ନୂଆଦିଲ୍ଲୀ: ତେଲେଙ୍ଗାନା ପୋଲିସକୁ ରବିବାର ଏକ ବଡ଼ ସଫଳତା ମିଳିଛି । ନିଷିଦ୍ଧ ଆତଙ୍କବାଦୀ ସଂଗଠନ ISISର ଦୁଇ ଜଣ କାର୍ଯ୍ୟକର୍ତ୍ତା (ଅପରେଟିଭ୍)ଙ୍କୁ ଗିରଫ କରିଛି। ପୋଲିସ ଏକ କାଉଣ୍ଟର-ଇଣ୍ଟେଲିଜେନ୍ସ ଅପରେସନର ଅଂଶ ସ୍ୱରୂପ ଉଭୟଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ, ଉଭୟ ISIS କର୍ମୀ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ। ଏଥିପାଇଁ, ଦୁହେଁ ଏକ ନିର୍ଜନ ଅଞ୍ଚଳରେ ପରୀକ୍ଷାମୂଳକ ବିସ୍ଫୋରଣ ବି କରିଥିଲେ। ପୋଲିସ କହିଛି ଯେ, ଏକ ଗୁପ୍ତ ସୂଚନା ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି ।
ଅଭିଯୁକ୍ତଙ୍କୁ ସିରାଜ-ଉର-ରେହମାନ ଏବଂ ସୟଦ ସମୀର ଭାବରେ ଚିହ୍ନଟ କରାଯାଇଛି। ସିରାଜକୁ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରୁ ଗିରଫ କରାଯାଇଥିବା ବେଳେ ସମୀରକୁ ସିକନ୍ଦରାବାଦର ଭୋଇଗୁଡ଼ାରୁ ଗିରଫ କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଭୟେ ଅନଲାଇନରେ ବିସ୍ଫୋରକ ସାମଗ୍ରୀ କିଣୁଥିଲେ। ପୋଲିସ ବିଜୟନଗରମରେ ସିରାଜର ଘରେ ଚଢାଉ କରିଥିଲା । ଏହା ପରେ ସମୀରକୁ ଗିରଫ କରାଯାଇଥିଲା। ଏହି ଦୁଇଜଣ ବିଜୟନଗରମର ଏକ ନିର୍ଜନ ଅଞ୍ଚଳରେ ଏକ ପରୀକ୍ଷାମୂଳକ ବିସ୍ଫୋରଣ କରିଥିଲେ ଏବଂ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ।
ସେମାନଙ୍କ ସମ୍ଭାବ୍ୟ ଆକ୍ରମଣ ତାଲିକାରେ ହାଇଦ୍ରାବାଦ ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗିରଫ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ସିରାଜ ଏବଂ ସମୀର ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସମ୍ପର୍କରେ ଆସିଥିଲେ। ସେମାନେ ସାଉଦି ଆରବର ଜଣେ ହ୍ୟାଣ୍ଡଲରଙ୍କ ସହାୟତାରେ ବିସ୍ଫୋରଣ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିଲେ। ହ୍ୟାଣ୍ଡଲର ସିରାଜ ଏବଂ ସମୀରକୁ ବିସ୍ଫୋରଣ ଘଟାଇବା ପାଇଁ ଉସୁକାଉଥିଲା।
ଆଇଏସଆଇଏସ କାର୍ଯ୍ୟକର୍ତ୍ତାମାନେ ବିସ୍ଫୋରଣ କରିବାକୁ କେଉଁଠାରେ ଯୋଜନା କରୁଛନ୍ତି ତାହା ଜଣାପଡ଼ି ନାହିଁ । ଅନଲାଇନରେ ଅର୍ଡର କରିବା ପରେ କେଉଁଠାରୁ ବିସ୍ଫୋରକ ସଂଗ୍ରହ କରୁଥିଲେ ଏବଂ ସେମାନେ କେଉଁଠାରେ ବୋମା ବିସ୍ଫୋରଣ ଯୋଜନା କରିଥିଲେ ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି। ପୋଲିସ କହିଛି ଯେ, ସେମାନେ ସାଉଦି ଆରବରେ ଥିବା ହ୍ୟାଣ୍ଡଲର ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଛି ।