ପାଣିକୋଇଲି,୧୮/୦୫: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ନିକଟ ଏକ ଗୋଦାମରୁ ଚୋରି। ଗତ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୋଦାମ ସଟର କାଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ପାଣିକୋଇଲି ଥାନା ଭୁଇପୁର ଗ୍ରାମର ଚିନ୍ମୟ ବିଶ୍ୱାଳ ସବୁଦିନ ପରି ରାତି ୧୦ ଟା ସମୟରେ ଗୋଦାମ ହରପାର୍ବତୀ ଟ୍ରେଡିଙ୍ଗ ନାମକ ଦୋକାନ ବନ୍ଦ କରି ଘରୁକୁ ପଳାଇଥିଲେ । ହେଲେ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ସେଠାରେ ଲାଗିଥିବା ସିସିଟିଭି ତାରକୁ କାଟି ବହୁ ସାମଗ୍ରୀ ନେଇ ପଳାଇ ଥିବା ସେ ସକାଳୁ ଗୋଦାମ ଆସିବା ପରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପାଣିକୋଇଲି ପୋଲିସର ପେଟ୍ରୋଲିଂ ଅଭାବରୁ ଏଭଳି ଚୋରି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି ।