ଭୁବନେଶ୍ୱର,୩୦/୦୯: ଦେବଗଡ଼ ଜଙ୍ଗଲ ଡିଭିଜନ ରିଆମାଳ ରେଞ୍ଜ ବାବାଜୀମଠ ଅଞ୍ଚଳରେ ବୁଲୁଛି ମହାବଳ ବାଘ। ବାଘର ପାଦ ଚିହ୍ନ ମିଳିବା ପରେ ବନବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ସେପଟେ ଜଙ୍ଗଲ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ଯ ରେ ପ୍ରଚାର କରାଯାଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଜନସାଧାରଣ ଜଙ୍ଗଲ ମଧ୍ଯକୁ ନ ଯିବା ପାଇଁ ତଥା ନିଜ ନିଜର ଗୃହପାଳିତ ପଶୁମାନଙ୍କୁ ନ ଛାଡି ଘରେ ସୁରକ୍ଷିତ ବାନ୍ଧି ରଖିବା ପାଇଁ ସତର୍କ କରାଯାଇଛି। ବାଘ ଉପରେ ନଜର ରଖିବାକୁ ଦେବଗଡ ବନଖଣ୍ଡର ବିଭିନ୍ନ ସ୍ଥାନରେ ୧୪୦ଟି ଟ୍ରାପ କ୍ୟାମେରା ଓ ୭୦ଟି ପଗ ଇମ୍ପ୍ରେସନ ପ୍ୟାଡ ସଂଯୋଗ କରାଯାଇଛି। ଦେବଗଡ ଡିଏଫଓ ରଶ୍ମୀ ଜିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ବାଘଟି ଛତିଶଗଡ ଅଞ୍ଚଳରୁ ଚାଲି ଆସିଥିବା ବେଳେ ଉତ୍ତର ଦିଗରୁ ଦକ୍ଷିଣ ଦିଗ ଆଡକୁ ଯାଉଥିବା ସୂଚନା ମିଳିଛି। ପୂର୍ବରୁ ବାଘଟି ବାରକୋଟ ରେଞ୍ଜ ଅନ୍ତର୍ଗତ କଣ୍ଟାପାଲି ଓ ଦେବଗଡ ରେଞ୍ଜ ଅନ୍ତର୍ଗତ ଲଇମୁରାବିଟ ଅଞ୍ଚଳରେ ରହିଥିବା ସୂଚନା ମିଳିଥିଲା। ହେଲେ ଚଳିତ ମାସ ପ୍ରଥମାର୍ଦ୍ଧରେ ବାଘଟି ଦେବଗଡ ଓ ବଣେଇ ସୀମାଞ୍ଚଳରେ ବୁଲୁଥିବା ବେଳେ ପାଦ ଚିହ୍ନ ମିଳିଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସତର୍କ ଦୃଷ୍ଟି ରଖାଯାଇଛି।