ନୂଆଦିଲ୍ଲୀ ୦୨/୦୯: ଆଫଗାନିସ୍ତାନରେ ଭୂକମ୍ପର ତାଣ୍ଡବ ପରେ, ଏବେ ଆଫ୍ରିକୀୟ ଦେଶ ସୁଦାନରେ ପ୍ରକୃତି ତା'ର କରାଳ ରୂପ ଦେଖାଇଛି। ପଶ୍ଚିମ ସୁଦାନର ମାରା ପର୍ବତ ଅଞ୍ଚଳର ଏକ ଗାଁରେ ଧ୍ୱଂସଲିଳା ରଚିଛି ଭୂସ୍ଖଳନ। ଏକ ରିପୋର୍ଟ ଅନୁଯାୟୀ, ଅତି କମରେ ହଜାରେ ଲୋକଙ୍କର ମୃତ୍ୟୁ ଘଟିଛି ।
SLM/A ନେତା ଅବଦୁଲୱାହିଦ ମହମ୍ମଦ ନୁର କହିଛନ୍ତି, ଗାଁଟି ଏବେ ସମ୍ପୂର୍ଣ୍ଣ ମାଟି ତଳେ ପୋତି ହୋଇଯାଇଛି। ଏହି ଅଞ୍ଚଳ ଡାରଫୁରରେ ପଡ଼ିଥାଏ । ବର୍ତ୍ତମାନ ସୁଦାନୀ ସେନା ଏବଂ ଅର୍ଦ୍ଧସାମରିକ RSF ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧ ଯୋଗୁଁ ଅନେକ ଲୋକ ନିରାପଦ ସ୍ଥାନ ଖୋଜିବା ପାଇଁ ମାରା ପର୍ବତକୁ ପଳାଇ ଯାଇଥିଲେ। SLM/A କହିଛି ଯେ ପୂର୍ବରୁ ଏହି ଅଞ୍ଚଳରେ ଖାଦ୍ୟ ଏବଂ ଔଷଧର ବଡ଼ ଅଭାବ ଥିଲା। ଯୁଦ୍ଧରୁ ଜୀବନ ବଞ୍ଚାଇବା ପରେ ଲୋକମାନେ ଏଠାକୁ ଆଶ୍ରୟ ନେବାକୁ ଆସିଥିଲେ, କିନ୍ତୁ ଏବେ ଭୂସ୍ଖଳନ ସେମାନଙ୍କର ସବୁ କିଛି ଛଡାଇ ନେଇଛି।
ତେବେ ଏହି ଗୋଷ୍ଠୀ ଧ୍ୱଂସାବଶେଷ ତଳେ ପୋତି ହୋଇଥିବା ମୃତଦେହକୁ ଉଦ୍ଧାର କରିବା ଏବଂ ଯେଉଁମାନେ ଏବେ ବି ଜୀବିତ ଅଛନ୍ତି ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ରିଲିଫ୍ ସଂଗଠନଗୁଡ଼ିକୁ ନିବେଦନ କରିଛି।