଆସିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଚେନ୍ନାଇ ବିମାନ ବନ୍ଦରରେ ତାମିଲନାଡ଼ୁ ସରକାରଙ୍କ ପ୍ରତିନିଧି ଏବଂ ରାଷ୍ଟ୍ରୀୟ ଚେସ୍ ମହାସଙ୍ଘର ଅଧିକାରୀ ଗୁକେଶଙ୍କୁ ସ୍ୱାଗତ କରିଛନ୍ତି । ୧୮ ବର୍ଷୀୟ ଗୁକେଶ ସିଙ୍ଗାପୁରରେ ଚୀନର ଡିଙ୍ଗ ଲିରେନଙ୍କୁ ୭.୫-୬.୫ରେ ପରାସ୍ତ କରି ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାସହ ବିଶ୍ୱ ଚେସ୍ ଚାମ୍ପିଅନଶିପ୍ ଜିତିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି ।

ଡି ଗୁକେଶଙ୍କୁ ସ୍ୱାଗତ ଜଣାଇବା ପାଇଁ ତାମିଲନାଡ଼ୁ କ୍ରୀଡ଼ା ବିକାଶ ପ୍ରାଧିକରଣ ଅଧିକରୀ ଏବଂ ସହରର ପ୍ରସିଦ୍ଧ ବେଲାମାଲ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମିଡିଆ ଏବଂ ପ୍ରଶଂସକଙ୍କ ଗହଳି ମଧ୍ୟରେ ଚାମ୍ପିଅନଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଗହଳି ଭିତରେ ପ୍ରତିକ୍ରିୟା ଦେଇ ଗୁକେଶ କହିଥିଲେ, 'ମୁଁ ଏଠାକୁ ଆସି ବହୁତ ଖୁସି  । ଆପଣମାନଙ୍କ ଏହି ଉତ୍ସାହ ଭାରତ ପାଇଁ ଥିବା ଭଲ ପାଇବାକୁ ଦର୍ଶାଉଛି । ଆପଣମାନଙ୍କ ଏହି ସମର୍ଥନ ମୋତେ ବହୁତ ଶକ୍ତି ଦେଇଛି। ମୁଁ ଆଶା କରୁଛି ଯେ ଆଗାମୀ କିଛି ଦିନ ଆମେ ସମସ୍ତେ ଉତ୍ସବ ପାଳି ଖୁସିର ସମୟ ବିତାଇବା ।' 




ଚେନ୍ନାଇର କାମରାଜ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାମିଲନାଡ଼ୁ ଖେଳ ବିଭାଗ ଏବଂ ଗୁକେଶଙ୍କ ସ୍କୁଲ ବେମାମ୍ମଲ ବିଦ୍ୟାଳୟର କର୍ମଚାରୀ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବେମାମ୍ମଲୁ ସ୍କୁଲରୁ ହି ଗୁକେଶ ନିଜର ଚେସ୍ ଯାତ୍ରା  ଆରମ୍ଭ କରିଥିଲେ । ପ୍ରଶଂସକଙ୍କ ଅଭିବଦାନ ପରେ ଫୁଲ ଏବଂ ନିଜ ଫଟୋରେ ସଜ୍ଜିତ କାରରେ ବସି ଗୁକେଶ ନିଜ ଘରକୁ ଲିଯାଇଥିଲେ । ତେବେ ଡି. ଗୁକେଶ ଋଷର ଗ୍ୟାରି କାସପାରୋଭଙ୍କ ରେକର୍ଡ ଭାଙ୍ଗି ଦୁନିଆର ସର୍ବକନିଷ୍ଠ ବିଶ୍ବ ଚେସ୍‌ ଚାମ୍ପିଅନ ହୋଇଛନ୍ତି । ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।