କଙ୍କଡାହାଡ଼,୮/୮: ସରକାରୀ ବିଜ୍ଞପ୍ତିକୁ ବିରୋଧ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଧାରା (୧୭୦)କୁ ଲାଗୁ କରିବା ବିରୋଧରେ ଗର୍ଜିଲେ ହଜାର ହଜାର ଆଦିବାସୀ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଠାରେ ତହସିଲ ଅଫିସ ଘେରାଉ କରିଛନ୍ତି । ମିଳିତ ଆଦିବାସୀ ସଙ୍ଘର୍ଷ ମଞ୍ଚ ପକ୍ଷରୁ ସଭାପତି ଲାଲମୋହନ ମୁର୍ମୁଙ୍କ ନେତୃତ୍ବରେ ରାମେଶ୍ୱର ଉଚ୍ଚ ବିଦ୍ୟାଳୟ ଷ୍ଟାଡିୟମ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ସରକାରଙ୍କ ପକ୍ଷରୁ ଆଦିବାସୀ ମାନଙ୍କ ପ୍ରତି ହେଉଥିବା ଶୋଷଣ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ଏ ବିଷୟରେ କଙ୍କଡାହାଡ଼ ତହସିଲଦାର ସୌଦାମିନୀ ନାୟକଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ବନଖଣ୍ଡ ଅଧିକାରୀ,ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆ ଯାଇଥିଲା। କଙ୍କଡାହାଡ଼ ବ୍ଲକର ବିଭିନ୍ନ ଗ୍ରାମରୁ ହଜାର ହଜାର ଆଦିବାସୀ ସାମିଲ ହୋଇଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଜନୀକାନ୍ତ ସାମଲ, କଙ୍କଡାହାଡ଼ ଥାନା ଅଧିକାରୀ କଳ୍ପନା ବେହେରା, ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦା, କାମାକ୍ଷାନଗର ଥାନା ଅଧିକାରୀ ଆଶିଷ ଜେନା ପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।