ପୁରୀ,୧୨/୦୬: ତିନି ରଥର ଭୂଇଁ କାର୍ଯ୍ୟ ଶେଷ ହୋଇଛି । ଗୁରୁବାର ତିନି ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ଯାଇଛି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କାଠ ସବୁକୁ ରଥ ଉପରକୁ ବୋହି ନେଇ ଖଞ୍ଜିଥିଲେ । ବିଶ୍ୱକର୍ମାମାନେ ମାପଚୁପ କରି କଣ୍ଟା ପିଟିଥିଲେ । ଏହିପରି ତିନି ରଥ ନିର୍ମାଣରେ ସମନ୍ୱୟ ରଖାଯାଇ ତୃତୀୟ ଭୂଇଁ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି ।
ପୂର୍ବରୁ ରଥରେ ପ୍ରଥମ ଓ ଦ୍ୱିତୀୟ ଭୂଇଁ ଉଠିଥିଲା । ରଥକୁ ସୁରକ୍ଷା ପାଇଁ ଚାରିନାହାକାରେ ଲାଗିଥିଲା ଧମକ । ରଥ ଖଳାରେ ତୃତୀୟ ଭୂଇଁ ଫ୍ରେମ୍ ପ୍ରସ୍ତୁତ ହୋଇ ମାପଚୁପ ହୋଇ ଖୋଲାଗଲା । ଏହାପରେ ରଥ ଉପରକୁ ଉଠିଥିଲା ତୃତୀୟ ଭୂଇଁ । ଭୂଇଁ ଟୁଙ୍ଗୁରାରେ ଅକାତ, ମାଛପାତିଆ, ଛିଆଣ, ଭୂଇଁ ନାହାକା ଓ ଖଦିଓରା ଆଦି ଲାଗିଲା । ଖଦିଓରା ବିନ୍ଧରେ ଭୂଇଁ ନାହାକା ସାଲ ହୋଇ ଭର୍ତ୍ତି ହୋଇଥିଲା । ପାଖୁଡ଼ା ଉପରେ ଅକାତ ଓ ମାଛପାତିଆ ଲଗାଯାଇଥିଲା । ଭୂଇଁ ଶେଣୀ ଉପରେ ଛିଆଣ ପଡ଼ିଥିଲା । ଏହାପରେ କଣ୍ଟା ବାଡ଼ିଆ ଯାଇଥିଲା । ଏହାପରେ ପୋଟଳ ଖମ୍ବି ଉଠି ପୋଟଳ ଓରା ଓ ପୋଟଳ ପାରେଣୀ ଲାଗିଥିଲା ।
ଅଧିକ ପଢ଼ନ୍ତୁ :- Rath Khala Update : ଚଉଦ ନାହାକା ବୁଲି ୨ୟ ଭୂଇଁ ଉଠିଲା, ଆଗକୁ ତୃତୀୟ ଭୂଇଁ ଟୁଙ୍ଗୁରା ହେବ
ଏଣିକି ରଥ ଉପରେ ବଡ଼ ପୋଟଳ ଉଠା ଯିବ । ରଥରେ ମୋଟ ୧୩ ପରସ୍ତ ପୋଟଳ ସ୍ଥାପନ କରାଯାଏ । ରୂପକାର, କରତି ଓ ଓଝା ସେବକମାନେ ରଥ ନିର୍ମାଣରେ ନିଜ ନିଜ କାର୍ଯ୍ୟ ଜାରି ରଖିଛନ୍ତି । ରଥରେ ଲାଗିବାକୁ ଥିବା ପାଶ୍ୱର୍ ଦେବଦେବୀ, ଶୁଆ ଆଦି ମୂର୍ତ୍ତିମାନ ରଙ୍ଗ ହେବାକୁ ବାହାରିଛି । ରଥରେ ପଡ଼ିବା ପାଇଁ ଆଜି ରଥ ଖଳାରେ ପଟା ପହଞ୍ଚିଛି ।