ଝାଡ଼ଖଣ୍ଡ ୦୯/୦୬: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି । ସେଠାରେ ଚୋରି କରିବାକୁ ଆସିଥିବା ଏକ ଗ୍ୟାଙ୍ଗର ଜଣେ ସଦସ୍ୟ ଓଲଟା ଥାନାରେ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧରେ ମାର୍ପିଟ ଅଭିଯୋଗରେ ମାମଲା ରୁଜୁ କରାଇଛନ୍ତି । ଏଥିସହିତ ପୁଲିସକୁ ନ୍ୟାୟ ମାଗିଛନ୍ତି । ମାମଲାଟି ଏହିପରି ।
ଜୁନ୍ ୪ ତାରିଖ ରାତିରେ ପଶ୍ଚିମବଙ୍ଗ ଆସାନସୋଲ ନିବାସୀ ବିଜୟ କୁମାର ନିଜ ୫ ଜଣ ସାଥୀଙ୍କ ସହ ରାଞ୍ଚିର ସତ୍ୟାରୀ ମୋହଲ୍ଲାକୁ ଚୋରି କରିବାକୁ ପହଞ୍ଚିଥିଲେ । ସେମାନେ ଏକ ଘରେ ପଶି ଆଲମାରୀରୁ ସୁନା ଚେନ୍ ଓ ନଗଦ ଲୁଟ୍ କରିଥିଲେ । ଇତିମଧ୍ୟରେ ଘର ମାଲିକଙ୍କ ନିଦ ଭାଙ୍ଗିଯିବାରୁ ସେ ଚିଲ୍ଲେଇଥିଲେ । ଏହାପରେ ଚୋରମାନେ ତାଙ୍କ ପାଟିକୁ ଦବାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଗୃହକର୍ତ୍ତାଙ୍କ ଚିଲ୍ଲେଇବାର ଶଦ୍ଦ ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଇତିମଧ୍ୟରେ ଦୁଇଜଣ ଚୋର ଖସି ପଳାଇଥିଲେ । ତେବେ ବିଜୟଙ୍କ ସମେତ ଅନ୍ୟ ୪ ଜଣ ଧରାପଡି଼ଥିଲେ ।

ଗ୍ରାମବାସୀ ସେମାନଙ୍କୁ ନିସ୍ତୁକ ପିଟିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ମାର୍ପିଟ ଯୋଗୁ ବିଜୟଙ୍କ ହାତ ଭାଙ୍ଗିଯାଇଥିଲା । ତାଙ୍କର ଅନ୍ୟ ସାଥୀମାନେ ଗୁରୁତର ଆହତ ହୋଇଥିଲେ । ଏହାପରେ ବିଜୟ ଜଗନ୍ନାଥପୁର ଥାନାରେ ଓଲଟା ଗ୍ରାମବାସୀଙ୍କ ବିରୋଧରେ ଏତଲା ରୁଜୁ କରାଇଛନ୍ତି । ନିଜର ବୟାନରେ ସେ କହିଛନ୍ତି ଯେ, ଚୋରି କରିବା ଅପରାଧରେ ଗ୍ରାମବାସୀ ତାଙ୍କୁ ଖାଲି ପୁଲିସକୁ ସମର୍ପଣ କରିବାର ଥିଲା । ସେମାନେ ବେଆଇନ ଭାବେ ହିଂସାତ୍ମକ ପନ୍ଥା ଅବଲମ୍ବନ କରି ତାଙ୍କୁ ପ୍ରବଳ ମାର୍ପିଟ କରିଛନ୍ତି ।