ପୁରୀ: ସିଂହଦ୍ବାରରେ ଲାଗିଲେ ମହାପ୍ରଭୁଙ୍କ ତିନି ରଥ ତାଳଧ୍ବଜ,ଦର୍ପଦଳନ ଓ ନନ୍ଦିଘୋଷ । ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ବଜ ଏବଂ ପରେ ହଳଦୀମୁହିଁଙ୍କ ଦର୍ପଦଳନ ସିଂହଦ୍ବାର ସମ୍ମୁଖରେ ଲାଗିଥିଲା । ପରେ ପଛରେ ଝୁଲି ଝୁଲି ଆସିଥିଲେ କଳାଠାକୁର । ରାଜନଅର ନିକଟରେ ଅଟକିଥିଲା ନନ୍ଦିଘୋଷ । ମହାଲକ୍ଷ୍ମୀ ଆସିଥିବାବେଳେ ଗଜପତି ମହାରାଜାଙ୍କ ମଧ୍ୟସ୍ଥତାରେ ହୋଇଥିଲା ଲକ୍ଷ୍ମୀନାରାୟଣ ଭେଟ । ଏହାପରେ ଆଜ୍ଞାମାଳ ନେଇ ଶ୍ରୀନଅରକୁ ଯାଇଥିଲେ ମହାଲକ୍ଷ୍ମୀ । ଆଗକୁ ଗଡ଼ିଥିଲା ନନ୍ଦିଘୋଷ । ଆଉ ସିଂହଦ୍ବାର ନିକଟରେ ପହଞ୍ଚିଥିଲା।

ଭଲ ପାଗ ଯୋଗୁଁ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କରି କୋଟିପୁଣ୍ୟ ଫଳପ୍ରାପ୍ତି ଆଶାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ସମାଗମ ହୋଇଥିଲା। ଶନିବାର ଦ୍ବାଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି।

ଶ୍ରୀନଅରରେ ପହଞ୍ଚିବା ପୂର୍ବରୁ ମହାପ୍ରଭୁଙ୍କୁ ମାଉସୀମା ପୋଡ଼ପିଠା ଖୁଆଇ ଥିଲେl ମହାପ୍ରଭୁଙ୍କ ମାନବୀୟ ଲୀଳାରେ ମାଉସୀମା’ଙ୍କ ସ୍ନେହ ମମତାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି। ଛପନ ପଉଟି ଭୋଗର ଅଧୀଶ୍ବର କ୍ଷଣେ ମାଉସୀମା’ଙ୍କ ନିକଟରେ ଅଟକି ଯିବା ପରେ ପୋଡ଼ ପିଠା ସମର୍ପଣ କରିଥିଲେ ପୂଜାପଣ୍ଡା ସେବକ। ତିନି ଠାକୁରଙ୍କ ପାଇଁ ୩ଟି ପୋଠ ପିଠା ପ୍ରସ୍ତୁତ ହୋଇଥିଲା।