ଭୁବନେଶ୍ୱର,୨୭/୧୦: ବିଜୁ ପଟ୍ଟନାୟକ ବିମାନ ବନ୍ଦର ଡମ୍ପିଂୟାର୍ଡ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଛି ।  ଆଜି ପୂର୍ବାହ୍ନରେ ବାଘକୁ ଡମ୍ପିଂୟାର୍ଡର ଜଣେ ମହିଳା କର୍ମଚାରୀ ଦେଖିଥିବା କହିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଉକ୍ତ ଅଞ୍ଚଳରେ ଆତଙ୍କ  ଖେଳି ଯାଇଛି । ଖବରପାଇ ସିଟି  ଡିଭିଜନ କର୍ମଚାରୀମାନେ ବାଘ ଖୋଜା ଆରମ୍ଭ କରି ଦେଇଛନ୍ତି । ବାଘ କେଉଁଠୁ  ଆସିଲା ? କେଉଁଠି ଅଛି ତାହା ଜଣା ପଡ଼ିନାହିଁ । ସେଠାରେ ପଡ଼ିଥିବା  ପାଦଚିହ୍ନରୁ ଏହା ଏକ ଗଧିଆ କିମ୍ବା  ବଣ ବିରାଡ଼ି ବୋଲି ସିଟି ଡିଏଫ୍‌ଓ  ଅଜିତ କୁମାର ଶତପଥୀ କହିଛନ୍ତି ।

ତଥାପି ବନବିଭାଗର ୩ଟି ଟିମ୍‌ ଉକ୍ତ  ଅଞ୍ଚଳରେ ଜାଲ ସହ ୨ଟି ଯନ୍ତାରେ  ଦେଶୀ କୁକୁଡ଼ା ଓ ବ୍ରଏଲର କୁକୁଡ଼ା  ଟଙ୍ଗାଇ ଜଗି ବସିଛନ୍ତି । ରାତିରେ ବନ  ବିଭାଗ ପକ୍ଷରୁ ଏଡି ଅଞ୍ଚଳରେ ୪ଟି  ଟ୍ରାପ୍‌ କ୍ୟାମେରା ଖଞ୍ଜାଯାଇଛି । ବାଘ  ବୁଲୁଥିବା ପ୍ରଚାରିତ ହେବା ପରେ  ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶି  ଯାଇଛି । ସନ୍ଧ୍ୟାବେଳୁ ଲୋକଙ୍କ ଘର ଗେଟ୍‌ରେ ତାଲା ପଡ଼ିଗଲାଣି ।  ଘଟଣାରୁ ଜଣାପଡ଼ିଛି, ଆଜି  ପୂର୍ବାହ୍ନ ସାଢ଼େ ୯ଟାରୁ ୧୦ଟା ଭିତରେ  ଏୟାରପୋର୍ଟ ଡମ୍ପିଂୟାର୍ଡର ଜଣେ ମହିଳା କର୍ମଚାରୀ ଏକ ଗଛ ଡାଳରେ  କଲରାପତରିଆ ବାଘ ଭଳି ଏକ ଜନ୍ତୁକୁ  ଦେଖି ଦୌଡ଼ିଥିଲେ । ସେହି ସମୟରେ ଜନ୍ତୁଟି ତଳକୁ ଲମ୍ଫ ମାରି ଜଙ୍ଗଲ  ଭିତରକୁ ପଳାଇଥିଲା ।  ତେଣୁ ମହିଳା ଜଣଙ୍କ ପ୍ରଥମେ ପାଖରେ ଡ୍ୟୁଟିରେ  ଥିବା ସିଆଇଏସ୍‌ଏଫ୍‌ ଯବାନଙ୍କୁ ଜଣାଇଥିଲେ ।  ଯବାନ ଏନେଇ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଅବଗତ  କରିଥିଲେ । 

ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ସିଟି ଡିଭିଜନର ୩ଟି ଟିମ୍‌ ପ୍ରଥମେ ଜାଲ  ଧରି ସେଠାରେ ପହଞ୍ଚିଥିଲେ । ଡମ୍ପିଂୟାର୍ଡ ନିକଟ  ଜଙ୍ଗଲରେ ତନ୍ନ ତନ୍ନ କରି ଖୋଜାଖୋଜି କରିଥିଲେ ।  ହେଲେ ବାଘକୁ ଦେଖିବାକୁ ପାଇ ନଥିଲେ । ଡମ୍ପିଂୟାର୍ଡ  ନିକଟରେ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା ।  ଉକ୍ତ ପାଦ ଚିହ୍ନରେ ନଖ ଚିହ୍ନ ଥିବାରୁ ଏହା ଏକ  ଗଧିଆ କିମ୍ବା ବଣ ବିରାଡ଼ିର ପାଦଚିହ୍ନ ବୋଲି  ବନବିଭାଗ ନିଶ୍ଚିତ ହୋଇଥିଲା । ବାଘର ପାଦଚିହ୍ନ  ବଡ଼ ଓ ଏଥିରେ ନଖ ଦାଗ ରୁହେନାହିଁ ନାହିଁ ବୋଲି ସିଟି ଡିଏଫ୍‌ଓ ଶ୍ରୀ ଶତପଥୀ ସ୍ପଷ୍ଟ କରିଛନ୍ତି ।  ତଥାପି ଲୋକେ ବାଘ ଦେଖିଥିବା ଦାବି କରୁଥିବାରୁ ବନବିଭାଗ ଧରିବା ପାଇଁ ୨ଟି ଯନ୍ତା ନେଇ ସେଠାରେ  ବସାଇଛି । ଗୋଟିକରେ ଦେଶୀ କୁକୁଡ଼ା ଓ ଅନ୍ୟଟିରେ  ବ୍ରଏଲର କୁକୁଡ଼ା ଟଙ୍ଗା ଯାଇଛି । କୁକୁଡ଼ା ଖାଇାବାକୁ  ଆସି ବାଘ ହେଉ କି ଗଧିଆ ଯନ୍ତାରେ ପଡ଼ିବ ବୋଲି ବନବିଭାଗ ଜଗି ବସିଛି । ବାଘ ଦେଖିବାକୁ ଉକ୍ତ ରାସ୍ତାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । ଏୟାରପୋର୍ଟ ଥାନା ପୁଲିସ ସେଠାରୁ ଲୋକଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି । ପୁଲିସ ପକ୍ଷରୁ ଉକ୍ତ ରାସ୍ତାରେ କଡ଼ା ପାଟ୍ରୋଲିଂ ଜାରି ରହିଛି । 

ସୂଚନା ଥାଉକି, ୨୦୧୯ ଫେବ୍ରୁଆରୀ  ୧୮ରେ ଏକ କଲରାପତରିଆ ବାଘ ଏୟାରପୋର୍ଟ ଅଞ୍ଚଳକୁ ଚାଲି ଆସିଥିଲା । ବାଘଟି ପଳାଶପଲ୍ଲୀ  ଅଞ୍ଚଳରେ ଜନବସତି ଭିତରକୁ ବି ପଶି ଯାଇଥିଲା । ଫେବ୍ରୁଆରୀ ୨୦ରେ ବନବିଭାଗ ଦ୍ୱାରା ବସା ଯାଇଥିବା ଯନ୍ତାରେ ବାଘ ପଡ଼ିଥିଲା । ଉକ୍ତ ବାଘକୁ ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଥିଲା ।