ଭୁବନେଶ୍ୱର/ବାରଙ୍ଗ, ୩୦/୦୭ : ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ରେ ହେବ ବ୍ୟାଘ୍ର ପ୍ରକଳ୍ପ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପକ୍ଷରୁ ମିଳିଲା ଅନୁମତି। ବିଶେଷଜ୍ଞ କମିଟିର ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ପିସିସିଏଫ୍ ପ୍ରେମ୍ କୁମାର ଝା ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସେ କମିଟି ଡେବ୍ରିଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ। କେଉଁ ଅଞ୍ଚଳରେ ଏବଂ କେତେ ଜାଗାରେ ପ୍ରକଳ୍ପ ହେବ । ଯଦି ପ୍ରକଳ୍ପ ପ୍ରତିଷ୍ଠା ହୁଏ ତେବେ କି ପଦକ୍ଷେପ ନିଆଯିବ । ତା’ ଉପରେ ନିଷ୍ପତ୍ତି ପରେ ଆମେ ଆଗେଇବୁ । କେନ୍ଦ୍ର ସରକାରଙ୍କ ଚିଠି ପରେ ଏବେ ଡେବ୍ରିଗଡ଼ରେ ବାଘ ପ୍ରକଳ୍ପ କରିବା ନେଇ ବିଭାଗ ଯୋଜନା କରାଯାଉଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ‘ସ୍ୱଦେଶ ଦର୍ଶନ ୨.୦’ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ସାମିଲ ହୋଇଛି । ଏହାର ବିକାଶ ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାସହ ବାଘ ବଂଶ ବୃଦ୍ଧି ନେଇ ନନ୍ଦନକାନନ ଓ ଶିମିଳିପାଳ ଫୋକସ୍ରେ ରହିଛି । ମାତ୍ର ଓଡ଼ିଶାର ଦ୍ୱିତୀୟ ବ୍ୟାଘ୍ର ଅଭୟାରଣ୍ୟ ସାତକୋଶିଆ ପାଇଁ କୌଣସି ଯୋଜନା ନାହିଁ । ଗତ ୫ ବର୍ଷ ହେବ ଏଠାରେ ପ୍ରକଳ୍ପ ଆଗକୁ ବଢ଼ୁନଥିବା ବେଳେ ଯୋଜନା ଏକରକମ ଫେଲ୍ ମାରିଥିବା କୁହାଯାଉଛି । ଫଳରେ ସାତକୋଶିଆକୁ ନେଇ ସରକାର କୌଣସି ଯୋଜନା କରିବାକୁ ଚାହୁଁନାହାନ୍ତି । ଯେହେତୁ ଶିମିଳିପାଳରେ ପ୍ରକଳ୍ପ ସଫଳ ସହ ବାଘଙ୍କ ସଂଖ୍ୟା ବଢ଼ୁଛି, ତେଣୁ ସେଠାରେ ବ୍ୟାଘ୍ର ସଂରକ୍ଷଣକୁ ଆଗକୁ ନେବାକୁ ଯୋଜନା ହେଉଛି । ଶିମିଳିପାଳରେ ୩୦ରୁ ଅଧିକ ବାଘ ରହିଥିବା ବେଳେ ସାଧାରଣ ବାଘ ସହିତ କଳା ବାଘ ରହିଛନ୍ତି । କୁହାଯାଉଛି, ବାଘଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ । ୨୦୨୪ ମହାରାଷ୍ଟ୍ରରୁ ଦୁଇ ବାଘୁଣୀ ଜୀନତ୍ ଓ ଯମୁନାକୁ ଆଣି ଛଡ଼ା ଯାଇଥିଲା । ଜୀନତ୍ ମା’ ହେବାକୁ ଯାଉଥିବାବେଳେ ସବୁକିଛି ଠିକ୍ଠାକ୍ ରହିଲେ ଅଗଷ୍ଟରେ ଖୁସି ଖବର ମିଳିପାରେ । ଯମୁନାକୁ ନେଇ ବି କର୍ତ୍ତୃପକ୍ଷ ବେଶ୍ ଆଶାବାଦୀ ରହିଛନ୍ତି । ଏ ଭିତରେ ଏବେ ଆଉ ଏକ ଖୁସି ଖବର ପହଞ୍ଚିଛି । ବାଘ ବଂଶ ବିସ୍ତାର ଲାଗି ୨ଟି ପୁରୁଷ ବାଘ ଆଣି ଏଠାରେ ଛାଡ଼ିବାକୁ ଯୋଜନା କରୁଛି ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ । ଆସନ୍ତା ବର୍ଷ ଗୋଟିଏ ପୁରୁଷ ବାଘ ଆସିବ । ପରେ ସ୍ଥିତି ଦେଖି ଆଉ ଏକ ପୁରୁଷ ବାଘ ଅଣାଯିବ । ମହାରାଷ୍ଟ୍ର କିମ୍ବା ମଧ୍ୟପ୍ରଦେଶରୁ ଏହି ବାଘ ଆଣିବାକୁ ଆଲୋଚନା ଚାଲିଛି ।
ସେହିପରି ନନ୍ଦନକାନନରେ ବି କଳାବାଘର ପ୍ରଜନନ ପାଇଁ ଗୁରୁତ୍ୱ ଦିଆଯାଉଛି । ଏବେ ନନ୍ଦନକାନନରେ ୨୯ଟି ବାଘ ରହିଥିବା ବେଳେ ୧୯ଟି ସାଧାରଣ ରଙ୍ଗର ବାଘ, ୬ଟି ଧଳା ଓ ୪ଟି କଳା ବାଘ ରହିଛନ୍ତି । ପ୍ରତିବର୍ଷ ନନ୍ଦନକାନନରେ ବାଘ ସଂଖ୍ୟା ବଢ଼ୁଥିବାରୁ ଏଠାରେ ମଧ୍ୟ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ପାଇବା ପରେ ଏଠାକୁ ମଧ୍ୟ ନୂଆ ବାଘ ଆସିବା ନେଇ ସୂଚନା ରହିଛି । ସହକାରୀ ବନ ସଂରକ୍ଷକ ଡ. ରୁଦ୍ରପ୍ରସାଦ ରଥ କହିଛନ୍ତି, କଥାବାର୍ତ୍ତା ଚାଲିଛି । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଆମେ ନୂଆ ବାଘ କିଛି ଆଣିବୁ । ନନ୍ଦନକାନନରେ ସବୁପ୍ରଜାତିର ବାଘ ଅଛନ୍ତି । ମାତ୍ର ଆମେ କଳା ବାଘଙ୍କ ପ୍ରଜନନ ଉପରେ ବେଶୀ ଧ୍ୟାନ ଦେଉଛୁ । ଯେହେତୁ ଭାରତବର୍ଷରେ ଶିମିଳିପାଳରେ କେବଳ ଏହି ପ୍ରଜାତିର ବାଘ ଦେଖାଯାନ୍ତି, ତେଣୁ ତା’ର ବଂଶବୃଦ୍ଧି ପାଇଁ ନନ୍ଦନକାନନ ହିଁ ପଦକ୍ଷେପ ନେଇଛି ।