ନୂଆଦିଲ୍ଲୀ: ଓଡ଼ିଶାରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଅଧିକ ସୁଦୃଢ଼ କରାଯିବ। ଏଥିପାଇଁ ଖୁବ ଶୀଘ୍ର ଓଡ଼ିଶାରେ ଲାଗିବ ୩ଟି ରାଡାର। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାରେ ଅତ୍ୟାଧୁନିକ ସୂଚନା ପ୍ରଦାନକାରୀ ଆଉ ୩ଟି ରାଡ଼ାର ଲଗାଯିବ। ବାତ୍ୟା ଓ ଅନ୍ୟାନ୍ୟ ପାଣିପାଗ ଜନିତ ପୂର୍ବାନୁମାନକୁ ଆହୁରି ସଠିକ୍ କରାଯିବ। ଏହା ଦ୍ୱାରା ପ୍ରାକୃତିକ ଦୁର୍ବିପାକ ଆସିବା ପୂର୍ବରୁ ପ୍ରତି ମୁହୂର୍ତ୍ତରେ ସଠିକ୍ ତଥ୍ୟ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ।ବର୍ତ୍ତମାନ ୨ଟି ରାଡ଼ାର ସିଷ୍ଟମ ପାରାଦୀପ ଏବଂ ଗୋପାଳପୁରରେ ରହିଛି ।
ରାଡ଼ାର ଦ୍ୱାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା, ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ପୂର୍ବରୁ ସୂଚନା ମିଳିଯିବ। ଏହା ସାଧାରଣ ଲୋକଙ୍କ ସହ ଚାଷୀ ଏବଂ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ମାନଙ୍କ ପାଇଁ ଫଳପ୍ରଦ ହେବ । ଏହା ଦ୍ବାରା ସଠିକ୍ ପୂର୍ବାନୁମାନ କରାଯାଇ ଆଲର୍ଟ କରାଯିବ । ଯାହା ଦ୍ବାରା ଅନେକ ଧନଜୀବନ କ୍ଷୟକ୍ଷତିରୁ ସାଧାରଣ ଲୋକଙ୍କୁ ବଞ୍ଚାଇ ଯାଇପାରିବ ।
ତେବେ ଆଉ ୩ଟି ରାଡ଼ାର ସମ୍ବଲପୁର, ଭୁବନେଶ୍ୱର, ବାଲେଶ୍ୱରରେ ଲଗାଯିବ । ସମ୍ବଲପୁର ଏବଂ ବାଲେଶ୍ଵରରେ ବଡ଼ ରାଡ଼ାର ଲଗାଯିବ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି ।