ଚୌଦ୍ଵାର,୨୩/୨ : ଲିଫ୍ଟ ଦେବା ବାହାନାରେ ଜଣେ ବ୍ୟକ୍ତିଙ୍କୁ ଖେଳନା ବନ୍ଧୁକ ଦେଖାଇ ଲୁଟ୍ କରିଥିବା ତିନି ଜଣ ଲୁଟେରାଙ୍କୁ ଚୌଦ୍ଵାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ଅନୁଯାୟୀ କଟକ ଅଞ୍ଚଳର ମାନସ ରଞ୍ଜନ ଧଳ ଗତ ଜାନୁୟାରୀ ୨୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ କିଛି କାମ ସାରି ଦୁହୁରିଆ ଛକରେ ସନ୍ଧ୍ୟା ସମୟରେ କଟକ ଅଭିମୁଖେ ଆସିବା ପାଇଁ ବସ କୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ କାର ଆସି ତାଙ୍କ ପାଖରେ ଲାଗିଥିଲା । ଗାଡ଼ିରେ ଥିବା ବ୍ୟକ୍ତିମାନେ ତାଙ୍କୁ କଟକରେ ଛାଡ଼ି ଦେବାକୁ କହି ଗାଡ଼ିରେ ବସାଇ ନେଇ ଆସିଥିଲେ ।
ତାଙ୍କୁ ଭୁଲ୍ ରାସ୍ତାରେ ଆଣିବା ସହ ତାଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ତାଙ୍କଠାରୁ ୨୨ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ୍ ଓ କିଛି କାଗଜପତ୍ର ଥିବା ବ୍ୟାଗ ଲୁଟି ନେଇ ତାଙ୍କୁ ଚୌଦ୍ଵାର ଠାରେ ଛାଡି ଚାଲି ଯାଇଥିଲେ । ଏ ନେଇ ଲୁଟର ଶିକାର ହୋଇଥିବା ମାନସ ରଞ୍ଜନ ଧଳ ଜାନୁୟାରୀ ୨୯ତାରିଖରେ ଚୌଦ୍ଵାର ଥାନା ଲିଖିତ ଅଭିଯୋଗ କରିଥିଲେ ।
ଚୌଦ୍ଵାର ପୋଲିସ ଅଭିଯୋଗକୁ ଭିତ୍ତି କରି ତିନି ଜଣ ଅଭିଯୁକ୍ତ ଲୁଟରାଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ଗୋଟେ ହୋଣ୍ଡା ଆମେଜ୍ କାର୍ , ଗୋଟେ ଖେଳନା ବନ୍ଧୁକ, ମୋବାଇଲ ଫୋନ ଓ କିଛି କାଗଜ ପତ୍ର ଜବତ୍ କରିଛି । ଏହି ଘଟଣାରେ ସମ୍ପୁକ୍ତ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ାର ତ୍ରିଲୋଚନ ସାମନ୍ତରାୟ, ଆଦିତ୍ୟ ବେହେରା ଓ ସୁନ୍ଦରଗଡ଼ ଜିଲ୍ଲାର ସିବା ପ୍ରସାଦ ଦାସ ପ୍ରମୁଖଙ୍କୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି।