ବେଙ୍ଗାଲୁରୁ ୧୦/୦୮: ପୁଲିସ ହେପାଜତରେ ଥାଇ ଭିଡିଓ କଲ୍‌ରେ ପତ୍ନୀଙ୍କୁ ପ୍ରଭାବିତ କରିବାକୁ କନ୍‌ଷ୍ଟେବଲଙ୍କ ୟୁନିଫର୍ମ ପିନ୍ଧିଲା ଚୋର । ବେଙ୍ଗାଲୁରୁରେ ଏହି ଘଟଣା ସବୁରି ଧ୍ୟାନ ଆକର୍ଷଣ କରିଛି । ମାମଲା ସାମ୍ନାକୁ ଆସିବା ପରେ ବେଙ୍ଗାଲୁରୁ ପୁଲିସ କନ୍‌ଷ୍ଟେବଲଙ୍କୁ ସସ୍‌ପେଣ୍ଡ କରିଛି । ଅନ୍ୟ ଏକ ମାମଲାର ଯାଞ୍ଚ୍‌ ସମୟରେ ବର୍ଷେ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଯାଞ୍ଚ୍‌ ପରେ ଗୋବିନ୍ଦପୁରା ଥାନାର କନ୍‌ଷ୍ଟେବଲ ଏଚ୍‌ଆର୍‌ ସୋନାରଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏକ ହୋଟେଲରେ ପୁଲିସ ହେପାଜତରେ ଥିବାବେଳେ ବମ୍ବେ ସଲିମ ନାମରେ ପରିଚିତ ଚୋର ସଲିମ ଶେଖ୍‌ କନ୍‌ଷ୍ଟେବଲ ସୋନାରଙ୍କ ୟୁନିଫର୍ମ ପିନ୍ଧିଥିବା ଜଣାପଡ଼ିଲା । 

ଘଟଣାଟି ୨୦୨୪ର । ୫୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ସଲିମକୁ ଏକ ଚୋରି ମାମଲାରେ ଗୋବିନ୍ଦପୁରା ପୁଲିସ ଗିରଫ କରିଥିଲା । ଚୋରି ଗହଣା, ଶାଢ଼ି ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଖୋଜିବା ପାଇଁ ପୁଲିସ ଅଧିକାରୀମାନେ ସଲିମକୁ ବେଙ୍ଗାଲୁରୁ ବାହାରକୁ ନେଇ ଏକ ହୋଟେଲରେ ରଖିଥିଲେ । ସୋନାର ଓ ଅନ୍ୟ ଜଣେ କନ୍‌ଷ୍ଟେବଲ ସଲିମକୁ ହୋଟେଲ ରୁମ୍‌ରେ ବାନ୍ଧି ସପିଂ ପାଇଁ ଯାଇଥିଲେ । ସେମାନଙ୍କ ଅନୁପସ୍ଥିତିରେ ସଲିମ ରୁମ୍‌ରେ ସୋନାରଙ୍କ ୟୁନିଫର୍ମ ଦେଖିଲା । ତାକୁ ପିନ୍ଧି ହ୍ୱାଟ୍ସଆପ୍‌ରେ ନିଜ ପତ୍ନୀଙ୍କୁ ଭିଡିଓ କଲ୍‌ କଲା । କେବଳ ପତ୍ନୀଙ୍କୁ ଦେଖାଇବା ପାଇଁ ସେ ଏପରି କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । 

ଗତ ମେ’ ମାସରେ ଇନ୍ଦିରାନଗରରେ ଆଉ ଏକ ଚୋରି ମାମଲାରେ ସଲିମର ସମ୍ପୃକ୍ତି ନ ଥିଲେ, ଏହି ଘଟଣା ସାମ୍ନାକୁ ଆସିନଥାନ୍ତା । ସଲିମ ସେଠାରେ ଏକ ଘରେ ପଶି ମୂଲ୍ୟବାନ ଜିନିଷ ଚୋରି କରିଥିବା ଅଭିଯୋଗ ହୋଇଥିଲା । ଇନ୍ଦିରାନଗର ପୁଲିସ ସଲିମର ମୋବାଇଲ ଫୋନ୍‌ ଚେକ୍‌ କରିବା ପରେ ପୁଲିସ ୟୁନିଫର୍ମ ପିନ୍ଧିଥିବା ତା’ର ଫଟୋ ଓ ସ୍କ୍ରିନ୍‌ଶଟ୍‌ ଦେଖିବାକୁ ପାଇଲା । ଫଟୋସବୁ ଜଣେ ମହିଳାଙ୍କ ସହ ଭିଡିଓ କଲ୍‌ ସମୟର ଥିଲା, ଯିଏକି ସଲିମଙ୍କ ପତ୍ନୀ ବୋଲି ପୁଲିସ ସ୍ପଷ୍ଟ କଲା । ପଚାରିବାରୁ ବର୍ଷେ ତଳର ଘଟଣା ବିଷୟରେ ସଲିମ ପୁଲିସକୁ କହିଲା । ଚୋର ପୁଲିସ ୟୁନିଫର୍ମ ପିନ୍ଧିବାକୁ ଅବହେଳା ଦର୍ଶାଇ ପୁଲିସ ସୋନାରଙ୍କୁ ସସ୍‌ପେଣ୍ଡ କଲା । ଘଟଣା ପରେ ଅଧିକାରୀମାନେ ସୋନାର କିମ୍ବା ଅନ୍ୟ ଅଫିସର୍‌ଙ୍କ ସହ ସଲିମର ସମ୍ପର୍କର ଯାଞ୍ଚ୍‌ ଆରମ୍ଭ କରିଛନ୍ତି ।