• ୧୨ରୁ ଦୁଇଟି ପର୍ଯ୍ୟାୟରେ ପଠାଯିବ ପ୍ରଶ୍ନପତ୍ର
  • ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର,୦୧/୦୨: ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏହାପୂର୍ବରୁ ୨ଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍‌କୁ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷାରେ ଯେପରି ତ୍ରୁଟି ନହୁଏ ସେଥିପ୍ରତି କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) । ଆଗରୁ ଏହି ପରୀକ୍ଷା ପରିଚାଳନା ହବ୍‌ରେ ସାଧାରଣ ସିସିଟିଭି କ୍ୟାମେରା ଲାଗୁଥିଲା ।

ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ସିସିଟିଭି କ୍ୟାମେରା ଲାଗୁଛି । ଏହି କ୍ୟାମେରା ପ୍ରଶ୍ନପତ୍ର ଜଗିବ । ଯଦି ହବ୍‌ରେ କୌଣସି ଅସଙ୍ଗତି ପରିଲିକ୍ଷିତ ହୁଏ ତେବେ ସାଙ୍ଗେ ସାଙ୍ଗେ ମୁଖ୍ୟାଳୟକୁ ସତର୍କ କରିବ । ଏଥିପାଇଁ ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ । ଯେଉଁଥିରେ କର୍ମଚାରୀ ଓ ଅଧିକାରୀମାନେ ସିସିଟିଭିକୁ ନିରୀକ୍ଷଣ କରିବେ । ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ରଖିବା ପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) କରାଯାଇଛି । ଆସନ୍ତା ୧୨ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୪ ତାରିଖରୁ ୬ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ହବ୍ରେ ପହଞ୍ଚିବ । ହବ୍ ସୁପରଭାଇଜର ଓ ଡେପୁଟି ସୁପରଭାଇଜରଙ୍କୁ ସବୁବେଳେ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ପରୀକ୍ଷା ପରିଚାଳନାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିଲାଗି ସଜାଗ ହୋଇଛି ସିଏଚ୍ଏସ୍ଇ । ପ୍ରଶ୍ନପତ୍ର ହବ୍ର ଷ୍ଟ୍ରଙ୍ଗ ରୁମ୍ରେ ସବୁ ଦିଗରୁ ଏଆଇ କ୍ୟାମେରା ଲାଗିବ । ଷ୍ଟ୍ରଙ୍ଗରୁମ୍‌କୁ ଗୋଟିଏ ହିଁ ପ୍ରବେଶ ପଥ ରହିବ ଯେଉଁଠି ଗ୍ରିଲ୍ ସହ କବାଟ ବ୍ୟବସ୍ଥା କରାଯିବ । ଏହି ପ୍ରଶ୍ନପତ୍ର ରହିବା ପରେ ଭଲ ତାଲା ପକାଇ ଏହାକୁ ସିଲ୍ କରାଯିବ । ହବ୍ ଓ ହବ୍ ବାହାରେ ପୁଲିସ ଓ ସୁରକ୍ଷା କର୍ମୀ ଜଗି ରହିବେ । ଅଣସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ଏହି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ ନାହିଁ । ସ୍ଥାନୀୟ ଥାନାର ଆଇଆଇସି ପୁଲିସ ସୁରକ୍ଷା ଯୋଗାଇ ଦେବେ ।

୨୪ ଘଣ୍ଟିଆ ଏଆଇ କ୍ୟାମେରାର ଲାଇଭ ଷ୍ଟ୍ରିମ୍ ଚାଲିବ । ଯଦି କୌଣସି କାରଣରୁ ସିସିଟିଭି କାର୍ଯ୍ୟ ନକରେ ସେଥିଲାଗି ହବ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଶ୍ନପତ୍ର ସିଏଚ୍ଏସ୍ଇ ଅଧିକାରୀମାନେ ହବ୍‌ର ଅଧିକାରୀଙ୍କୁ ସିସିଟିଭି ସମ୍ମୁଖରେ ହିଁ ହସ୍ତାନ୍ତର କରିବେ । ହବ୍‌କୁ କିଏ ଆସୁଛନ୍ତି ଯାଉଛନ୍ତି ତାର ସବିଶେଷ ତଥ୍ୟ ରେଜିଷ୍ଟରରେ ରହିବ । ପ୍ରଶ୍ନପତ୍ର ବଣ୍ଟନ ବିଭ୍ରାଟ ରୋକିବା ଲାଗି ଗତ ୨୯ ତାରିଖରେ ସିଏଚ୍ଏସ୍ଇ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କେତେ ସଂଖ୍ୟାରେ ପ୍ରଶ୍ନପତ୍ର ଆବଶ୍ୟକ ତାର ତଥ୍ୟ ପ୍ରଦାନ କରିବାକୁ ଚିଠି ଲେଖାଯାଇଥିଲା । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଯଦି କର୍ତ୍ତୃପକ୍ଷ ତଥ୍ୟ ଦେବାରେ କୌଣସି ଭୁଲ୍ କରନ୍ତି ଓ ପ୍ରଶ୍ନପତ୍ର ଅଭାବ ରହେ ସେଥିଲାଗି ସିଏଚ୍ଏସ୍ଇ ଦାୟୀ ରହିବ ନାହିଁ । ବରଂ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।