ଦିଗପହଣ୍ଡି,୩୦।୯ : ବାହୁଦା ନଦୀରେ ବୁଡି ଗୋଟିଏ ପରିବାରର ୩ ମୃତ, ଜଣେ ଗୁରୁତର। ମା’, ଝିଅ ଓ ନାତିର ମୃତ୍ୟୁ ଘଟିଥିବା ବେଳେ ନାତୁଣୀ ଗୁରୁତର ହୋଇଛି। ମୃତକମାନେ ହେଲେ ଅନୁସୟା ବେହେରା(୫୫), ତାଙ୍କ ଝିଅ ଉଷା ବେହେରା(୩୩), ନାତି ଆଦିତ୍ୟ ବେହେରା(୪)।
ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଳିଙ୍ଗଦଳା ଗ୍ରାମର ପ୍ରକାଶ ବେହେରାଙ୍କ ସ୍ତ୍ରୀ ଅନୁସୟା ବେହେରା(୫୫), ତାଙ୍କ ଝିଅ ଉଷା ବେହେରା(୩୩),ନାତୁଣୀ ସୋନାଲି ବେହେରା (୭)ଓ ନାତି ଆଦିତ୍ୟ ବେହେରା(୪) ନିଜ ଗ୍ରାମପାର୍ଶ୍ୱରେ ପ୍ରବାହିତ ବାହୁଦାନଦୀ ର ଅପରପାର୍ଶ୍ୱରେ ଥିବା ମାଁ 'ରତନେଶ୍ବରୀ ପୀଠରେ ଆୟୋଜିତ ନବରାତ୍ର ପୂଜା ଦର୍ଶନ ସକାଶେ ଯାଇଥିଲେ। ମା’ଙ୍କ ଦର୍ଶନ ସାରି ଉକ୍ତ ନଦୀ ଅବବାହିକ ଦେଇ ନିଜ ଘରକୁ ଫେରିବା ସମୟରେ ଏକ ବିରାଟ ବଡ ଗଣ୍ଡରେ ପଶିଯାଇଥିଲେ। ଗ୍ରାମବାସୀ ୪ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ୪ଜଣଙ୍କୁ ଗ୍ରାମବାସୀ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ଚିକିଟୀଗଡ଼ ମେଡିକାଲକୁ ନେଇଥିଲେ। ମେଡ଼ିକାଲରେ ଅନୁସୟା ଉଷା ଓ ଆଦିତ୍ୟକୁ ଡାକ୍ତର ମୃତ ଘୋଷଣା କରିଥିଲେ। ନାତୁଣୀ ସୋନାଲିର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।