ପୁରୀ,୨୫/୦୩: ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଅଛି ୧୫ରୁ ଊଦ୍ଧ୍ୱର୍ ଗୁପ୍ତ ସୁଡ଼ଙ୍ଗ । କିଛି ସୁଡ଼ଙ୍ଗ ରାସ୍ତା ଶ୍ରୀମନ୍ଦିରକୁ ଲମ୍ବିଥିବା ବେଳେ କିଛି ସୁଡ଼ଙ୍ଗ ସମୁଦ୍ର ଆଡ଼କୁ ଯାଇଛି । ଆଉ କିଛି ସୁଡ଼ଙ୍ଗ ମଠରେ ସମାହିତ ହୋଇଯାଇଛି । କିଛି ସୁଡ଼ଙ୍ଗର ଆରମ୍ଭ ଏବଂ ଶେଷ ପୋତି ହୋଇଯାଇଥିଲେ ବି ଏହାର ଅବଶେଷ ଏବେ ବି ମାଟି ତଳେ ଶେଷ ନିଃଶ୍ୱାସ ନେଉଛି । ଶ୍ରୀମନ୍ଦିରକୁ ଶତ୍ରୁଙ୍କ କବଳରୁ ସୁରକ୍ଷା ଦେବାକୁ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଶହଶହ ବର୍ଷ ତଳେ ଶ୍ରୀମନ୍ଦିର ଆଖପାଖରେ ଗଢ଼ି ଉଠିଥିବା ଜନବସତି କାଳକ୍ରମେ ମାଟି ତଳେ ପୋତି ହୋଇଯିବାରୁ ଏହି ସୁଡଙ୍ଗ ସଦୃଶ୍ୟ ଭଗ୍ନାବଶେଷ ଜିପିଆର୍ ସର୍ଭେରେ ନଜର ଆସୁଥିବା କୁହାଯାଉଛି ।

ଆଇଆଇଟି ଗାନ୍ଧିନଗର ପକ୍ଷରୁ କରାଯାଇଥିବା ସର୍ଭେରେ ସବୁଠାରୁ ବଡ଼ ସୁଡ଼ଙ୍ଗ ଏମାର ମଠ ନିକଟ ଅଞ୍ଚଳରେ ଦେଖାଯାଇଛି । ଏହାର ଲମ୍ବ ପ୍ରାୟ ୯୦ ମିଟର । ଏହାର ଗୋଟିଏ ପାଶ୍ୱର୍ ଶ୍ରୀମନ୍ଦିର ଆଡ଼କୁ ରହିଥିବା ବେଳେ ଅନ୍ୟ ଏକ ପାଶ୍ୱର୍ ସମୁଦ୍ର ପାଶ୍ୱର୍କୁ ରହିଛି । ଏହି ସୁଡ଼ଙ୍ଗ ଚଉଡ଼ା ସର୍ବାଧିକ ୬ ମିଟର ଥିବା ବେଳେ ସର୍ବନିମ୍ନ ୩.୮ ମିଟର ଅଛି । ଏହି ସୁଡ଼ଙ୍ଗ ଭୂମିଠାରୁ ୧ ମିଟର ତଳେ ରହିଛି । ଏହି ସୁଡ଼ଙ୍ଗର ଏକ ପାଶ୍ୱର୍ ଶ୍ରୀମନ୍ଦିର ଦକ୍ଷିଣ ପାଶ୍ୱର୍ ଅଞ୍ଚଳ ଯାଏ ଲମ୍ବିଥିବା ସନ୍ଦେହ କରାଯାଉଛି । କାରଣ ସମାନ ଗଭୀରତାରେ ଦକ୍ଷିଣପାଶ୍ୱର୍ ଅଞ୍ଚଳରେ ୨୭.୨ ମିଟର ଲମ୍ବ ଓ ୧୪.୨ ମିଟର ଚଉଡ଼ାର ଏକ କୋଠରୀ ପ୍ରାୟ ଭଗ୍ନାବଶେଷ ଏଠାରେ ଦେଖିବାକୁ ମିଳିଛି । ଏହି କୋଠରୀ ସହ ଉକ୍ତ ଲମ୍ବା ସୁଡ଼ଙ୍ଗର ସାମଞ୍ଜସ୍ୟ ଥିବା ସନ୍ଦେହ କରାଯାଉଥିବା ବେଳେ ଏହି କୋଠରିରୁ କିଛି ଲମ୍ବା ସମାନ୍ତରାଳ ଭଗ୍ନାବଶେଷ ମଧ୍ୟ ବାହାରିଥିବା ଦେଖଯାଇଛି । ଏହି ରହସ୍ୟରୁ ପରଦା ହଟାଇବା ପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ ବୋଲି ଆଇଆଇଟି ଟିମ୍ ରିପୋର୍ଟରେ ଉଲ୍ଲେଖ କରିଛି । ଏମାର ମଠ ସଂଲଗ୍ନ ଅଞ୍ଚଳରେ ୧.୧ ମିଟରରୁ ୨ ମିଟର ଗଭୀରତା ମଧ୍ୟରେ ମଧ୍ୟ ଅନେକ ଛୋଟ ଛୋଟ ସୁଡ଼ଙ୍ଗର ଭଗ୍ନାବଶେଷ ଦେଖାଯାଇଛି । ଏହି ସବୁ ସୁଡ଼ଙ୍ଗର ଲମ୍ବ ୧ ମିଟରଠାରୁ ଆରମ୍ଭ କରି ୬.୬ ମିଟର ପର୍ଯ୍ୟନ୍ତ ରହିଛି । ଏହାଛଡ଼ା ୧.୧ ମିଟରରୁ ୨ ମିଟର ମଧ୍ୟରେ ଶ୍ରୀମନ୍ଦିର ପଶ୍ଚିମପାଶ୍ୱର୍ରେ ମଧ୍ୟ ୨୧.୫ ମିଟର ଲମ୍ବ ସୁଡ଼ଙ୍ଗ ଦେଖିବାକୁ ମିଳିଛି ।

ଆହୁରି ପଢନ୍ତୁ-୪୫ ବର୍ଷ ପରେ ରତ୍ନଭଣ୍ଡାରର ଗୁମର ଖୋଲିଲେ ସରକାର, ଜାଣନ୍ତୁ ଭିତର ଓ ବାହାର ଭଣ୍ଡାରରେ କ’ଣ କ’ଣ ରହିଛି ?

ସେହିଭଳି ସମାନ ଗଭୀରତାରେ ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍ରେ ୧୦ ମିଟର ଲମ୍ବ ସୁଡ଼ଙ୍ଗ ଜିପିଆର୍ ରିପୋର୍ଟରେ ଚିହ୍ନଟ ହୋଇଛି । ଏହା ଚଉଡା ଦେଢ଼ ମିଟର ରହିଛି । ଶ୍ରୀମନ୍ଦିର ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟ ୩ଟି ଭଗ୍ନାବଶେଷ ସୁଡ଼ଙ୍ଗ ମିଳିଛି ଏହାର ଲମ୍ବ ୨୧.୨ ମିଟର, ୧୮.୫ ମିଟର ଏବଂ ୯.୧ ମିଟର ରହିଛି । ଏହାର ମୋଟେଇ ୦.୪ ମିଟରରୁ ୨ ମିଟର ମଧ୍ୟରେ ରହିଛି । ଏହି ସବୁ ସମାନ୍ତରାଳ ଭାବେ ଅଛି । ସମାନ ଅଞ୍ଚଳରେ ପାଖାପାଖି ୫ ମିଟର ତଳେ ଏକ ୯ ମିଟର ଲମ୍ବ ଅବଶେଷ ମଧ୍ୟ ଚିହ୍ନଟ ହୋଇଛି । ସେହିଭଳି ରଥଖଳା ତଳେ ମଧ୍ୟ ଦେଢ଼ରୁ ୩ ମିଟର ମଧ୍ୟରେ ସୁଢ଼ଙ୍ଗ ରହିଛି ହେଲେ ଏହା ପରବର୍ତ୍ତୀ ସମୟରେ ଭାଙ୍ଗିଦିଆଯାଇଥିବା କିମ୍ବା କୌଣସି କାରଣରୁ ନଷ୍ଟ ହୋଇଯାଇଥିବା ଦେଖାଯାଇଛି । ସେହିଭଳି ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ବିଭିନ୍ନ ଦିଗକୁ ରାସ୍ତା ସଦୃଶ୍ୟ ଭଗ୍ନାବଶେଷ ଯାଇଥିବା ଚିହ୍ନଟ ହୋଇଛି । ଏହି ଅଞ୍ଚଳରେ ୫ ମିଟର ମାଟିତଳୁ ପାଖାପାଖି ୧୩.୯ ମିଟର ଲମ୍ବ ଏକ ସୁଡ଼ଙ୍ଗ ସଦୃଶ୍ୟ ଅବଶେଷ ଉତ୍ତର-ପୂର୍ବ ପାଶ୍ୱର୍କୁ ଯାଉଥିବା ମଧ୍ୟ ଦେଖଯାଇଛି ।