ଭୁବନେଶ୍ବର,୨୮/୦୪: ଦଳରେ ଅସନ୍ତୋଷ ପରେ ଏବେ ୟୁ ଟର୍ଣ୍ଣ ମାରିଛି କଂଗ୍ରେସ। ବିଜେଡି ସହ ସମ୍ପର୍କ କୁ ନେଇ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଜିଲ୍ଲାପରିଷଦ ,ପଞ୍ଚାୟତ, ମୁନିସିପାଲଟି ନିର୍ବାଚନରେ ନିଜ ଦମରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ। ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହେଇପାରେ ବୋଲି କହିଛନ୍ତି ପିସିସି ସଭାପତି।

ସୂଚନାଥାଉକି, ଗତ ରାଜ୍ୟସଭା ନିର୍ବାଚନ ସମୟରେ କଂଗ୍ରେସ ଏବଂ ବିଜେଡି ହାତ ମିଳାଇଥିଲେ। ଯଦିଓ ଉଭୟ ବିରୋଧି ଦଳ ବିଜେପି ଆଗରେ ହାର ମାନିଥିଲେ, ତଥାପି ଉଭୟେ ରାଜ୍ୟରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଏକାଠି ଲଢ଼ିବେ ବୋଲି ଏକପ୍ରକାର କଳ୍ପନାଜଳ୍ପନା ଲାଗି ରହିଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ଏପ୍ରିଲ ୧୩ ତାରିଖର ଏକ ବୟାନ ଏହି ଚର୍ଚାକୁ ଆଗକୁ ବଢ଼ାଇଥିଲା । ତେବେ କଂଗ୍ରେସ ଓ ବିଜେଡି ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଣ୍ଟର ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ଭକ୍ତ। କେବଳ ଭକ୍ତ ନୁହଁନ୍ତି ବରଂ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଧ୍ୟ ଭକ୍ତଙ୍କ ଏହି ବୟାନକୁ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ,' ସବୁ କ୍ଷେତ୍ରରେ ସମ୍ଭାବନା ରହିଛି, ଯଦି ପିସିସି ସଭାପତି ଏପରି କିଛି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ।'

ଅଧିକ ପଢ଼ନ୍ତୁ: ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ଦେଲେ ରାଜସ୍ୱ ମନ୍ତ୍ରୀ, ୧୧ଟାରୁ ୩ଟା ଘରୁ ନ ବାହାରିବାକୁ ପରାମର୍ଶ

ତେବେ ପୂର୍ବରୁ ଉଭୟଙ୍କ ଏହି ବୟାନ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ଭାବନାକୁ ଖୋରାକ ଯୋଗାଉଥିବା ବେଳେ ପିସିସି ସଭାପତିଙ୍କ ଆଜିର ପ୍ରତିକ୍ରିୟା କିଛି ଭିନ୍ନ ଦିଗ ଦେଖାଉଛି। ତେବେ ଆଗକୁ ଜଣାପଡ଼ିବ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଉଭୟ କଂଗ୍ରେସ ଏବଂ ବିଜେଡି ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି ନା ନିଜ ଦମ୍ରେ ନିର୍ବାଚନୀ ମଇଦାନକୁ ଓହ୍ଲାଉଛନ୍ତି।

 

ବର୍ତ୍ତମାନ ଓଡ଼ିଶାର ରାଜନୈତିକ ସ୍ଥିତି ଯାହା ରହିଛି, ସେଥିରେ ବିଜେଡି ଓ କଂଗ୍ରେସ ମେଣ୍ଟର ଆବଶ୍ୟକତା ରହିଥିବା କଥା ରାଜନୈତିକ ପଣ୍ଡିତଙ୍କ ମଧ୍ୟରେ ବେଶ୍ ଆଲୋଚନା ହେଉଛି।ରାଜନୈତିକ ପର୍ଯ୍ୟବେକ୍ଷକମାନେ ମଧ୍ୟ କହିଛନ୍ତି, ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ନବୀନ ପଟ୍ଟନାୟକଙ୍କର ସମ୍ପର୍କରେ ସେଭଳି କୌଣସି ତିକ୍ତତା ନାହିଁ। ତେଣୁ ବିଜେଡି ସୁପ୍ରିମୋ ଏ ଦିଗରେ ବିଶେଷ ଧ୍ୟାନ ଦେଇ କଂଗ୍ରେସ ସହିତ ମେଣ୍ଟ ମଧ୍ୟ ନକରିପାରନ୍ତି। ସବୁପରେ ମଧ୍ୟ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ, ତେଣୁ ଏବେ ଠାରୁ କୌଣସି ପ୍ରକାର ରାଜନୈତିକ ପରିବର୍ତ୍ତନର ଆକଳନ କରିବା ଅସମ୍ଭବ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Manmohan Samal : ଜୁନ୍ ୧୨ ପୂର୍ବରୁ ନେତାଙ୍କୁ ନିଗମ ବଣ୍ଟନ, ଦିଲ୍ଲୀ ନେତାଙ୍କ ସହ ବୈଠକ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ