ନୂଆଦିଲ୍ଲୀ,୨୯/୧୧: ବିମାନକୁ ଆସୁଥିବା ବୋମା ଧମକକୁ ନେଇ କେନ୍ଦ୍ର ସରକାର ଏକ ରିପୋର୍ଟ ଦେଇଛନ୍ତି । ୨୦୨୨ରୁ ୨୦୨୪ ମଧ୍ୟରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରା ସମୟରେ ମିଳିଥିବା ବୋମା ଧମକକୁ ନେଇ ଲୋକସଭାରେ ବିବରଣୀ ଦେଇଛନ୍ତି ଭାରତ ସରକାର । ତଥ୍ୟ ଅନୁସାରେ ୨୦୨୪ ନଭେମ୍ବର ୧୪ ସୁଦ୍ଧା ୧୧୪୮ଟି ବୋମା ଧମକ ଆସିଛି । ପ୍ରତିଦିନ ଅତିକମରେ ବିମାନକୁ ବୋମା ଧମକ ନେଇ ଗୋଟିଏ ଫୋନ କଲ ଆସୁଛି । ଯାହା ସମ୍ପୂର୍ଣ୍ଣ ମିଥ୍ୟା ।
ସୂଚନାଅନୁସାରେ କେବଳ ୨୦୨୪ରେ ବିମାନକୁ ଆସିଥିବା ବୋମା ଧମକ ସଂଖ୍ୟା ବଢିବାରେ ଲାଗିଛି । ଚଳିତ ବର୍ଷର ପ୍ରଥମ ୧୧ ମାସରେ ୯୯୯ଟି ବୋମା ଧମକ ମିଳିଛି । ବିମାନକୁ ଏହିପରି ଧମକ ମିଳିବା ପରେ ବିମାନ ଉଡାଣରେ ବାଧା ଉପୁଜିଛି । ବିମାନକୁ ମିଳିଥିବା ବୋମା ଧମକ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି । ଅଗଷ୍ଟ ୨୦୨୨ରୁ ଡିସେମ୍ବର ୨୦୨୨ ମଧ୍ୟରେ ୨୭ଟି ବୋମା ଧମକ ମିଳିଥିବାବେଳେ ୨୦୨୩ ଜାନୁଆରୀର ଡିସେମ୍ବରରେ ୧୨୨ଟି ବୋମା ଧମକ ଆସିଛି ।
୨୫୬ ମାମଲା ରୁଜୁ ୧୨ ଗିରଫ- ୨୦୨୪ ଜାନୁଆରୀରୁ ବିମାନକୁ ମିଳିଥିବା ମିଥ୍ୟା ଧମକ ନେଇ ୨୫୬ଟି ମାମଲା ରୁଜ୍ଜୁ ହୋଇଛି । ଅକ୍ଟୋବର ୧୪ରୁ ନଭେମ୍ବର ୧୪ ମଧ୍ୟରେ ୧୬୩ଟି ମାମଲା ହୋଇଛି । ମାମଲାରେ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି ।
ବଦଳିପାରେ ଆଇନ- ବିମାନ ସୁରକ୍ଷା ନିୟମରେ ପରିବର୍ତ୍ତନ ନେଇ ସରକାର ଆଲୋଚନା କରୁଛନ୍ତି । ଏହି ସଂଶୋଧନରେ ବିମାନକୁ ମିଥ୍ୟ ବୋମା ଧମକ ଦେଉଥିବା ଲୋକଙ୍କୁ ନୋ ପ୍ଲାଇଟ୍ ଲିଷ୍ଟରେ ସାମିଲ କରାଯିବ । ଏହା ସହିତ ଯାତ୍ରୀଙ୍କ ସୁରକ୍ଷା ନେଇ ଅଧିନିୟମରେ ସଂଶୋଧନ କରାଯିବ ।
କଡାକଡି ସୁରକ୍ଷା ପ୍ରୋଟୋକଲ୍ସ ପାଳନ- ବିମାନକୁ ମିଳୁଥିବା ବୋମା ଧମକକୁ ନେଇ ବିସିଏସ ଏକାଧିକ ଯୋଜନା କରିଛି । ବିଟିଏସିର ଭର୍ଚୁଆଲ ବୈଠକ ଆୟୋଜିତ ହୋଇଛି । ଏହା ସହିତ ସୁରକ୍ଷା ପ୍ରୋଟୋକଲ କଡାକଡି ପାଳନ ହୋଇଛି ।