​​​​​​​ନୂଆଦିଲ୍ଲୀ : ବିଜୟ ହଜାରେ ଟ୍ରଫିରେ କମାଲ କରୁଛନ୍ତି ଯୁବ ଖେଳାଳି। ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଅଭିଜ୍ଞ ଖେଳାଳି ଚଳିତ ସିଜିନରେ ଖେଳୁଛନ୍ତି । ବିରାଟଙ୍କ ଦମଦାର ବ୍ୟାଟିଂ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ବିରାଟ ଦୁଇଟି ମ୍ୟାଚରେ ୨୦୮ ରନ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ମଧ୍ୟ ରହିଛି। ଅନ୍ୟପଟେ ରୋହିତ ଶର୍ମା କିନ୍ତୁ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ସେପଟେ କିନ୍ତୁ ଯୁବ ଖେଳାଳିମାନେ କମାଲ କରିବାରେ‌ ଲାଗିଛନ୍ତି। ୫ ଜଣ ଖେଳାଳିଙ୍କ ପ୍ରଦର୍ଶନ ଏଭଳି ରହିଛି ଯାହା ସମସ୍ତଙ୍କୁ ଚମକାଇ ଦେବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ତାଲିକାରେ ଜଣେ ଓଡ଼ିଆ ଖେଳାଳି ରହିଛନ୍ତି। ତେବେ ଏହିସବୁ ଯୁବ ଖେଳାଳି ମାନେ କିଏ ? ଆସନ୍ତୁ ନଜର ପକାଇବା...

ଦେବିଦତ୍ତ ପାଡିକଲ୍ : ଏକଦା କୋହଲିଙ୍କ ସହ ଆଇପିଏଲରେ କୋହଲିଙ୍କ ସହ ଖେଳିବାର ଅଭିଜ୍ଞତା ରଖିଥିବା ଦେବିଦତ୍ତ ପାଡିକଲ ଏବେ ଘରୋଇ କ୍ରିକେଟରେ କମାଲ କରୁଛନ୍ତି । ଦୁଇଟି ମ୍ୟାଚରେ ସେ ଦୁଇଟି ଶତକ ହାସଲ କରି ସାରିଲେଣି। ସେ କର୍ଣ୍ଣାଟକ ପକ୍ଷରୁ ଖେଳୁ ଥିବା ବେଳେ ଦୁଇଟି ମ୍ୟାଚରେ ୨୭୧ ରନ ସଂଗ୍ରହ କରି ସାରିଲେଣି।

ଧ୍ରୁବ୍ ସୋରେ  : ବିଦର୍ଭ ପକ୍ଷରୁ ଖେଳୁଥିବା ସଲମୀ କ୍ରିକେଟର ଧ୍ରୁବ୍ ସୋରେ ଏବେ ଘରୋଇ କ୍ରିକେଟରେ କମାଲ କରୁଛନ୍ତି। ବିଜୟ ହଜାରେ‌ ଟ୍ରଫିରେ ସେ ମଧ୍ୟ ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରି ସାରିଲେଣି। ୧୨୧ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ସେ ୨୪୫ ରନ କରିଛନ୍ତି। ଯାହାକୁ ନେଇ ସେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି।

ସମର ଗଜ୍ଜର : ସୌରାଷ୍ଟ୍ର ପାଇଁ ଖେଳୁଥିବା ସମର ଗଜ୍ଜର ଦୁଇଟି ମ୍ୟାଚରେ ୨୧୫ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୩୨। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ମଧ୍ୟ ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିଛନ୍ତି।

ଆର୍ଯ୍ୟନ ଜୁୟାଲ : ଉତ୍ତର ପ୍ରଦେଶର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍ ଆର୍ଯ୍ୟନ ଜୁୟାଲ ଜଣେ ଉଚ୍ଚ କୋଟିର ଖେଳାଳି। ସେ ଦୁଇଟି ମ୍ୟାଚରେ ୨୧୪ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ମଧ୍ୟ ରହିଛି।

ସ୍ୱସ୍ତିକ ସାମଲ : ଆମ ଓଡ଼ିଆ କ୍ରିକେଟର ସ୍ବସ୍ତିକ ସାମଲ ମଧ୍ୟ ବିଜୟ ହଜାରେ ଟ୍ରଫିରେ ଏବେ କମାଳ କରୁଛନ୍ତି। ଯଦିଓ ଦଳ ପ୍ରଥମ ଦୁଇଟି ଯାକ ମ୍ୟାଚରେ ବିଜୟ ହାସଲ କରିପାରିନାହିଁ। ତଥାପି ସ୍ବସ୍ତିକ ସାମଲ ଉଚ୍ଚ କୋଟିର ଖେଳ ଜାରି ରଖିଛନ୍ତି। ସେ ଦୁଇଟି ମ୍ୟାଚରେ ୨୧୨ ରନ୍ କରିଛନ୍ତି। ତେବେ ପ୍ରଥମ ମ୍ୟାଚରେ ସେ ଦ୍ବିତକୀୟ ପାଳି ଖେଳିଥିଲେ। ଦଳ ଯଦିଓ ବଡ଼ ସ୍କୋର କରିବା ପରେ ମଧ୍ୟ ପରାଜୟ ବରଣ କରିଥିଲା। ତେବେ ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ସ୍କୋର କରିବା ତାଲିକାରେ ଓଡ଼ିଆ ଖେଳାଳି ସ୍ବସ୍ତିକ ସାମଲ ପଞ୍ଚମ ସ୍ଥାନରେ ରହିଛନ୍ତି।